ଏକ ଲୋକପ୍ରିୟ ଇଂରେଜୀ ଆପ୍ତବାକ୍ୟ ହେଉଛି- ‘ଇଟ୍ ଟେକ୍ସ ଏ ଭିଲେଜ ଟୁ ରେଜ୍ ଏ ଚାଇଲ୍ଡ’ ଅର୍ଥାତ୍ ଗୋଟିଏ ଶିଶୁ ବଡ଼ ହେବା ପାଇଁ ସମଗ୍ର ଗାଁର ଉଦ୍ୟମ ଲୋଡ଼ିଥାଏ। ଏହି ଆପ୍ତବାକ୍ୟଟିକୁ ସାମାନ୍ୟ ବଦଳାଇଦେଲେ ‘ସିତାରେ ଜମିନ୍ ପର୍’ର ବାର୍ତ୍ତାଟି ଏହିପରି ହେବ- ଗାଁର ପ୍ରୌଢ଼ମାନେ ବି ଶିଶୁ(ଓ ଭିନ୍ନକ୍ଷମ)ଙ୍କଠାରୁ ଶିଖି ବଡ଼ ହେବାର ଅେନକ ଅବକାଶ ରହିଛି। ଭବିଷ୍ୟଦ୍ରଷ୍ଟା ଲେଖକ ଆଲ୍ଭିନ୍ ଟଫ୍ଲର୍ଙ୍କ ଏକ ପ୍ରସିଦ୍ଧ ଉକ୍ତିର ସାରମର୍ମ ହେଲା ତଥାକଥିତ ଶିକ୍ଷା ହାସଲ କରିବା ପରେ ଯେଉଁ ଚକ୍ର ଦେଇ ଯିବା ପରେ ଜଣେ ବାସ୍ତବ ଶିକ୍ଷିତ ବୋଲି କୁହାଯିବ ତାହା ହେଲା- ‘ଲର୍ନ, ଅନ୍ଲର୍ନ ଆଣ୍ଡ୍ ରିଲର୍ନ’। (ଶିଖିବା, ଶିଖିଥିବା ଭୁଲ୍ ଜିନିଷକୁ ପରିତ୍ୟାଗ କରି ପୁଣି ନୂଆ କଥା ଶିଖିବା।) ‘ନ୍ୟୁରୋଡାଇଭର୍ଜେଣ୍ଟ’ ବା ମାନସିକ କ୍ଷମତାରେ ବିବିଧତା ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ‘ପାଗଳ’ ବିଚାର କରୁଥିବା ଗୁଲସନ (ଆମିର ଖାଁ) ଚରିତ୍ର ପରି ସମସ୍ତେ ଏହି ସିନେମା ଶେଷ ହେବା ବେଳକୁ ‘ନର୍ମାଲ’ (ସାଧାରଣ)ର ଏକ ଯଥାର୍ଥ ସଂଜ୍ଞା ବୁଝିପାରିବା ସୁନିଶ୍ଚିତ। ଏହା ଦର୍ଶକକୁ ଶିଖିବାର ଉପରୋକ୍ତ ଚକ୍ର ଦେଇ ସାବଲୀଳ ଭାବେ ଅଗ୍ରସର କରାଇଥାଏ। କେବଳ ଏହି ଦୃଷ୍ଟିରୁ ସମସ୍ତଙ୍କୁ ‘ସିତାରେ ଜମିନ୍ ପର୍’ ଦେଖିବା ଲାଗି ସୁପାରିସ କରାଯାଇପାରେ।
ଏହି ସିନେମାଟି ହେଉଛି ସତ ଘଟଣା ଉପରେ ଆଧାରିତ ସ୍ପାନିସ୍ ଚଳଚ୍ଚିତ୍ର ‘ଚାମ୍ପିଅନ୍’ (୨୦୧୮)ର ରିମେକ୍ ତଥା ଅନୁରୂପ ବାର୍ତ୍ତା ସହ ୨୦୦୭ରେ ମୁକ୍ତିଲାଭ କରିଥିବା ଆମିରଙ୍କ ‘ତାରେ ଜମିନ୍ ପର୍’ର ପରବର୍ତ୍ତୀ ଭାଗ। ଆମିରଙ୍କ ପୂର୍ବ ଚଳଚ୍ଚିତ୍ର ‘ଲାଲ ସିଂହ ଚଢ଼ା’ ଏକ ପ୍ରସିଦ୍ଧ ହଲିଉଡ୍ ସିନେମାର ରିମେକ ଭାବେ ତାହାର ବେଖାପ ଅନୁକରଣ ପାଇଁ ସମାଲୋଚିତ ହୋଇଥିଲା। ତେବେ ‘ସିତାରେ ଜମିନ୍ ପର୍’ରେ କାହାଣୀଟି ଭାରତୀୟ ବୋଲି ଗ୍ରହଣ କରିବାରେ ସମସ୍ୟା ହୁଏ ନାହିଁ। ଆମିରଙ୍କ ଚରିତ୍ର ଜଣେ ବଦ୍ରାଗୀ କୋଚ୍ର ହୋଇଥିବାରୁ ସିନେମାଟି ଦେଖିବା ବେଳେ ସବୁତକ ଧ୍ୟାନ ଆମିରଙ୍କ ଆଡ଼କୁ ଯେମିତି ଆକର୍ଷିତ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି, ଯଦିଓ ତାହା ସଂପୂର୍ଣ୍ଣ ସଫଳ ହୋଇନାହିଁ।
