ଶେଷ ସମ୍ମାନ ଦେବା ଅପେକ୍ଷାରେ ହଜାର ହଜାର ପ୍ରଶଂସକ, ବିଳମ୍ବିତ ରାତ୍ରୀରେ ପହଞ୍ଚିବ ପାର୍ଥିବ ଶରୀର

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ଦୁବାଇରେ ହୋଇଥିବା ବେଳେ ଆଜି ୮ଟା ସୁଦ୍ଧା ତାଙ୍କ ପାର୍ଥିବ ଶରୀର ଆସି ମୁମ୍ବାଇରେ ପହଞ୍ଚିବ ବୋଲି ସୂଚନା ରହିଛି। ଏ ନେଇ ଶ୍ରୀଦେବୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଶ୍ରୀଦେବୀଙ୍କୁ ଶେଷ ସମ୍ମାନ ଦେବା ପାଇଁ ହଜାର ହଜାର ପ୍ରଶଂସକ ଅପେକ୍ଷା କରି ରହିଛନ୍ତି। ସେପଟେ ଦୁବାଇରେ ରହିଥିବା ଭାରତୀୟ ଦୂତବାସ କର୍ମଚାରୀ ଶ୍ରୀଦେବୀଙ୍କ ମର ଶରୀର ନିକଟରେ ପହଞ୍ଚି ପରିବାର ବର୍ଗଙ୍କୁ ସାହାଯ୍ୟ କରୁଛନ୍ତି।

 

ସୂଚନା ମୁତାବକ, ଏହାକୁ ଏକ ସ୍ୱାଭାବିକ ମୃତ୍ୟୁ ବୋଲି ଘୋଷଣା କରାଯାଇଥିବା ହେତୁ ଶ୍ରୀଦେବୀଙ୍କ ଶରୀର ବ୍ୟବଚ୍ଛେଦ ହେବ କି ନାହିଁ ତାହା ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ଶ୍ରୀଦେବୀଙ୍କର ପୂର୍ବରୁ ହୃଦୟ ରୋଗ ନଥିଲା ବୋଲି ପରିବାର ଲୋକଙ୍କ ମୁହଁରୁ ଜାଣିବାକୁ ମିଳିଛି। ତେବେ ଫରେନ୍‌ସିକ୍‌ ଲ୍ୟାବ୍‌ ରିପୋର୍ଟ ହସ୍ତଗତ ହେବା ପରେ ହିଁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରାଯିବ। ଜାଣିବାକୁ ମିଳିଛି ଯେ ଶୀଦେବୀଙ୍କ ମୃତଶରୀରକୁ ବର୍ତ୍ତମାନ ଦୁବାଇର ପୁଲିସ୍‌ ହେଡ୍‌ କ୍ୱାର୍ଟରରେ ଶବ ସଂରକ୍ଷାଳୟ(ମର୍ଗ)ରେ ରଖାଯାଇଛି। ଦୁବାଇର ଏହି ମର୍ଗ ସାମ୍ନାରେ ଦୁବାଇରେ ଥିବା ଶ୍ରୀଦେବୀଙ୍କର ଅଗଣତି ପ୍ରଶଂସକ ତାଙ୍କୁ ଶେଷ ଥର ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି। ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଜେଟ୍‌ ଦ୍ୱାରା ଶ୍ରୀଦେବୀଙ୍କୁ ରାତି ୮ଟା ସମୟରେ ମୁମ୍ବାଇ ଅଣାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର