ଏହା ସେହି ସମୟର କଥା ଯେତେବେଳେ ପ୍ରତ୍ୟେକ କଣ୍ଠଶିଳ୍ପୀ ଚାହୁଁଥିଲେ ସେମାନେ ଏଚ୍ଏମ୍ଭିରେ ଗୀତ ଗାଇବେ। କାରଣ ଆକାଶବାଣୀକୁ ଛାଡ଼ିଦେଲେ ଶ୍ରୋତାମାନଙ୍କ ପାଖରେ ପହଞ୍ଚିବାର କେବଳ ଗୋଟିଏ ବିକଳ୍ପ ଥିଲା ଏଚ୍ଏମ୍ଭି। ତାଙ୍କ ଭିତରେ ବି ଥିଲା ସେହି ସ୍ୱପ୍ନ- ସେ ହେବେ ଏଚ୍ଏମ୍ଭିର ଗାୟକ। ମାତ୍ର ଏଚ୍ଏମ୍ଭିରେ ପଶିବା କ’ଣ ଏତେ ସହଜ ଥିଲା? ସେ ବାରମ୍ବାର ଯାଉଥିଲେ। ଆଉ ନିରାଶ ହୋଇ ଫେରୁଥିଲେ। ପରିସ୍ଥିତି ଏମିତି ହୋଇଥିଲା, ଦିନେ କମ୍ପାନିର ଗେଟ୍ ଜଗୁଆଳୀ ପଚାଶ ବର୍ଷର ଦରୱାନ୍ ବୁଢ଼ା ତାଙ୍କୁ ଦୟା ଦେଖେଇ କହିଥିଲା- ‘ତୁମେ ଆଉ ଆସନିରେ ବାବୁ। ତୁମର ଏଠି ହେବନି।’ ଦରୱାନ୍ କଥା ତ ଦୁଃଖ ଦେଇଥିଲା; ହେଲେ ତାଙ୍କର ମନୋବଳ ଭାଙ୍ଗିପାରି ନ ଥିଲା। ତାଙ୍କ ଭିତରେ ଥାଇ କେହି ଜଣେ ଯେମିତି କହୁଥିଲା- ମିଳିବ, ନିଶ୍ଚୟ ସୁଯୋଗ ମିଳିବ। ଦିନେ ମିଳିଲା ସେ ସୁଯୋଗ। ୧୯୭୪ ମସିହା ମେ’ ମାସ। ସେ ଏଚ୍ଏମ୍ଭିରେ ପ୍ରଥମକରି କଣ୍ଠଦାନ କଲେ। ଆଉ ଏଚ୍ଏମ୍ଭି ପାଇଁ ଦୁଇଟି ଗୀତ ରେକର୍ଡ କଲେ। ତା’ପରେ ଯାହା ହେଲା ତାହା ହେଉଛି ଇତିହାସ। ସେହି ଦୁଇଟି ଗୀତ ଥିଲା: ‘ନୂଆବଉ ମୋର ନୂଆବଉ/ତମର ମୋର ଦିଅର ଭାଉଜ/ଭାବ ସଦା ନୂଆ ରହିଥାଉ’ ଏବଂ ‘ସଞ୍ଜ ସଞ୍ଜୁଆ ଦିନେ ରାସ୍ତାରେ/ଝିଅଟିଏ ଚିକିମିକି ପୋଷାକରେ/କଲେଜରୁ ଫେରୁଥିଲା ବହି ହାତରେ’। ଓଡ଼ିଶା ବଜାରରେ ଆଉ ଓଡ଼ିଆ ଯୁବ-ମାନସରେ ଏହି ଦୁଇଟି ଗୀତ ଏଭଳି ରେଖାପାତ କରିଥିଲା ଯେ, ଯେଉଁ ଏଚ୍ଏମ୍ଭି ତାଙ୍କୁ ଫାଟକ ପାଖରୁ ଫେରାଇ ଦେଉଥିଲା ସେହି ଏଚ୍ଏମ୍ଭିର ସେ ପାଲଟି ଯାଇଥିଲେ ଗେହ୍ଲାପୁଅ। ସେ ଥିଲେ ଓଡ଼ିଆ ସଂଗୀତ ଜଗତର ଚିର ସବୁଜ ଗାୟକ ଶେଖର ଚନ୍ଦ୍ର ଘୋଷ। ଏହାପରେ ତାଙ୍କୁ ଆଉ ପଛକୁ ଫେରି ଚାହିଁବାର ଅବକାଶ ମିଳିନି। ‘ଲଗନ ପରେ ମଙ୍ଗନ ଆଉ ତା’ପରେ ବାହାଘର’, ‘କୁନିଲୋ ଘାଗରା ପିନ୍ଧି’, ‘ଶଙ୍ଖ ବାଜୁଛିରେ ଯୋଡ଼ି ମହୁରି ବାଜୁଛି’, ‘ବାହାବେଦି ପଛେ ନ ହେଲା ନାହିଁ’, ‘ଗୋରୀ ମୋ ଘରଣୀ ହୋଇ ଟଙ୍କିକିଆ ରସଗୋଲା ପରି ଦିଶୁଛି’, ‘ଝିପିଝିପି ବରଷାରେ, ଛପି ଛପି ତମେ ଥରେ’, ‘ସବୁଠୁ ଭଲ ସବୁଠୁ ମିଠା ଦୁନିଆରେ ଯା’ର ନାଁ’, ‘ଭାଉଜ ଯେତେ ଥିଲେ/ମତେ ତ ଘେରିଗଲେ’ ପରି ମନଛୁଅାଁ ଆଧୁନିକ ଗୀତ ଏବଂ ‘ହସୁଥାରେ ଚକାଡୋଳା ତୋର ଆଜି ରଥଯାତ୍ରା’, ‘ବଡ଼ଦାଣ୍ଡେ ମୁଁ ଡାକୁଛି ବାହୁ ମେଲେଇ’, ‘ତୋ କୈବଲ୍ୟ ପାଇଁ ମନ ଝୁରିଲା’, ‘କାଳିଆରେ ଏଇ ଭାଗ୍ୟ ମୋର ହେବ’ ଭଳି ଭାବ ରସାପ୍ଳୁତ ଭଜନ ରେକର୍ଡ କରି ସେ ଏଚ୍ଏମ୍ଭି ପାଇଁ ପାଲଟିଗଲେ ପ୍ରଥମ ପସନ୍ଦର ଗାୟକ।
୧୯୪୮ ମସିହା, ନଭେମ୍ବର ମାସ ୧୭ ତାରିଖ। ସ୍ଥାନ- ଶ୍ରୀକ୍ଷେତ୍ର ପୁରୀ। ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଘୋଷ ଓ ସ୍ୱର୍ଗତା ଲୀଲା ଘୋଷଙ୍କ କୋଳରେ ଜନ୍ମ ନିଅନ୍ତି ଶେଖର। ମା’ ଲୀଲା ଘୋଷ ଚମତ୍କାର ରବୀନ୍ଦ୍ର ସଂଗୀତ ଗାଉଥିଲେ। ମା’ଙ୍କ ପରି ବାପା ବି ଛାନ୍ଦ, ଚଉପଦୀ, ଚମ୍ପୂ ଗାଉଥିଲେ। ସଂଗୀତ ତାଙ୍କ ରକ୍ତରେ ଥିଲା। ପୁଣି ଘରେ ଥିଲା ଏକ ମର୍ଫି ରେଡିଓ। ରେଡିଓରେ ସେ ଯେଉଁ ଗୀତ ଶୁଣୁଥିଲେ ତାହାକୁ ଏକାଥରକେ ମନେ ରଖି ଅବିକଳ ଗାଇ ଦଉଥିଲେ। କଟକର ମାରୁୱାଡି ସ୍କୁଲ୍ରେ ନାଁ ଲେଖେଇଲେ ଶେଖର। ତାଙ୍କର ପଞ୍ଚମ ଶ୍ରେଣୀ ବେଳକୁ ବାଙ୍କା ବଜାରରେ ଖୋଲିଲା ‘କଳା ବିକାଶ କେନ୍ଦ୍ର’। ମାମୁ ନେଇ କଳାବିକାଶ କେନ୍ଦ୍ରରେ ନାଁ ଲେଖାଇଦେଲେ। ରାଖାଲ୍ ଚନ୍ଦ୍ର ମହାନ୍ତି କଳାବିକାଶ କେନ୍ଦ୍ରରେ ଗୀତ ଶିଖାଉ ଥାଆନ୍ତି। ରାଖାଲ୍ ମହାନ୍ତିଙ୍କ ହାତରେ ହିଁ ତାଙ୍କର