ସମସ୍ତେ ମୁଁହ ନ ଖୋଲିଲେ ଯୌନ ନିର୍ଯାତନା ବନ୍ଦ ହେବନାହିଁ : ରାଧିକା ଆପ୍‌ତେ

ମୁମ୍ବାଇ: ଯୌନ ନିର୍ଯାତନା କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୁହେଁ ବିଶ୍ୱର ପ୍ରତି ଘରେ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ବଲିଉଡ ଅଭିନେତ୍ରୀ ରାଧିକା ଆପ୍‌ତେ । “ଛୋଟ ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଜୀବନରେ ଥରେ ହେଲେ ବି ଯୌନ ନିର୍ଯାତନାର ଶିକାର ନିଶ୍ଚୟ ହେଉଛନ୍ତି।”

“ଯୌନ ନିର୍ଯାତନା କେବଳ ମହିଳାମାନଙ୍କ ସହ ନୁହେଁ ପୁରୁଷ ଏବଂ ଛୋଟ ପିଲାମାନଙ୍କ ସହ ମଧ୍ୟ କରାଯାଉଛି । ଏ ସବୁ ବଦଳିବା ନିହାତି ଦରକାର ଏବଂ ଏହା ଆମଠୁ ହିଁ ଆରମ୍ଭ ହେବା ଦରକାର। ସ୍ୱପ୍ନ ଯେତେ ବି ବଡ଼ ହେଉ ନା କାହିଁକି ଯଦି ସେ ସ୍ୱପ୍ନକୁ ପୂରା କରିବା ପାଇଁ ଆପଣକୁ ନିର୍ଯାତନା ସହିବାକୁ ପଡ଼ୁଛି ତେବେ ସେ ସବୁକୁ ନା କହିବା ଦରକାର । ଯଦି ଆପଣଙ୍କ ସହ ଏଭଳି କିଛି ଘଟୁଛି ତେବେ ଚୁପ୍‌ ନ ରହି ପାଟି ଖୋଲିବା ଦରକାର । କାରଣ ଯଦି ଜଣେ ଯୌନ ନିର୍ଯାତନା ବିରୁଦ୍ଧରେ ପାଟି ଖୋଲୁଛି ତେବେ ତାକୁ କେହି ଶୁଣିବନି । କିନ୍ତୁ ଯଦି ଏକା ସାଙ୍ଗେ ୧୦ ଜଣ ପାଟି ଖୋଲନ୍ତି ତା’ ହେଲେ ଲୋକ ଶୁଣିବା ସହିତ ବଦଳିବାକୁ ବାଧ୍ୟ ହେବେ ବୋଲି ରାଧିକା କହିଛନ୍ତି ।

ହଲିଉଡ଼ର ପ୍ରଯୋଜକ ହାର୍ଭେ ଓ୍ଵିନ୍‌ଷ୍ଟିନ୍‌ଙ୍କ ଉପରେ ଲାଗିଥିବା ଯୌନ ନିର୍ଯାତନା ଅଭିଯୋଗକୁ କେନ୍ଦ୍ର କରି ସେ ଏଭଳି କହିଥିଲେ । ଖାଲି ହଲିଉଡରେ ନୁହେଁ, ବଲିଉଡରେ ମଧ୍ୟ କାଷ୍ଟିଙ୍ଗ କାଉଚ୍‌ ଚାଲିଛି । କିନ୍ତୁ ବଲିଉଡ଼ରେ ନିଜର ସ୍ୱପ୍ନ ପୂରା କରିବା ପାଇଁ ସେମାନେ ପାଟି ଖୋଲୁ ନାହାନ୍ତି । ଯାହା ଫଳରେ କି ନିର୍ଦ୍ଦେଶକ ଏବଂ ପ୍ରଯୋଜକମାନେ ଏହାର ଫାଇଦା ଉଠାଉଛନ୍ତି । ଯଦି ଜଣେ କେହି ପାଟି ଖୋଲିବା ସହ ପୁଲିସରେ ଅଭିଯୋଗ କରନ୍ତି ତେବେ ପଇସା ଦେଇ ଅଭିଯୋଗକୁ ଚପାଇ ଦିଆଯାଉଛି । ସେଥିପାଇଁ ଯଦି ନର୍ଯ୍ୟାତନା ବିରୁଦ୍ଧରେ ଏକା ସାଙ୍ଗରେ ସମସ୍ତେ ପାଟି ଖୋଲନ୍ତି ତେବେ ସେମାନଙ୍କୁ ଦଣ୍ଡ ନିହାତି ଭାବେ ମିଳିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର