ରେଡିଓ ଦୁନିଆରେ ସ୍ବରର ଯାଦୁଗର ଭାବେ ଲୋକପ୍ରିୟ ଅମୀନ ସୟାନୀଙ୍କ ଦେହାନ୍ତ

ମୁମ୍ବାଇ: ରେଡିଓ ଦୁନିଆରେ ସ୍ବରର ଯାଦୁଗର ଭାବେ ଲୋକପ୍ରିୟ ଅମୀନ ସୟାନୀଙ୍କ ଦେହାନ୍ତ। ମୃତ୍ୟୁବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି ପୁଅ ରଜିଲ ସୟାନୀ।

ରଜିଲଙ୍କ କହିବା ମୁତାବକ, ବାପା ଅମୀନ ସୟାନୀଙ୍କ ହୃଦଘାତ ହେବାରୁ ତାଙ୍କୁ ଏଚ୍ ଏନ ରିଲାଏନ୍ସ ହସ୍ପିଟାଲା‌ରେ ଭର୍ତ୍ତି କରିବାକୁ ନେଇଥିଲୁ। ହେଲେ ଅଧା ବାଟରେ ତାଙ୍କର ଦେହାନ୍ତ ହୋଇଥିଲା। ପରିବାରର କିଛି ସଦସ୍ୟ ଓ ସମ୍ପର୍କୀୟ ଶେଷ ଦର୍ଶନ ପାଇଁ ଆସୁଥିବାରୁ ଅସନ୍ତାକାଲି ବାପାଙ୍କର ଅନ୍ତିମ ସଂସ୍କାର ହେବ।

ଅମୀନ ସାୟାନୀ ୨୧ ଡିସେମ୍ବର ୧୯୩୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ରେଡିଓ ଜଗତରେ ଅମୀନ ସାୟାନୀ ଏକ ବଡ ନାମ ଅର୍ଜନ କରିଥିଲେ। ତାଙ୍କ ସ୍ୱରର ଯାଦୁ ଲୋକମାନଙ୍କ ହୃଦୟରେ ଘର କରିପାରିଥିଲା। ମୁମ୍ବାଇର ଅଲ ଇଣ୍ଡିଆ ରେଡିଓରୁ ରେଡିଓ ଉପସ୍ଥାପକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଅମୀନ ସାୟାନୀ। ତାଙ୍କ ଭାଇ ହମିଦ ସାୟାନି ତାଙ୍କୁ ଏଠାରେ କାମ କରିବାର ସୁଯୋଗ ଦେଇଥିଲେ। ସେ ଏଠାରେ ୧୦ବର୍ଷ ପାଇଁ ଇଂରାଜୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହା ପରେ ସେ ଅଲ ଇଣ୍ଡିଆ ରେଡିଓକୁ ଭାରତରେ ଲୋକପ୍ରିୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ରେଡିଓ ସହ ଅମୀନ ସାୟାନୀ ଅନେକ ଚଳଚ୍ଚିତ୍ରରେ ମଧ୍ୟ ରେଡିଓ ଉପସ୍ଥାପକ ଭାବରେ ଅଭିନୟ କରିଥିଲେ, ଯେଉଁଥିରେ ଭୂତ୍ ବଙ୍ଗଲା, ତୀନ୍ ଦେବିୟାଁ, ବକ୍ସର ଏବଂ କତ୍ଲ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ସୟାନୀ ୫୦ହଜାରରୁ ଅଧିକ ରେଡିଓ କାର୍ଯ୍ୟକ୍ରମର ପ୍ରଯୋଜନା କରିବା ସହ ଭଏସଓଭର ମଧ୍ୟ ଦେଇଥିଲେ। ପ୍ରାୟ ୧୯୦୦୦ ଜିଙ୍ଗଲ୍ସରେ ସ୍ୱର ଦେଇ ସେ ନିଜ ନାମ ଲିମକା ବୁକ୍ ଅଫ୍ ରେକର୍ଡରେ ପଞ୍ଜିକୃତ କରାଇଥିଲେ।

ସମ୍ବନ୍ଧିତ ଖବର