ସଂଗୀତର ଖଡ଼ିଛୁଅାଁ ହୁଏ। ପରେ ନ୍ୟାସ୍ନାଲ୍ ମ୍ୟୁଜିକ୍ ଆସୋସିଏସନ୍ (ଏନ୍ଏମ୍ଏ)ରେ ସୁନନ୍ଦା ପଟ୍ଟନାୟକଙ୍କଠୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଶିଖନ୍ତି। କିଛିଦିନ ପରେ ସୁନନ୍ଦା ଓଡ଼ିଶା ଛାଡ଼ି କୋଲ୍କାତା ଚାଲିଯାଆନ୍ତି। ଗୁରୁ କ୍ଷୀତିଶ ଚନ୍ଦ୍ର ମୈତ୍ରଙ୍କଠାରୁ ସେ ଘରୋଇ ଭାବରେ ସଂଗୀତ ଶିକ୍ଷା ଜାରି ରଖନ୍ତି। ୧୯୭୦ ମସିହା। ମାତ୍ର ୨୧ ବର୍ଷ ବୟସରେ ସେ ହେଲେ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ କଳାକାର। ପାରମ୍ପରିକ ରଚନାରୁ ସେ ରେଡିଓରେ ଗାଇଥିଲେ ତାଙ୍କର ପ୍ରଥମ ଭଜନ: ‘ଛନ୍ଦାଚରଣ ମୋତେ ତାରିବ କି/କନ୍ଦାଇ କନ୍ଦାଇ କିବା ମାରିବ କି’ ଏବଂ ‘ଜପରେ ଜଗତଜନ ରାମ ଗୋବିନ୍ଦ।’ ପୁଣି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ ସେ ଗାଇଥିବା ଆଧୁନିକ ଗୀତଟି ଥିଲା- ‘ପ୍ରିୟାଗୋ ତୁମରି ଚିକୁର ଛାୟାରେ ଫୁଲଶେଯ ଦିଅ ପାତି/ଅଧରେ ମୋହରି ପ୍ରୀତିର ମଦିରା ଅଜାଡ଼ି ଦିଅଗୋ ସାଥୀ!’ ୧୯୭୭ରେ ପ୍ରଥମଥର ପାଇଁ ଚଳଚ୍ଚିତ୍ରରେ କଣ୍ଠଦାନ କଲେ ଶେଖର। ଚଳଚ୍ଚିତ୍ର ଥିଲା ‘ଆହୁତି’। ସଂଗୀତ ନିର୍ଦ୍ଦେଶକ ଥିଲେ ଅକ୍ଷୟ ମହାନ୍ତି। ‘ଆହୁତି’ରେ ଗୋଟିଏ ଗୀତ ଲେଖିଥିଲେ ଐତିହାସିକ ଡ. ମନ୍ମଥନାଥ ଦାସଙ୍କ ସହଧର୍ମିଣୀ ଡ. ରାଜଶ୍ରୀ ଦାସ। ଗୀତଟିର ଟ୍ୟୁନ୍ କରିସାରିବା ପରେ ଅକ୍ଷୟ ମହାନ୍ତି ଚିନ୍ତାକଲେ ସେ କାହା କଣ୍ଠରେ ଗୀତଟିକୁ ରେକର୍ଡ କରିବେ ଯିଏ ଗୀତଟିକୁ ଶତ ପ୍ରତିଶତ ନ୍ୟାୟ ଦେଇପାରିବ। କାରଣ ଗୀତରେ ଏକସଂଗେ ଦରକାର ଥିଲା ଲାଳିତ୍ୟ, ଗାମ୍ଭୀର୍ଯ୍ୟ, ଦରଦ, ଅଭିମାନ ଆଉ ଉଦାସଭାବର ରୁଗୁରୁଗୁ ବ୍ୟଥା। ସେ ତୁରନ୍ତ ଡକେଇ ପଠେଇଲେ ଶେଖରଙ୍କୁ। କଲିକତାର ‘ଟେକ୍ନିସିଆନ୍ ଷ୍ଟୁଡିଓ’ରେ ଗୀତ ରେକର୍ଡ ହେଉଥାଏ। ପାଣି ପିଇବା ଭଳି ସହଜ ଆଉ ସ୍ୱାଭାବିକ ଢଙ୍ଗରେ ଶେଖର ଥରକରେ ଗାଇଦେଲେ ସେ ଗୀତ। କଣ୍ଟ୍ରୋଲ୍ ରୁମ୍ରୁ ଧାଇଁ ଆସି ଅକ୍ଷୟ ତାଙ୍କୁ କୁଣ୍ଢେଇ ପକେଇଲେ। ବଡ଼ଭାଇ ତା’ ସାନଭାଇକୁ ଗେଲ କରିବା ପରି କପାଳରେ ଚୁମା ଖାଇଲେ। ଗୀତଟି ଥିଲା: ‘ସୂର୍ଯ୍ୟହେ ତୁମ ଉଦୟ ରଙ୍ଗ ମନେ ରଖିପାରି ନାହିଁ/ହେଲେ ଇନ୍ଦ୍ରଧନୁର ସ୍ୱପ୍ନ ପରାଗ ଆଜି ବି ମୁଁ ଭୁଲିନହିଁ।’
ଏଇଠୁ ଆରମ୍ଭ ହୋଇଥିଲା ଶେଖର ଘୋଷଙ୍କ ଚଳଚ୍ଚିତ୍ର ଯାତ୍ରା। ‘ମଥୁରା ବିଜୟ’, ‘ଶଙ୍ଖମହୁରି’, ‘ଭଙ୍ଗାପଥର’, ‘କାଚଘର’, ‘ଜୁଆର ଭଟ୍ଟା’, ‘ଶଙ୍ଖା ସିନ୍ଦୂର’, ‘ଜୟଦେବ’, ‘ବିଲ୍ୱ ମଙ୍ଗଳ’, ‘ସମର ସଲିମ୍ ସାଇମନ୍’ ଭଳି ବହୁ ଚଳଚ୍ଚିତ୍ରରେ କଣ୍ଠଦାନ କରି ସେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ପାଇଁ ପାଲଟିଗଲେ ଜଣେ ଚିର ସବୁଜ କଣ୍ଠଶିଳ୍ପୀ। ତାଙ୍କ କଣ୍ଠସ୍ୱର ପାଲଟିଗଲା ତରୁଣ ନାୟକଙ୍କ କଣ୍ଠସ୍ୱର। ‘ଶଙ୍ଖ ମହୁରି’ର ‘ରତନୀ ଗଜ ଗମନି/ତୁଲୋ ବନିଯା ମୋର ଘରଣୀ’, ‘ମଥୁରା ମଙ୍ଗଳ’ର ‘ଛାଡ଼ ଛାଡ଼ ମୋର ଅଞ୍ଚଳ/ଯମୁନା ଯିବି ମୁଁ ନାଗର’ ଏବଂ ‘କେତେ ବଜାଅ ବଇଁଶୀରେ ରାଧା ବୋଲି ଲୁଚି ଲୁଚିକା’, ‘ଜୟଦେବ’ର ‘ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ପୀତବସନ ବନମାଳୀ’, ‘ବଦସି ଯଦି କିଞ୍ଚିଦପି ଦନ୍ତରୁଚି କଉମୁଦୀ’, ‘କସ୍ତୁରୀ ତିଳକମ୍ ଲଲାଟ ପଟକେ ବକ୍ଷସ୍ଥଳେ କୌସ୍ତୁଭଂ’, ‘କାଚଘର’ର ‘ଝରଣା ରହିଯାରେ’ ଓ ‘ଫୁଲଟିର ରୂପ ନେଇ/ଫୁଲରେ ମହୁ କେ ଧୋଇ/ଫୁଲଟିର ରଙ୍ଗ ନେଇ ସଜାଡ଼ିଲା ତତେ କେ କହ’, ‘କସ୍ତୁରୀ’ର ‘ଫୁଲ ଫୁଟିଲା ଫୁଟି ବାସିଲା କୁହ କାହାପାଇଁ/ପ୍ରଜାପତିକୁ ପଚାର ତା’ର ଇସାରା କାହା ପାଇଁ’, ‘ଶଙ୍ଖା ସିନ୍ଦୂର’ର ‘ଏଇ ମାଟି ଆମରି ମା’ ଗୀତସବୁ ଆଜି ବି ବୟସ ନିର୍ବିଶେଷରେ ଶ୍ରୋତାଙ୍କୁ ତାରୁଣ୍ୟକୁ ଲେଉଟାଇ ନେଇଥାଏ। ଶେଖରଙ୍କ ଶେଷଫିଲ୍ମ ଥିଲା ବାସୁଦେବ ରଥଙ୍କ ନିର୍ଦ୍ଦେଶିତ ଏବଂ ଉତ୍ତମ ମହାନ୍ତି ଓ ମୁନ୍ନା ଖାଁ ଅଭିନୀତ ‘କାହ୍ନା’। ସେବା ମହାପାତ୍ରଙ୍କ ସହିତ ଏ ଫିଲ୍ମରେ ସେ ଗାଇଥିଲେ ଗୋଟିଏ ରୋମାଣ୍ଟିକ୍ ଡୁଏଟ୍ : ‘ବର୍ଷା ବର୍ଷା ବର୍ଷା ଭଲଲାଗେ ମୋତେ ବର୍ଷା!’
୧୯୭୪ରେ ସେ ହେଲେ ଏଚ୍ଏମ୍ଭିର ସ୍ୱୀକୃତିପାପ୍ତ କଳାକାର। ସେତିକିବେଳେ ଅକ୍ଷୟ ମହାନ୍ତି ଏଚ୍ଏମ୍ଭିରେ ରେକର୍ଡ କଲେ ଫକୀର ମୋହନ ସେନାପତିଙ୍କ ‘ପେଟେଣ୍ଟ ମେଡିସିନ୍’। ଯେତେବେଳେ ଅକ୍ଷୟ ମହାନ୍ତି ଏଚ୍ଏମ୍ଭି ନିକଟରେ ‘ପେଟେଣ୍ଟ୍ ମେଡିସିନ୍’ର ପ୍ରସ୍ତାବ ରଖିଲେ ସେତେବେଳେ ଏଚ୍ଏମ୍ଭି କୁହାଯାଇଥିଲା- ‘ଶେଖରଙ୍କୁ ରଖ। ସେ ଆମ କମ୍ପାନିର ଜଣେ ‘ବେଷ୍ଟ ସେଲର୍’ ଗାୟକ।’ ଅଗତ୍ୟା ‘ପେଟେଣ୍ଟ୍ ମେଡିସିନ୍’ର ‘ମକରା’ ଚରିତ୍ରରେ ଅଭିନୟ କଲେ ଶେଖର। ତାଙ୍କ କଣ୍ଠରେ ‘ମକରା’ ଚରିତ୍ରଟି ଏଭଳି ଜୀବନ୍ତ ହୋଇଉଠିଥିଲା ଯେ, ଲୋକେ ତାଙ୍କୁ ‘ମକୁ’, ‘ମକରା’ ନହେଲେ ‘ବାବୁ ମକରମ୍’ ବୋଲି ଡାକିବା ଆରମ୍ଭ କରିଥିଲେ। ‘ମକରା... ବାବୁ ଆଜ୍ଞା’ ଏହି ସଂଳାପଟି ଆଜି ବି ଛାପ ହୋଇ ରହିଛି ଓଡ଼ିଆ ଶ୍ରୋତାଙ୍କ ସ୍ମୃତିପଟଳରେ। ସତୁରୀ ଦଶକ ପରବର୍ତ୍ତୀ ଓଡ଼ିଆ ସଂଗୀତ ଦୁନିଆରେ ଏଇଭଳି ଅନେକ ରୋଚକ ଇତିହାସର ପ୍ରଚ୍ଛଦପଟ ନାୟକ ହେଉଛନ୍ତି ଶେଖର ଘୋଷ।
