ଆଇଭିଏଫ୍ ଜରିଆରେ ମା’ ହେବାକୁ ନେଇ ଫରାହଙ୍କ ଖୋଲା ଚିଠି

ପ୍ରଖ୍ୟାତ କୋରିଓଗ୍ରାଫର ତଥା ଚଳଚ୍ଚିତ୍ର ନିର୍ମାତା ଫରାହ ଖାନ୍‌ ୪୩ ବର୍ଷ ବୟସରେ ଆଇଭିଏଫ୍ (ଇନ୍‌ଭିକ୍ଟ୍ରୋ ଫର୍ଟିଲା‌ଇଜେସନ୍‌) ଜରିଆରେ ମା’ ହେବାର ନିଷ୍ପତ୍ତି ନେଇଥିଲେ। ଆଇଭିଏଫ୍‌ ଜରିଆରେ ସେ ନିଜ ତିନି ସନ୍ତାନ ଅନ୍ୟା, କଜାର ଓ ଡିବାଙ୍କୁ ଜନ୍ମ ଦେଇଥିଲେ। ଫରାହ ତାଙ୍କ ଏହି ନିଷ୍ପତ୍ତି ସଂପର୍କରେ ସାମାଜିକ ଗଣମାଧ୍ୟମରେ ଏକ ଖୋଲା ଚିଠି ନିଜ ପ୍ରଶଂସକମାନଙ୍କ ପାଇଁ ଲେଖିଛନ୍ତି। ସେ ଲେଖିଛନ୍ତି, ଜଣେ ଝିଅ, ସ୍ତ୍ରୀ ଓ ମା’ ହିସାବରେ ମତେ ଗୁଡ଼ାଏ ନିଷ୍ପତ୍ତି ନେବାର ଥିଲା। ଯେତେବେଳେ ମୋତେ ଲାଗିଲା କି ମୁଁ ଠିକ୍‌ ଅଛି, ସେତେବେଳେ ମୁଁ ମୋ ଭିତରର ସ୍ବରକୁ ଶୁଣିଛି ଓ ତାକୁ ନେଇ ଆଗକୁ ବଢ଼ିଛି। ଲୋକ କ’ଣ ଭାବି‌ବେ, ସେଥିପ୍ରତି ଚିନ୍ତା କରି ଆମେ ଅଧିକାଂଶ ସମୟରେ ବହୁତଗୁଡ଼ାଏ କାମ କରିପାରୁନା। କିନ୍ତୁ ଆମେ ଭୁଲି ଯାଉ ଯେ ଏହା ଆମ ଜୀବନ ଓ କିଛି ବି ନିଷ୍ପତ୍ତି ନେବାର ଅଧିକାର ଆମର ରହିଛି। ମୋର ସେହି ନିଷ୍ପତ୍ତି କାରଣରୁ ହିଁ ତିନି ସନ୍ତାନଙ୍କ ମା’ ଭାବେ ଆଜି ମୁଁ ଗର୍ବିତ। ମା’ ହେବା ପାଇଁ ପ୍ରସ୍ତୁତ ଅଛି ବୋଲି ଅନୁଭବ କରିବା ପରେ ହିଁ ମାତୃତ୍ବ ଲାଭ କଲି; ସେତେବେଳେ ନୁହେଁ, ସମାଜ ମୋଠାରୁ ଯେବେ ମାତୃତ୍ବ ଆଶା କରୁଥିଲା। ମୋତେ ଏଥିରେ ସାହାଯ୍ୟ କରିଥିବାରୁ ଚିକିତ୍ସା ବିଜ୍ଞାନକୁ ଧନ୍ୟବାଦ।

ସମ୍ବନ୍ଧିତ ଖବର