କାହାଣୀରେ ବାସ୍କେଟ୍ବଲ୍ ପ୍ରଶିକ୍ଷକ ଗୁଲସନ ମଦ୍ୟପାନ କରି ଦୁର୍ଘଟଣା ଘଟାଇବା ପରେ ଦଣ୍ଡ ସ୍ବରୂପ ଏକ ଭିନ୍ନକ୍ଷମ ବାସ୍କେଟ୍ବଲ୍ ଦଳକୁ ତିନି ମାସ ପାଇଁ ପ୍ରଶିକ୍ଷିତ କରିବାକୁ ବିଚାରପତି ଆଦେଶ ଦେଉଛନ୍ତି। ଏହା ପରେ ବିଭିନ୍ନ ପ୍ରକାର ସିଣ୍ଡ୍ରୋମ୍ ଥିବା ଚରିତ୍ରଙ୍କୁ ପ୍ରଶିକ୍ଷିତ କରିବା ବେଳେ ସେ ବିତୃଷ୍ଣାରୁ ଆରମ୍ଭ କରି ଆତ୍ମଆବିଷ୍କାର ପର୍ଯ୍ୟାୟ ଦେଇ ନିଜେ ନିଜ ବିଷୟରେ ଅନେକ କିଛି ଶିଖିବାର ପ୍ରକ୍ରିୟା ଦେଇ ଗତି କରୁଛି (ଯେଉଁମାନେ ନ୍ୟୁରୋଡାଇଭର୍ଜେଣ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସଚେତନ ସେମାନଙ୍କୁ ଏହି ସିନେମାର ଅନେକ ଅଂଶ ପ୍ରବଚନଧର୍ମୀ ଲାଗିପାରେ।) ଏସବୁ ଭିତରେ ଗୁଲସନ ନିଜ କମ୍ ଉଚ୍ଚତା, ଦାମ୍ପତ୍ୟ ସମସ୍ୟା, ପିତା ହେବାର ଭୟ, ମାଆଙ୍କ ବଏଫ୍ରେଣ୍ଡ ଆବିଷ୍କାର କରିବା ଆଦି ବିଷୟରେ ଆତ୍ମସଚେତନ ହେଉଛି ଏବଂ ନିଜ ସମ୍ପର୍କ ଓ ବ୍ୟକ୍ତିତ୍ବରେ ଥିବା ସମସ୍ୟାଗୁଡ଼ିକୁ ସମାଧାନ କରୁଛି। ସିନେମାର ହାସ୍ୟରସ ମଧ୍ୟମ ସ୍ତରର।
ସୁନୀତା (ଗୁଲସନର ପତ୍ନୀ) ଚରିତ୍ରରେ ଜେନେଲିଆ ଦେଶମୁଖଙ୍କ ଅଭିନୟ ଭଲ ହୋଇଥିଲେ ବି ତାଙ୍କୁ ଏହି କାହାଣୀରେ ଦକ୍ଷତା ପ୍ରଦର୍ଶନର ବିଶେଷ ସୁଯୋଗ ମିଳିନାହିଁ। ଏହି ସିନେମାର ସବୁଠାରୁ ପ୍ରଶଂସନୀୟ ଦିଗ ହେଉଛି ଏଥିରେ ମାନସିକ ଭିନ୍ନକ୍ଷମ ଚରିତ୍ରରେ ଅଭିନୟ କରିଥିବା ସମସ୍ତ ଅଭିନେତା ହେଉଛନ୍ତି ଭିନ୍ନକ୍ଷମ। ଶଙ୍କର-ଏହଶାନ-ଲୟଙ୍କ ନିର୍ଦେଶନାରେ ସିନେମାର ଚାରିଟି ଗୀତ କାହାଣୀ ସହ ଚମତ୍କାର ଭାବେ ଖାପ ଖାଇଥାଏ। ସେହିପରି ରାମ ସମ୍ପଥଙ୍କ ପୃଷ୍ଠଭୂମି ସଂଗୀତକୁ ଖୁବ୍ ସଂଯମ ଭାବେ ପ୍ରୟୋଗ କରାଯାଇଛି, ଯାହା ଦର୍ଶକଙ୍କ ଭାବାବେଗକୁ କେବଳ ସଂଳାପ ଓ ଅଭିନୟ ଦ୍ବାରା ନିୟନ୍ତ୍ରିତ ହେବାର ଅବସର ପ୍ରଦାନ କରିଥାଏ। ‘ତାରେ ଜମିନ୍ ପର୍’ ଓ ‘ସିତାରେ ଜମିନ୍ ପର୍’ ମଧ୍ୟରେ ତୁଳନା କଲେ ପ୍ରଥମଟି ମୌଳିକତା ଦୃଷ୍ଟିରୁ ଉତ୍କୃଷ୍ଟ ହୋଇଥିବା ବେଳେ ‘ସିତାରେ ଜମିନ୍ ପର୍’ ନିଜର ନାମକୁ ଅଧିକ ଯଥାର୍ଥତା ପ୍ରଦାନ କରିଥାଏ।
‘ସିତାରେ ଜମିନ୍ ପର୍’
ନିର୍ଦେଶକ: ଆର୍. ଏସ୍. ପ୍ରସନ୍ନ
ମୁଖ୍ୟ ଚରିତ୍ରରେ: ଆମିର ଖାଁ, ଜେନେଲିଆ ଦେଶମୁଖ