ବାଲେଶ୍ୱର ଜିଲ୍ଲାର ପୁଟୁରା ଗ୍ରାମର ଯୁବକ ଅରବିନ୍ଦ ସିଂହ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରୁ ପ୍ରାଣୀବିଜ୍ଞାନରେ ସ୍ନତକୋତ୍ତର କରିବା ପରେ ଶିମିଳିପାଳର ଦୁର୍ବାର ଆକର୍ଷଣରେ ଟାଣି ହୋଇ ଯଶିପୁର ଚାଲିଆସିଥିଲେ। “ଯେବେଠାରୁ ମୁଁ ଶିମିଳିପାଳ ଜୈବବିବିଧତା ଓ ବାଘର ବିପନ୍ନ ସ୍ଥିତି ବିଷୟରେ ଜାଣିଲି ସେହି ଦିନଠାରୁ ମୋ ମନରେ ଶିମିଳିପାଳ ସଂରକ୍ଷଣର କଥା ବସା ବାନ୍ଧିଲା। ଶିମିଳିପାଳ ହେଉଛି ଓଡ଼ିଶାର ଗୌରବ। ଶିମିଳିପାଳ ଜଙ୍ଗଲ ନିଆଁ ମୋର ମନକୁ ବ୍ୟଥିତ କଲା। ଏହାପରେ ମୁଁ ମନସ୍ଥ କଲି ଶିମିଳିପାଳ ସଂରକ୍ଷଣରେ ମନ ଦେବି। ଏହି ଆଶା ନେଇ ମୁଁ ଯଶିପୁର ଆସିଲି। ସେଠାରେ ମୋର ଜଣେ ବନ୍ଧୁ ବନାଗ୍ନି ନିୟନ୍ତ୍ରଣ ଓ ଶିମିଳିପାଳକୁ ପ୍ଲାଷ୍ଟିକ୍ମୁକ୍ତ କରିବା ଦିଗରେ କାର୍ଯ୍ୟ କରୁଥିଲେ। ସେ ମୋତେ ବିକାଶ ସାଥୀ ଅନୁଷ୍ଠାନ ସହିତ ସାମିଲ କରାଇଲେ। ମୁଁ ଶିମିଳିପାଳ ସଂରକ୍ଷଣରେ ସେହିଦିନଠାରୁ କାର୍ଯ୍ୟ କରିଆସୁଛି’’ ବୋଲି କୁହନ୍ତି ଅରବିନ୍ଦ ସିଂହ।
ପ୍ରାୟ ଦୁଇ ବର୍ଷ ହେବ ଅରବିନ୍ଦ ଦୁର୍ଦ୍ଦୁରା, ସୁଆଁପାଳ, ଗଡ଼ତଳସାହି, ପୋଡ଼ାଗଡ଼, ଧଳାବଣୀ ଓ ଅଙ୍ଗାରପଦା ଭଳି ୬ ଖଣ୍ଡ ଆଦିବାସୀ ଗାଁରେ ବନାଗ୍ନି ନିୟନ୍ତ୍ରଣ, ଚାରା ରୋପଣ ଓ ବଣ୍ଟନ, ଜଙ୍ଗଲ ସଂରକ୍ଷଣ,
ଝରଣାର ଉତ୍ସକୁ ପ୍ରଦୂଷଣ ମୁକ୍ତ କରିବା ଏବଂ ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ଅଭିଯାନ ଆରମ୍ଭ କରିଛନ୍ତି। ଏହିସବୁ ଗାଁର ଜନସାଧାରଣ ମୁଖ୍ୟତଃ ଖଡ଼ିଆ, ମାଙ୍କିଡ଼ିଆ ସମ୍ପ୍ରଦାୟର। ଅରବିନ୍ଦଙ୍କ ଉଦ୍ୟମରେ ଏହି ସମ୍ପ୍ରଦାୟର ଯୁବପିଢ଼ି ପଶୁ ଶିକାର ପରିତ୍ୟାଗ କରିଛନ୍ତି ଏବଂ ପ୍ରାୟ ୮ ଏକରରୁ ଅଧିକ ସାମାଜିକ ବନ ପ୍ରକଳ୍ପ ସୃଷ୍ଟି କରିଛନ୍ତି। ସ୍ଥାନୀୟ ଅଂଚଳରେ ସଫଳତାର ସହିତ ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ ହୋଇଛି। ପ୍ରାୟ ୬ଟି ଝରଣାର ଜଳକୁ ପ୍ରଦୂଷଣରୁ ସୁରକ୍ଷା ଦିଆଯାଉଛି। ଅରବିନ୍ଦ ପରିବେଶ ସୁରକ୍ଷା ସହିତ ସ୍ଥାନୀୟ ଆଦିବାସୀ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରୁଛନ୍ତି। ସେ ବିଭିନ୍ନ ଗ୍ରାମରେ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଚଳାଇ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ଅରବିନ୍ଦଙ୍କ ମତରେ, ଯଦି ପ୍ରାଥମିକ ଶିକ୍ଷାରୁ ପିଲାମାନଙ୍କୁ ପରିବେଶ ସୁରକ୍ଷା ଓ ସଂରକ୍ଷଣ ତଥା ଶିମିଳିପାଳର ମହତ୍ତ୍ବ ବିଷୟରେ ସଚେତନ କରାଯାଇ ପାରିବ ତେବେ ଭବିଷ୍ୟତର ଶିମିଳିପାଳ ସୁରକ୍ଷିତ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/18/sfhsfhfsfhs-2025-11-18-01-12-03.jpg)