ଫରହାନ୍-ଶିବାନୀ ଶୁଭ ପରିଣୟ

ଆଉ କିଛିଦିନ ଭିତରେ ପରସ୍ପରଙ୍କ ହାତ ଧରିବେ ଅଭିନେତା ଫରହାନ୍ ଅଖ୍‌ତର ଓ ଅଭିନେତ୍ରୀ ଶିବାନୀ ଦାଣ୍ଡେକର। ଗତବର୍ଷ ବଡ଼ ପରଦା ଓ ଛୋଟ ପରଦାର କେତେଜଣ ନାମୀ କଳାକାର ବିବାହ ବନ୍ଧନରେ ଆବଦ୍ଧ ହେଇଥିଲେ। ସେମାନଙ୍କ ମଧ୍ୟରେ ମୌନୀ ରାୟ-ସୂରଜ ନାମ୍ବିଆର, କ୍ୟାଟ୍ରିନା କୈଫ୍-ଭିକ୍କି କୌଶଲ୍‌ ଯୋଡ଼ି ଥିଲେ ଅନ୍ୟତମ। ଏବର୍ଷ ଆରମ୍ଭରୁ କିନ୍ତୁ ଚର୍ଚ୍ଚାକୁ ଆସିଛି ଜାଭେଦ ଅଖ୍‌ତରଙ୍କ ପୁଅ ଫରହାନ୍ ଓ ଶିଭାନୀଙ୍କ ବିବାହ ପ୍ରସଙ୍ଗ। ଗଣମାଧ୍ୟମରେ ଏ ଦୁହିଁଙ୍କ ବିବାହ ପ୍ରସଙ୍ଗରେ ଭିନ୍ନ ଭିନ୍ନ ରୋଚକ ତଥ୍ୟ ପ୍ରକାଶ ପାଇବାରେ ଲାଗିଛି। ଦୀର୍ଘ ତିନି ବର୍ଷ ହେଲା ଏ ଦୁହେଁ କୁଆଡ଼େ ଡେଟିଙ୍ଗ୍ କରୁଥିଲେ। ଶୁଣାଯାଉଛି ଚଳିତ ମାସ ୨୧ ତାରିଖରେ ମହାରାଷ୍ଟ୍ରର ଖଣ୍ଡାଲାଠାରେ ଉଭୟ ପରିବାରର ସଦସ୍ୟ ଏବଂ କିଛି ନିକଟ ସମ୍ପର୍କୀୟଙ୍କ ଗହଣରେ ଫରହାନ୍-ଶିବାନୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଫରହାନ୍ ଏହା ପୂର୍ବରୁ ହେୟାରଷ୍ଟାଇଲିଷ୍ଟ ଅଧୁନା ଭବାନୀଙ୍କୁ ବିବାହ କରିଥିଲେ। ଫରହାନ୍ ଓ ଅଧୁନାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି। ରାକେଶ ଓମ୍‌ପ୍ରକାଶଙ୍କ ଚଳଚ୍ଚିତ୍ର ‘ତୋଫାନ୍’ ଥିଲା ଫରହାନ୍‌ଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର। ଆଗକୁ ଆସୁଛି ଫରହାନ୍‌ଙ୍କ ଅଭିନୀତ ‘ଜି ଲେ ଜରା’। ଏଥିରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ୍ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି।

ଏହା ପୂର୍ବରୁ ‘ଦିଲ୍ ଚାହତା ହୈ’, ‘ଲକ୍ଷ୍ୟ’, ‘ହନିମୁନ୍ ଟ୍ରାଭେଲ୍‌ସ ପ୍ରାଇଭେଟ୍ ଲିମିଟେଡ୍’, ‘ରକ୍ ଅନ୍, ‘ଲକ୍ ବାଇଚାନ୍‌ସ’, ‘ଦିଲ୍ ଧଡକ୍‌ନେ ଦୋ’, ‘ଡାଡି’, ‘କେ.ଜି.ଏଫ୍. ଚାପ୍ଟର ୱାନ୍’ ପରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମିତି ଶିବାନୀ ମଧ୍ୟ ମରାଠୀ ସିନେମା ‘ଟାଇମ୍‌ପାସ୍’ ଓ ହିନ୍ଦୀ ସିନେମା ‘ସଂଘର୍ଷ’ର ଗୋଟିଏ ଗୋଟିଏ ଗୀତଦୃଶ୍ୟରେ ଅଭିନୟ କରିଥିଲେ। ଏହା ବ୍ୟତୀତ ରୟ, ଶାନ୍‌ଦାର, ସୁଲ୍‌ତାନ, ଜରା ପଟେଲରେ ସେ ଅଭିନୟ କରିଛନ୍ତି। ଶିବାନୀଙ୍କର ବଡ଼ ପରିଚୟ ହେଲା ଟେଲିଭିଜନ୍‌ରେ ପ୍ରଦର୍ଶିିତ କିଛି ଲୋକପ୍ରିୟ ରିୟାଲିଟି ସୋ’ର ସେ ଉପସ୍ଥାପିକା। ଏଇ ଯେମିତି ‘ନମସ୍ତେ ଆମେରିକା’, ‘ଭି ଦେଶୀ’, ‘ଆଫ୍ଟର ଆୱାର୍ସ’, ‘ଲେଟ୍‌ଅସ୍ ଡିଜାଇନ୍’, ‘ଇଣ୍ଡିଆଜ୍ ସେକ୍ସିଏଷ୍ଟ ବ୍ୟାଚଲର’, ‘ଝଲକ୍‌ ଦିଖ୍ ଲା ଯା’, ‘ଖତ୍ରୋଁ କେ ଖିଲାଡି’, ‘ମିସନ୍ କଭର ଶଟ୍’, ‘ଗ୍ରାମି ନୋମିନିଜ୍’, ‘ଷ୍ଟାଇଲ୍ ଆଣ୍ଡ ଦ ସିଟି’, ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍-୨୦୧୧’, ‘ଟପ୍ ମଡେଲ୍ ଇଣ୍ଡିଆ’ ଇତ୍ୟାଦି।

ସମ୍ବନ୍ଧିତ ଖବର