ବିଫଳ ଛାତ୍ରୀ, ସଫଳ ଅଭିନେତ୍ରୀ

ବେଳେ ବେଳେ ଗୋଟିଏ କ୍ଷେତ୍ରର ବିଫଳତା ଜଣଙ୍କ ପାଇଁ ଅନ୍ୟ କ୍ଷେତ୍ରର ଚରମ ସଫଳତା ଭାବେ ଉଭା ହୋଇଥାଏ। ଅଭିନେତ୍ରୀ ଶିଳ୍ପା ସିନ୍ଦେଙ୍କ କ୍ଷେତ୍ରରେ ସେପରି କିଛି ଘଟିଛି। ଶିକ୍ଷାକ୍ଷେତ୍ରରେ ଶ୍ରେଷ୍ଠତ୍ବ ହାସଲ ପାଇଁ ନିଜ ପିତାଙ୍କ ସ୍ବପ୍ନ ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଶିଳ୍ପା କିନ୍ତୁ ଅଭିନୟରେ ନିଜସ୍ବ ପରିଚୟ ସୃଷ୍ଟି କରିପାରିଛନ୍ତି। ମୁମ୍ବାଇରେ ଏକ ରକ୍ଷଣଶୀଳ ମରାଠୀ ପରିବାରରେ ୧୯୭୭ ଅଗଷ୍ଟ ୨୮ ତାରିଖରେ ଜନ୍ମିତ ଶିଳ୍ପାଙ୍କ ପିତା ହାଇକୋର୍ଟର ଜଣେ ବିଚାରପତି ଥିଲେ। ପ୍ରଥମେ ମନସ୍ତତ୍ତ୍ବ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିବାରେ ଅକୃତକାର୍ଯ୍ୟ ହେବା ପରେ ଶିଳ୍ପାଙ୍କୁ ଆଇନ ଶାସ୍ତ୍ରରେ ଜୀବନ ଗଢ଼ିବା ପାଇଁ ତାଙ୍କ ପିତା ଇଚ୍ଛା କରିଥିଲେ। ମାତ୍ର ଶିଳ୍ପା ତାହା ମଧ୍ୟ କରିବାରେ ବିଫଳ ହୋଇଥିଲେ। ତେବେ ଅଭିନୟ ପ୍ରତି ଆଦୌ ଦୁର୍ବଳତା ନଥିବା ଶିଳ୍ପା ଶେଷରେ ଅନନ୍ୟୋପାୟ ହୋଇ ନିଜ ସୁଠାମ ଚେହେରାକୁ ପୁଞ୍ଜି କରି ଗ୍ଲାମର ଜଗତ୍‌ରେ ପାଦ ଦେବା ପାଇଁ ମନ ବଳାଇଥିଲେ। ୧୯୯୯ରେ ସେ ଟିଭି ଅଭିନୟରେ ପ୍ରଥମ ପଦାର୍ପଣ କରିଥିଲେ ହେଁ ୨୦୦୨ର ଧାରାବାହିକ ‘ଭାବୀ’ ପାଇଁ ଲୋକଲୋଚନକୁ ଆସିଥିଲେ। ଅବଶ୍ୟ ୨୦୦୧ରେ ତାଙ୍କ ଅଭିନୀତ ‘କଭି ଆୟେ ନା ଜୁଦାୟି’ ଓ ୨୦୦୨ର ‘ସଞ୍ଜୀବନୀ’ ଧାରାବାହିକ କିଛିମାତ୍ରାରେ ଦର୍ଶକୀୟ ସ୍ବୀକୃତି ଅଜାଡ଼ି ତାଙ୍କୁ ଉତ୍ସାହିତ କରିଥିଲା।

ସେହିପରି ୨୦୦୨ରେ ‘ଆମ୍ରପଲି’ରେ ତାଙ୍କ ଅଭିନୀତ ମୁଖ୍ୟ ଚରିତ୍ର ତାଙ୍କୁ ଆଶାତୀତ ଭାବେ ଲୋକପ୍ରିୟ କରାଇଥିଲା। ଏହି ଅବସରରେ ‘ଛିନା’ ଓ ‘ଶିବାନି’ ପରି ଦୁଇ ଦୁଇଟି ତେଲୁଗୁ ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ ହେଁ ତାଙ୍କୁ ସେଭଳି ସଫଳତା ମିଳିନଥିଲା। ତେଣୁ ସେ ସିନେମା କଥା ଭୁଲିଯାଇ ଟିଭି ଧାରାବାହିକକୁ ହିଁ ଜାବୁଡ଼ି ଧରିଲେ ଯାହା ତାଙ୍କୁ ଉଭୟ ସ୍ବୀକୃତି ଓ ଖ୍ୟାତି ଯୋଗାଇଥିଲା। ପଛକୁ ପଛ ‘ତୁମ୍‌ ବିନ୍‌ ଯାଉଁ କହାଁ’, ‘ଆନ୍ଧି’, ‘ଆଵାଜ-ଦିଲ୍‌ ସେ ଦିଲ୍‌ ତକ’, ‘ହାତିମ୍‌’ ଓ ‘ମିସ୍‌ ଇଣ୍ଡିଆ’ ଆଦି ଧାରାବାହିକରେ ତାଙ୍କର ବହୁମୁଖୀ ଭୂମିକା ଦର୍ଶକ ମହଲରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା। ଯଦିଓ ନିଜର ଅଭିନୟ ଦକ୍ଷତା ପାଇଁ ସେ ସେଭଳି କୌଣସି ଜାତୀୟ ସ୍ତରୀୟ ସମ୍ମାନ ହାସଲ କରିପାରିନାହାନ୍ତି, ତେବେ ‘ଚିଡ଼ିୟା ଘର’, ‘ସାବଧାନ ଇଣ୍ଡିଆ’, ଓ ‘ଦୋ ଦିଲ ଏକ ଜାନ’ ଆଦି ଧାରାବାହିକ ତାଙ୍କୁ ତିଷ୍ଠି ରହିବା ପାଇଁ ଖୋରାକ ଯୋଗାଇବା ସହ ହାସ୍ୟରସାତ୍ମକ ଧାରାବାହିକ ‘ଭାବୀ ଜୀ ଘର ପର ହୈ’ରେ ତାଙ୍କର ପୋଖତ ଅଭିନୟ ଦର୍ଶକଙ୍କୁ ଦୁଇ ବର୍ଷ ଧରି ମତୁଆଲା କରିଦେଇଥିଲା। ସେହିପରି ‘ବିଗ୍‌ ବସ-୧୧’ର ବିଜୟିନୀ ହୋଇ ମଧ୍ୟ ସେ ପ୍ରଶଂସକମାନଙ୍କୁ ମୁଗ୍ଧ କରି ରଖିଥିଲେ। ଏହିପରି ଭାବେ ଶିଳ୍ପା ଅଦ୍ୟାବଧି ତିରିଶରୁ ଅଧିକ ଧାରାବାହିକ ସମେତ ତିନି ତିନିଟି ୱେବ୍‌ ଧାରାବାହିକରେ ମଧ୍ୟ ନିଜର କମାଲ୍‌ ଦେଖାଇ ପାରିଛନ୍ତି।

ସମ୍ବନ୍ଧିତ ଖବର