ବଡ଼ ପରଦାକୁ ଫେରୁଛନ୍ତି ଈଷା

ବଡ଼ ପରଦାରୁ ଅନେକ ଦିନ ଧରି ହଜି ଯାଇଥିବା ଅଭିନେତ୍ରୀ ଈଷା ଦେଓଲ୍‌ ଏବେ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ‘କେକ୍‌ଓ୍ଵାକ୍‌’ ଶୀର୍ଷକ ଥିବା ଏକ କମେଡି ଫିଲ୍ମ ଜରିଆରେ ସେ ଆସୁଛନ୍ତି। ଏ ଫିଲ୍ମର ନିର୍ଦ୍ଦେଶନା ଦେବେ ରାମ କମଲ ମୁଖାର୍ଜୀ ଏବଂ ଅଭ୍ର ଚକ୍ରବର୍ତ୍ତୀ। ଉଲ୍ଲେଖନୀୟ ଯେ ରାମ କମଲ୍‌ ହେଉଛନ୍ତି ଈଷାଙ୍କ ମାଆ ହେମା ମାଳିନୀଙ୍କ ଜୀବନୀର ଲେଖକ। ହେମାଙ୍କ ଜୀବନୀ ଲେଖିବାବେଳେ ସେ ଈଷାଙ୍କର ଏକ ସାକ୍ଷାତକାର ନେଇଥିଲେ। ସେହି ସମୟରେ ତାଙ୍କ ମନକୁ ଏ ଫିଲ୍ମର ଆଇଡିଆ ଆସିଥିଲା। ଫିଲ୍ମର ନିର୍ଦ୍ଦେଶନା ଦେବାକୁ ନିଜେ ଈଷା ହିଁ ତାଙ୍କୁ ଉତ୍ସାହିତ କରିଥିଲେ।

‘କେକ୍‌ଓ୍ଵାକ୍‌’ରେ ଈଷା ଜଣେ ସେଫ୍‌ ଭୂମିକାରେ ଅଭିନୟ କରିବେ। ସେ ଭୂମିକାଟି ସଂପୂର୍ଣ୍ଣ ଭିନ୍ନ ଧରଣର ବୋଲି ଈଷା କହିଛନ୍ତି। ଏଇ ମାର୍ଚ୍ଚ ମାସର ଶେଷ ଆଡ଼କୁ ଏହାର ସୁଟିଂ କୋଲ୍‌କାତାରେ ଆରମ୍ଭ ହେବ।

ଉଲ୍ଲେଖନୀୟ ଯେ ‘କୋଇ ମେରେ ଦିଲ୍‌ ସେ ଫୁଛେ’ ଜରିଆରେ ନିଜ କ୍ୟାରିୟର୍‌ ଆରମ୍ଭ କରିଥିବା ଈଷା ଅଧିକ ସଂଖ୍ୟକ ଫିଲ୍ମରେ ଅଭିନୟ କରି ନାହାନ୍ତି। ୨୦୧୨ରେ ତାଙ୍କର ବାହାଘର ହୋଇଥିଲା। ଗତ ବର୍ଷ ତାଙ୍କର ଝିଅଟିଏ ହୋଇଛି।

ସମ୍ବନ୍ଧିତ ଖବର