ଦିନକର କଥା। ଶେଖର ତାଙ୍କ ଘରର ବାରଣ୍ଡାରେ ଟହଲ ମାରୁଥାନ୍ତି। ଏତିକିବେଳେ ଘରର ଫାଟକ ନିକଟରେ ରିକ୍ସାରୁ ଓହ୍ଲାଇଲେ ଦୁଇଜଣ ତରୁଣ। ଜଣଙ୍କର ନାମ ନିଜାମ୍ ଓ ଅନ୍ୟ ଜଣକ ମହମ୍ମଦ ମୁସୀର। ନିଜାମ କହିଲେ: ‘ଦାଦା, ମୁସୀର ଗୋଟେ ଫିଲ୍ମ ପାଇଛି। ଦି’ବର୍ଷ ହେଲା ମୁଁ ଗୋଟେ ଗୀତ ଲେଖି ରଖଛି। କେଉଁଠି ଲାଗୁ ନାହିଁ। ତାକୁ କେହି ବି ନେଉ ନାହାନ୍ତି। ଜଣେ କିଏ ଯୁବବାଣୀରେ ଗାଇଛି ଯେ, ସିଏ କାମକୁ ନୁହେଁ। ମୁଁ ଭାବୁଛି ସେଇଟାକୁ ଏଇ ଫିଲ୍ମରେ ପୂରେଇଦେବି। ମୁସୀର ବି ଭଲ ସ୍ୱର କରିିଛି। ତାକୁ କେବଳ ଆପଣ ହିଁ ଗାଇବେ। ମନା କରନ୍ତୁନି।’ ସେ ଆଖିବୁଜି ଗୀତଟିକୁ ଆଗ ଦୁଇ ତିନିଥର ଶୁଣିଲେ। ତା’ପରେ କ’ଣ ଭାବିଲେ କେଜାଣି, କହିଲେ, ‘ମୁଁ ନିଶ୍ଚୟ ଗାଇବି।’ କଲିକତାରେ ସେ ଗୀତର ରେକର୍ଡିଂ ହେଲା। ସେ ଗୀତ ଶେଖର ଘୋଷଙ୍କ ପାଇଁ ପାଲଟିଗଲା ଏକ ସିଗ୍ନେଚର ସଙ୍ଗ୍! ସେ ଗୀତ ବାଜିବା ମାତ୍ରେ ଶେଖର ଘୋଷ ମନେପଡ଼ନ୍ତି। ଆଉ ଶେଖର ଘୋଷଙ୍କ କଥା ଉଠିବା ମାତ୍ରେ ସମସ୍ତଙ୍କ ପାଟିରୁ ଆପେଆପେ ସେହି ଗୀତଟି ବାହାରି ଆସେ। ‘ସମର ସଲିମ୍ ସାଇମନ୍’ ଚଳଚ୍ଚିତ୍ରର ସେହି ଗୀତଟି ଥିଲା : ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ/ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତମେ ତମେ ତମେ! ନିଜାମଙ୍କ ଭାଷାରେ ଦୁଇବର୍ଷ ତଳୁ ଲେଖାହୋଇ ଡଷ୍ଟବିନ୍ରେ ପଡ଼ିଥିବା ଗୀତଟି ଯେ ଶେଖରଙ୍କ କଣ୍ଠରେ ଜୀବନ୍ତ ହୋଇଉଠିବ ସେକଥା କିଏ କ’ଣ କେବେ କଳ୍ପନା କରିଥିଲା! ଚଳଚ୍ଚିତ୍ରଠୁ ପଲ୍ଲୀ ଗୀତ, ଭଜନଠୁ ଆଧୁନିକ- ସବୁପ୍ରକାର ଗୀତର ଚିର ସବୁଜ ଗାୟକ ଶେଖର ଘୋଷ। ତାଙ୍କ ସ୍ୱର ଭିଜେଇଦିଏ ହୃଦୟକୁ। ସେଇଥିପାଇଁ ତ ପାଞ୍ଚ ଦଶନ୍ଧି ପରେ ବି ସେ ଗାଇଥିବା ‘ଲଗନ ପରେ ମଙ୍ଗନ’, ‘ରତନି ଗଜଗମନୀ’, ‘ବାହା ବେଦୀ ପଛେ ନହେଲା ନାହିଁ’, ‘ଛାଡ଼ଛାଡ଼ ମୋର ଚଞ୍ଚଳ’, ଅଥବା ‘କେତେ ବଜାଅ ବଇଁଶୀରେ’ ଗୀତଗୁଡ଼ିକ ଶ୍ରୋତାପ୍ରାଣର ପୁଲକ ହେଇ ବଞ୍ଚିରହିଛି।