ଆଇଏଏସ୍‌ ହେବାକୁ ସ୍ୱପ୍ନ ଦେଖୁଥିବା ବେଳେ ଶେଷରେ ଅଭିନୟରେ ଜୀବନ ଗଢ଼ିବାକୁ ପଡ଼ିଲା ଅଭିନେତ୍ରୀ ରୁବିନା ଦିଲାଏକଙ୍କୁ

କଥାରେ ଅଛି, ମନୁଷ୍ୟ କିଛି କଳ୍ପନା କରିଥିବା ବେଳେ ବିଧିର ବିଧାନ କିଛି ଭିନ୍ନ ରହିଥାଏ। ତେବେ ବିଧି ପାଖରେ ହାର ମାନି ମନୁଷ୍ୟକୁ ପରିସ୍ଥିତିର ଦାସ ସାଜିବାକୁ ପଡ଼ିଥାଏ। ଟିଭି ଅଭିନେତ୍ରୀ ରୁବିନା ଦିଲାଏକ ହେଉଛନ୍ତି ସେଭଳି ଜଣେ କଳାକାର ଯିଏ ଭଲ ପଢ଼ି ଭାରତୀୟ ପ୍ରାଶାସନିକ ସେବାରେ ଯୋଗଦେବାକୁ ସ୍ବପ୍ନ ଦେଖିଥିବା ବେଳେ ଶେଷରେ ଅଭିନୟରେ ତାଙ୍କୁ ଜୀବନ ଗଢ଼ିବାକୁ ପଡ଼ିଛି। ତେବେ ପରିବର୍ତ୍ତିତ ପରିସ୍ଥିତି ସହ ସେ ନିଜକୁ ଏପରି ଖାପ ଖୁଆଇ ନେଲେ ଯେ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଦୁଇ ଦୁଇ ଥର ଜାତୀୟ ସ୍ତରୀୟ ପୁରସ୍କାର ଲାଭ କରିବା ସହ ସେଥିପାଇଁ ଛଅ ଥର ମଧ୍ୟ ତାଙ୍କ ନାମକୁ ସୁପାରିସ କରାଯାଇଛି। ହିମାଚଳ ପ୍ରଦେଶର ସିମଳା ଠାରେ ୧୯୮୭ ଅଗଷ୍ଟ ୨୬ ତାରିଖରେ ଜନ୍ମିତ ରୁବିନା ହାଇସ୍କୁଲ ଶିକ୍ଷା ବେଳେ ତର୍କ ପ୍ରତିଯୋଗିତାରେ ଜାତୀୟ ସ୍ତରୀୟ ଚାମ୍ପିଅନ୍‌ ହୋଇଥିଲେ।

ସେହିପରି ସେ ୨୦୦୬ରେ ‘ସିମଳା ସୁନ୍ଦରୀ’ ମୁକୁଟ ଧାରଣ କରିବା ସହ ଚଣ୍ଡୀଗଡ଼ରେ ଆୟୋଜିତ ସର୍ବ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ମଧ୍ୟ ‘ଉତ୍ତର ଭାରତ ସୁନ୍ଦରୀ’ ମୁକୁଟ ବିଜୟିନୀ ହୋଇଥିଲେ। ଫଳରେ ଆଇଏଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ରୁବିନାଙ୍କୁ ଏହି ଗ୍ଲାମର୍‌ ଜଗତର ସ୍ବୀକୃତି ହିଁ ଜୀ ଟିଭିର ‘ଛୋଟି ବୋହୂ’ ଧାରାବାହିକ ପାଇଁ ଅଡିସନ ଦେବା ଲାଗି ପ୍ରବର୍ତ୍ତାଇଥିଲା। ବାସ୍‌, ଏଥିରେ ସଫଳ ହୋଇ ସେ ଅଭିନୟ କରିଥିବା ରାଧିକା ଶାସ୍ତ୍ରୀ ଚରିତ୍ର ତାଙ୍କୁ ଆଶାତୀତ ଲୋକପ୍ରିୟତା ଅର୍ପଣ କରିବା ସହ ଅଭିନୟରେ ହିଁ ଜୀବନ ଗଢ଼ିବା ପାଇଁ ସ୍ଥିରନିଶ୍ଚିତ କରାଇଥିଲା। ଏହାପରେ ସୋନି ଟିଭିର ‘ଶାଶ ବିନା ଶଶୁରାଲ୍‌’ ଓ ଜୀ ଟିଭିର ‘ପୁନର୍ବିବାହ-ଏକ ନୟି ଉମିଦ’ ଧାରାବାହିକ ତାଙ୍କୁ ଏଦିଗରେ ଆଗକୁ ବାଟ କଢ଼ାଇ ନେଇଥିଲା। ସେହିପରି ଲାଇଫ୍‌ ଓକେର ‘ଦେବୋଁ କେ ଦେବ.. ମହାଦେବ’ ଓ ସବ ଟିଭିର ‘ଜିନି ଔର ଜୁଜୁ’ରେ ତାଙ୍କ ଭିନ୍ନ ଅବତାର ରୁବିନାଙ୍କ ଅଭିନୟ ପାରଦର୍ଶିତାକୁ ପ୍ରମାଣିତ କରିଥିଲା।

ସେହିପରି ୨୦୧୬ରୁ ୨୦୨୦ ଯାଏ କଲର୍ସ ଟିଭିର ଧାରାବାହିକ ‘ଶକ୍ତି- ଅସ୍ଥିତ୍ବ କେ ଏହସାସ କେ’ରେ ତାଙ୍କ ଅଭିନୀତ ସୌମ୍ୟା ସିଂହଙ୍କ ପରି ଜଣେ ତୃତୀୟଲିଙ୍ଗୀର ଚରିତ୍ର ହିଁ ତାଙ୍କ ପାଇଁ ୨୦୧୭ରେ ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବେ କଲର୍ସ ଗୋଲ୍‌ଡେନ ପେଟାଲ ସମ୍ମାନ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଇଟା ସମ୍ମାନ-୨୦୧୭ ଆଣିଦେଇଥିଲା। ନିଜର ଏପରି ଦକ୍ଷତା ପାଇଁ ସେ ୨୦୧୬ ଓ ୨୦୧୭ରେ ଇଷ୍ଟର୍ଣ୍ଣ ଆଇ ଦ୍ବାରା ପ୍ରସ୍ତୁତ ୫୦ ଜଣିଆ ଶ୍ରେଷ୍ଠ ଏସୀୟ କାମିନୀ ତାଲିକାର ଯଥାକ୍ରମେ ଏକାଦଶ ଓ ଦଶମ ସ୍ଥାନରେ ରହିଥିଲେ। ସେହିପରି ୨୦୨୦ରେ ଟାଇମ୍‌ସ ଦ୍ବାରା ପ୍ରସ୍ତୁତ ଟିଭିର ଶ୍ରେଷ୍ଠ ଆକାଂକ୍ଷିତ ମହିଳା ତାଲିକାର ଦଶମ ସ୍ଥାନରେ ରହିଥିଲେ। ୨୦୧୮ରେ ଅଭିନେତା ଅଭିନବ ଶୁକ୍ଳାଙ୍କୁ ବିବାହ କରିଥିବା ରୁବିନା ଚଳିତବର୍ଷ ମୁକ୍ତିଲାଭ କରିବାକୁ ଥିବା ତାଙ୍କର ପ୍ରଥମ ହିନ୍ଦୀ ଫିଚର ଫିଲ୍ମ ‘ଅର୍ଧ’ ପାଇଁ ବେଶ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧିତ ଖବର