ଓଡ଼ିଆ ସିନେମାରେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିବା ପରେ ଏବେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ମାନସ ପଢ଼ିଆରୀ। ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଛବି ‘ଛକି ଶୂନ’ରୁ ସେ ନିର୍ଦ୍ଦେଶନା କ୍ୟାରିୟର୍‌ ଆରମ୍ଭ କରୁଛନ୍ତି। ନବୀନ ଭଣ୍ଡାରୀ, ଜାଗୃତି ଏ ମହାନ୍ତି ଓ ଶୁଭମ୍‌ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଥିବା ବେଳେ  କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ମାନସ। ‘ଛକି ଶୂନ’ର ସିନେମାଟୋଗ୍ରାଫି ଦାୟିତ୍ବ ଦୀପକ କୁମାରଙ୍କ କାନ୍ଧରେ ଥିବା ବେଳେ ଶକ୍ତିସ୍ବରୂପ ଦ୍ବିବେଦୀ ସାଉଣ୍ଡ୍‌ ଡିଜାଇନ୍‌ କରିବେ। ଏହାର ନାୟିକା ଓ ଅନ୍ୟ କଳାକାରମାନଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା ହେବ। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଫିଲ୍ମ ଫ୍ଲୋର୍‌କୁ ଯିବ ବୋଲି ସୂଚନା ରହିଛି। 

Advertisment

ମାନସ ପ୍ରଥମେ ପ୍ରଖ୍ୟାତ ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ‘ସେଲ୍‌ଫିସ୍ ଦିଲ୍’ ଫିଲ୍ମରେ ସଂଳାପ ଲେଖିବାର ସୁଯୋଗ ପାଇଥିଲେ। ପରେ ସେ ପୃଥ୍ବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଗୁପ୍‌ଚୁପ୍’, ରାଜା ଡିଙ୍କ ନିର୍ଦ୍ଦେଶିତ ‘ପ୍ରସ୍ଥାନମ୍’ ଓ ‘ଆଶିକ୍ ସରେଣ୍ଡର୍ ହେଲା’, ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ‘କୁହୁଡ଼ି’, ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତ୍ରିକନ୍ୟା’ ଓ ‘କର୍ମ’ ଏବଂ ମୁକ୍ତି ପ୍ରତୀକ୍ଷାରେ ଥିବା ସାଇକିରଣ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ‘ଚ୍ୟାଲେଞ୍ଜ୍‌’ ଆଦି ଛବିରେ ସ୍କ୍ରିପ୍ଟ ରାଇଟର୍ ଭାବେ କାର୍ଯ୍ୟ କରିଛନ୍ତି। ପ୍ରାୟ ୧୬ ମାସ ତଳେ ଶ୍ରୀ ପଢ଼ିଆରୀ ଏକ ସାକ୍ଷାତ୍‌କାର‌େର ସେ ଖୁବ୍‌ ଶୀଘ୍ର ନିର୍ଦ୍ଦେଶନାକୁ ଓହ୍ଲାଇବେ ବୋଲି ‘ସିନେ ସମ୍ବାଦ’କୁ ସୂଚନା ଦେଇଥିଲେ।