ଜାତିଭେଦ ଓ ନ୍ୟାୟ ବ୍ୟବସ୍ଥା ନେଇ ଶକ୍ତିଶାଳୀ ସାମାଜିକ ବାର୍ତ୍ତା ବହନ କରୁଥିବା ‘ଜୟ ଭୀମ’ ଚଳଚ୍ଚିତ୍ର ପାଇଁ ବିଗତ ବର୍ଷରେ ଉଚ୍ଚପ୍ରଶଂସିତ ହୋଇଥିବା ତାମିଲ ନିର୍ଦେଶକ ଟି. ଜେ. ଜ୍ଞାନବେଲ ପୁଣି ଥରେ ନ୍ୟାୟ ବ୍ୟବସ୍ଥାର ଚରିତ୍ରର ଗଭୀର ଅଧ୍ୟୟନ କରିବା ସହିତ ଭାରତୀୟ ସିନେମାର ଦୁଇ ବରିଷ୍ଠ ସୁପର୍‌ଷ୍ଟାର୍‌ଙ୍କ ପ୍ରସିଦ୍ଧି ଜରିଆରେ ଭାରତୀୟ ସମାଜକୁ ଅଧିକ ନ୍ୟାୟପ୍ରିୟ କରିବାର ପ୍ରଶଂସନୀୟ ଉଦ୍ୟମ କରିଛନ୍ତି। 

Advertisment

ତାମିଲ ଭାଷାରେ ‘ବେଟ୍ଟୈୟନ୍‌’ର ଅର୍ଥ ହେଲା ଶିକାରୀ। ଏହି ନାମର ଯଥାର୍ଥତା ପ୍ରତିପାଦନ ସ୍ବରୂପ ଅଥିୟନ (ରଜନୀକାନ୍ତ) ଚରିତ୍ରକୁ ଜଣେ ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ ପୁଲିସ ଅଧିକାରୀ ରୂପେ ଚିତ୍ରଣ କରାଯାଇଛି। ଚଳଚ୍ଚିତ୍ରର ପ୍ରାରମ୍ଭିକ ୩୦ ମିନିଟ୍‌ ଚିରାଚରିତ ତାମିଲ ସିନେମାର ସ୍ବାକ୍ଷର ବହନ କରିଥାଏ, ଯେଉଁଥିରେ ରଜନୀକାନ୍ତଙ୍କ ମହାନାୟକସୁଲଭ ଅଙ୍ଗଭଙ୍ଗୀ ଓ ସଂଳାପର ପ୍ରାବଲ୍ୟ ଦେଖିବାକୁ ମିଳେ। ରଜନୀକାନ୍ତଙ୍କ ପରି ତାରକାଙ୍କ ସହିତ କାମ କରିବାର ବିପଦ ହେଲା, ସେମାନଙ୍କ ବ୍ୟକ୍ତିତ୍ବ ଓ ଔଜ୍ଜ୍ବଲ୍ୟ ଅନେକ ସମୟରେ ସିନେମାର କାହାଣୀକୁ ଗୁରୁତ୍ବହୀନ କରିଦେଇଥାଏ। ହେଲେ ଟି. ଜେ. ଜ୍ଞାନବେଲଙ୍କ ବିଚକ୍ଷଣ କାହାଣୀ ଓ ନିର୍ଦେଶନା ରଜନୀକାନ୍ତଙ୍କ ପ୍ରଶଂସକମାନଙ୍କୁ ତୁଷ୍ଟ କରିବା ସଙ୍ଗେ ସଙ୍ଗେ ନିଜ ବାର୍ତ୍ତାର ପ୍ରଭାବକୁ କମ୍ ହେବାକୁ ଦେଇନାହିଁ। ଖୁବ୍ ଶୀଘ୍ର ଦୃଶ୍ୟପଟ ଭିତରକୁ ଅନ୍ୟାନ୍ୟ ଚରିତ୍ରମାନେ ପ୍ରବେଶ କରନ୍ତି ଏବଂ କାହାଣୀର ଗମ୍ଭୀରତା ଓ ରୋମାଞ୍ଚର ସ୍ତର ବଢ଼ିବାରେ ଲାଗେ। 

