ପ୍ରଥମ ଭାରତୀୟ ଚଳଚିତ୍ର ନିର୍ମାତା ଭାବରେ ଏକତା କପୁର ଏମି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ୫୧ତମ ଏମି ପୁରସ୍କାର ଉତ୍ସବରେ ତାଙ୍କୁ ସମ୍ମାନାସ୍ପଦ ‘ଇଣ୍ଟରନାସନାଲ୍ ଏମି ଡାଇରେକ୍ଟରେଟ୍’ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ଭାରତୀୟ ଟେଲିଭିଜନ୍ ଶିଳ୍ପ ପ୍ରତି ଏକତାଙ୍କ ଉଲ୍ଲେଖନୀୟ ଅବଦାନକୁ ବିଚାର କରି ତାଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରାଯାଇଛି ବୋଲି ଏମି ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା ‘ଇଣ୍ଟରନାସନାଲ୍ ଏକାଡେମି ଅଫ୍ ଟେଲିଭିଜନ୍ ଆର୍ଟ୍ସ ଆଣ୍ଡ୍ ସାଇନ୍ସେସ୍’ର ଅଧ୍ୟକ୍ଷ ତଥା ସିଇଓ ବ୍ରୁସ୍ ଇ. ପେଜନର୍ ସୂଚନା ଦେଇଛନ୍ତି।
ଏହି ଅବସରରେ ପେଜନର କହିଛନ୍ତି, ‘ଏକତା କପୂର ତାଙ୍କର ପ୍ରଯୋଜନା ସଂସ୍ଥା ବାଲାଜି ଟେଲିଫିଲ୍ମ ଲି.କୁ ଭାରତର ଏକ ପ୍ରମୁଖ ମନୋରଞ୍ଜନକାରୀ ଭାବେ ଗଢ଼ିପାରିଛନ୍ତି ଏବଂ ଟେଲିଭିଜନ ଶିଳ୍ପ ବଜାରର ନେତୃତ୍ବ ନେଇଛନ୍ତି ଯାହା ତାଙ୍କର ସୁଦୀର୍ଘ ଧାରାବାହିକ ଏବଂ ଓଟିଟି ମଞ୍ଚ ମାଧ୍ୟମରେ ଭାରତ ଓ ଦକ୍ଷିଣ ଏସିଆରେ ଦର୍ଶକଙ୍କ ପାଖରେ ପହଞ୍ଚିପାରିଛି।’ ପ୍ରତିକ୍ରିୟାରେ ଏକତା କହିଛନ୍ତି, ‘ଏହି ସମ୍ମାନଜନକ ମଞ୍ଚ ମାଧ୍ୟମରେ ବିଶ୍ବସ୍ତରରେ ମୋ’ ଦେଶକୁ ପ୍ରତିନିଧିତ୍ବ କରିବା ଏକ ଅବିଶ୍ବସନୀୟ ସମ୍ମାନ। ବିଶେଷ କରି ମହିଳାମାନଙ୍କ ପାଇଁ କାହାଣୀ ନିର୍ମାଣ କରୁଥିବା ଜଣେ ମହିଳା ଭାବରେ ମୋର ପରିଚୟକୁ ଆବିଷ୍କାର କରିବାରେ ଟେଲିଭିଜନର ନିର୍ଣ୍ଣାୟକ ଭୂମିକା ରହିଛି।
ଏହି ପୁରସ୍କାର ମୋତେ ଓ ଆମର ମିଳିତ ସଫଳତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରିବାର ସୁଯୋଗ ଦେଇଛି।’ ଉଲ୍ଲେଖଯୋଗ୍ୟ, ଏକତାଙ୍କ ବାଲାଜି ସଂସ୍ଥା ‘କ୍ୟୁଁକି ସାସ୍ ଭି କଭି ବହୂ ଥି’, ‘କାହାନି ଘର ଘର କି’, ‘କୁସୁମ’ ଓ ‘କସୌଟି ଜିନ୍ଦଗି କେ’ ପରି ଲୋକପ୍ରିୟ ଧାରାବାହିକ ସମେତ ଦୀର୍ଘ ୧୭ ହଜାର ଘଣ୍ଟାର ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନା କରିସାରିଛି। ଏକତା ଫର୍ଚ୍ୟୁନ୍ ଇଣ୍ଡିଆ ଦ୍ବାରା ପ୍ରକାଶିତ ଏସିଆର ସବୁଠାରୁ ଶକ୍ତିଶାଳୀ ୫୦ଜଣ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ତା’ ସହିତ ସେ ଭାରତୀୟ ଟେଲିଭିଜନ ଶିଳ୍ପର ଏକମାତ୍ର ମହିଳା ଭାବେ ‘ଭେରାଇଟି ୫୦୦’ ତାଲିକାରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Ekta-Kapoor-to-Get-Emmy-Award_Thumbnail.jpg)