ସମସାମୟିକ ଭାରତରେ ପୁଲିସ ଏନ୍‌କାଉଣ୍ଟର୍‌ କିଭଳି ରାଜନୈତିକ ଚାପ, ପୁଲିସର ବାଧ୍ୟବାଧକତା ଦ୍ବାରା ପରିଚାଳିତ ହୁଏ ଓ ତାକୁ ଲୋକଙ୍କ ସମର୍ଥନ ମିଳେ ତାହାର ଏକ ବାସ୍ତବିକ ଚିତ୍ର ସିନେମାର ପ୍ରଥମାର୍ଦ୍ଧରେ ପ୍ରଦାନ କରାଯାଇଛି। ଏନ୍‌କାଉଣ୍ଟର୍‌କୁ ଯଥାର୍ଥ ଭାବୁଥିବା ନାୟକ ସହିତ ଦର୍ଶକମାନଙ୍କ ସମ୍ମୁଖରେ ଜଷ୍ଟିସ୍‌ ସତ୍ୟଦେବ (ଅମିତଭ ବଚ୍ଚନ) ଏକ ଅପ୍ରିୟ ଆଶଙ୍କାର ଅବତାରଣା କରନ୍ତି- ଜଣେ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୋଗରେ ଏନ୍‌କାଉଣ୍ଟର୍‌ କରାଯାଇଥିବା ଯୁବକଟି ଯଦି ନିର୍ଦ୍ଦୋଷ ହୋଇଥାଏ? ସିନେମାର ପ୍ରଥମ ଓ ଏକମାତ୍ର ଅନୁମାନସାପେକ୍ଷ ମୋଡ଼ରେ ପ୍ରମାଣିତ ହୁଏ ଯେ ଏସ୍‌ପି ଅଥିୟନ କରିଥିବା ଏନ୍‌କାଉଣ୍ଟର୍‌ ବାସ୍ତବରେ ଏକ ହତ୍ୟା ଥିଲା, କାରଣ ପ୍ରକୃତ ଆସାମୀ ଆଉ କିଏ! ରଜନୀକାନ୍ତଙ୍କ ଚରିତ୍ର ଏଠାରେ ନୈତିକ ଦ୍ବନ୍ଦ୍ବରେ ପଡ଼େ ଏବଂ ନିଜ ଭୁଲ୍‌କୁ ନ ଲୁଚାଇ ଭୁଲ୍‌ ସଂଶୋଧନର ସାହସିକ ବାଟରେ ଅଗ୍ରସର ହୁଏ। ଏହା ପରର ଦୁଇଟି ଚମତ୍କାର ମୋଡ଼ ସବୁଠାରୁ ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟଜନକ, ଯେଉଁଗୁଡ଼ିକୁ ବଡ଼ ପରଦାରେ ଦେଖିବା ଉଚିତ।

ବେଟ୍ଟୈୟନ୍‌ ଚଳଚ୍ଚିତ୍ରର ଦ୍ବିତୀୟାର୍ଦ୍ଧ ଏକ ଭିନ୍ନ ମୋଡ଼ ନେଇ ବେସରକାରୀ ଶିକ୍ଷା ବ୍ୟବସ୍ଥାର ଶୋଷଣକାରୀ ଗୁଣକୁ ପଦାରେ ପକାଇଛି। ‘ନାଟ୍‌ ଏକାଡେମି’ ନାମକ ବିତ୍ତଶାଳୀ ଶିକ୍ଷା ସଂସ୍ଥା କିପରି ଗୁଣାତ୍ମକ ଶିକ୍ଷା ନାମରେ ଗରିବ ଲୋକଙ୍କ ସମେତ ସରକାରଙ୍କୁ ଲୁଟ୍‌ କରୁଛି ଜାଣିବା ବେଳେ ନିକଟରେ ଦେବାଳିଆ ପାଲଟିଥିବା ଏକ ଏଡ୍‌ଟେକ୍‌ କମ୍ପାନି ସହ କିଛିଟା ସାମଞ୍ଜସ୍ୟ ବାରିହୋଇପଡ଼ିଲା। ସେ ଯାହା ହେଉ, ଜଣେ ସାହସିକ, ସତ୍ୟନିଷ୍ଠ ପୁଲିସ ଅଧିକାରୀ ଚାହିଲେ ଯେ ବଡ଼ରୁ ବଡ଼ ଅପରାଧୀଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଦଣ୍ଡିତ କରିପାରିବେ ତାହା ହିଁ ଶେଷରେ ପ୍ରମାଣିତ ହୋଇଛି। ଅମିତାଭଙ୍କ ଚରିତ୍ର ନାୟକକୁ ଏନ୍‌କାଉଣ୍ଟର୍‌ (ଅ)ନ୍ୟାୟ ବଦଳରେ ନ୍ୟାୟସଂଗତ ଅଦାଲତୀ ପ୍ରକ୍ରିୟା ଉପରେ ଆସ୍ଥା ରଖିବା ଶିଖାଇପାରିଛନ୍ତି।

ଏହି ସିନେମାର କେତେକ ଦୁର୍ବଳତା ହେଲା ୨ ଘଣ୍ଟା ୪୩ ମିନିଟର ଚଳଚ୍ଚିତ୍ରରେ ଗୋଟିଏ ହତ୍ୟାକାଣ୍ଡ ଦୃଶ୍ୟକୁ ଅନାବଶ୍ୟକ ଭାବେ ଚାରି ଥର ଅବତାରଣା କରାଯାଇଛି। ସେହିପରି ରଜନୀକାନ୍ତଙ୍କ ଆକ୍ସନ୍‌ ଦୃଶ୍ୟଗୁଡ଼ିକରେ କୌଣସି ନୂତନତ୍ବ ଦେଖିବାକୁ ମିଳି ନାହିଁ। ତାଙ୍କ ବାହାସ୍ଫୋଟପୂର୍ଣ୍ଣ ସଂଳାପ ଓ ବ୍ୟଙ୍ଗ ଅନେକ ସମୟରେ ପରିସ୍ଥିତିର ଗମ୍ଭୀରତାକୁ ହ୍ରାସ କରିଦେଇଛି। ଏହା ଅମିତାଭଙ୍କର ପ୍ରଥମ ତାମିଲ ସିନେମା ହୋଇଥିବାବେଳେ ଏଥିରେ ତାଙ୍କୁ ଦକ୍ଷତା ପ୍ରତିପାଦନର ସୁଯୋଗ ମିଳି ନାହିଁ।