ଓଲିଉଡ୍ରେ ଏପରି ଅନେକ ନାୟିକା ଅଛନ୍ତି, ଯେଉଁମାନେ ନିଜ ସିନେକ୍ୟାରିୟର୍ର ପ୍ରଥମ ନିର୍ଦ୍ଦେଶକଙ୍କ ସହ ଦ୍ବିତୀୟ ବାର କାମ କରିବାର ସୁଯୋଗ ପାଇନାହାନ୍ତି। ଫଳରେ ଉକ୍ତ ନିର୍ଦ୍ଦେଶକ-ନାୟିକାଙ୍କ ଯୋଡ଼ି ଗୋଟିଏ ମାତ୍ର ଛବିରେ ସୀମିତ ରହିଛି।
ଶିବଶଙ୍କର ଓଝା
କେବଳ ଓଲିଉଡ୍ ନୁହେଁ, ଦେଶର ଅନ୍ୟାନ୍ୟ ଆଞ୍ଚଳିକ ସିନେମାରେ ପ୍ରଥମ ଛବିର ନିର୍ଦ୍ଦେଶକଙ୍କ ସହ ପରବର୍ତ୍ତୀ ସମୟରେ ନାୟକନାୟିକା ଏକାଧିକ ସିନେମା କରିଥିବାର ନଜିର୍ ରହିଛି। କିନ୍ତୁ ଓଲିଉଡ୍ରେ ଏପରି କେତେଜଣ ନାୟିକା ଅଛନ୍ତି, ଯେଉଁମାନେ ନିଜର ପ୍ରଥମ ନିର୍ଦ୍ଦେଶକଙ୍କ ସହିତ ପରବର୍ତ୍ତୀ କାଳରେ ଆଉ ସିନେମା କରିନାହାନ୍ତି ବା କରିବାର ଅବସର ଆସିନାହିଁ। ଯଦି ଆମେ ଓଡ଼ିଆ ସିନେମାର ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଠାରୁ ଆଲୋଚନା ଆରମ୍ଭ କରିବା ତେବେ ଦେଖିବା ତାଙ୍କ ନିର୍ଦ୍ଦେଶିତ ‘ବାପା’ରୁ ମାମା ମିଶ୍ର, ‘ଓମ୍ ଶାନ୍ତି ଓମ୍’ରୁ ଏକଦା ଆଲ୍ବମ୍ କୁଇନ୍ ଭାବେ ପରିଚିତ ଲିପି, ‘ଥୁକୁଲ୍’ରୁ ପ୍ରକୃତି ମିଶ୍ର ନାୟିକା ଭାବେ ବଡ଼ ପରଦାରେ କ୍ୟାରିୟର୍ ଆରମ୍ଭ କରିଥିଲେ। ହେଲେ ଏମାନେ ଏଯାବତ୍ ପ୍ରଶାନ୍ତଙ୍କ ସହ ଅନ୍ୟ କୌଣସି ଛବିରେ କାମ କରିନାହାନ୍ତି।
ସେହିପରି ଖ୍ୟାତନାମା ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଆଇ ଲଭ୍ ୟୁ’ରୁ ନମ୍ରତା ଥାପ୍ପା, ‘ଅର୍ଜୁନ’ରୁ ଗାର୍ଗୀ ମହାନ୍ତି, ‘ରୋମିଓ ଦ ଲଭର୍ ବୟ’ରୁ ଲଭ୍ଲି ନାୟିକା ଭାବେ ଓଲିଉଡ୍ରେ ଇନିଂସ୍ ଆରମ୍ଭ କରିଥିଲେ। କିନ୍ତୁ ହରଙ୍କ ପରବର୍ତ୍ତୀ କୌଣସି ଛବିରେ ଏମାନଙ୍କୁ ଆଉ ଦେଖିବାକୁ ମିଳି ନଥିଲା। ଅନ୍ୟ ପକ୍ଷରେ ହିମାଂଶୁ ପରିଜା(ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ‘ଲଭ୍ ୟୁ ହମେଶା’ରେ ପ୍ରଥମେ ନାୟିକା ଭୂମିକାରେ ନଜର ଆସିଥିଲେ ଅନିଶା। ପରେ ତାଙ୍କୁ ହିମାଂଶୁ ପରିଜାଙ୍କ ଅନ୍ୟ କୌଣସି ସିନେମାରେ ନାୟିକା ଭାବେ ଦେଖିବାକୁ ମିଳିନାହିଁ।
ନାୟିକା ପୁନମ ମିଶ୍ର ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବାଇଶି ପାହାଚେ ଖେଳିବ ମୀନ’ ସିନେମାରୁ କ୍ୟାରିୟର୍ ଆରମ୍ଭ କରିଥିଲେ। କିନ୍ତୁ ପରେ ସଞ୍ଜୟଙ୍କ ଅନ୍ୟ କୌଣସି ଛବିରେ ପୁନମ ଅଭିନୟ କରିନାହାନ୍ତି। ସୁପରିଚିତ ନିର୍ଦ୍ଦେଶକ ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ ଜରିଆରେ ନାୟିକା ଭାବେ ଅନୁଭା, ‘ତୁ ରାଜା ମୁଁ ରାଣୀ’ରୁ ସମ୍ଭାବନା, ‘ହାପି ଲକି’ରୁ ସସ୍ମିତା କ୍ୟାରିୟର୍ ଶୁଭାରମ୍ଭ କରିଥିଲେ। ହେଲେ ଏଯାଏ ତିନି ନାୟିକାଙ୍କୁ ସୁଧାଂଶୁଙ୍କ ସହ ଦ୍ବିତୀୟ ଥର କାମ କରିବାର ସୁଯୋଗ ଆସିନାହିଁ। ଠିକ୍ ସେହିପରି ଅଣଓଡ଼ିଆ ନାୟିକା ଯୁକ୍ତା (ସ୍ବୟଂସିଦ୍ଧା) ଓ ବିଦିତା ବାଗ୍(ଭଉଁରି)ଙ୍କୁ ପରେ ସୁଧାଂଶୁଙ୍କ ଅନ୍ୟ କୌଣସି ଛବିରେ ଦେଖିବାକୁ ମିଳିନାହିଁ। ଏସ୍. କେ. ମୁରଲୀଧରନ୍ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ଟାର୍ଗେଟ୍’ ଜରିଆରେ ଡେବ୍ୟୁ କରିଥିଲେ ବଙ୍ଗୀୟ ନାୟିକା ଝିଲିକ।
ପରେ ମୁରଲୀଧରନ୍ଙ୍କ ସହ ସେ ଆଉ କାମ କରିନାହାନ୍ତି। ଓଲିଉଡ୍ର ଅନ୍ୟତମ ଲୋକପ୍ରିୟ ନାୟିକା ରୀୟା ଦେ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ପ୍ରେମ ଅଢ଼େଇ ଅକ୍ଷର’ ଚଳଚ୍ଚିତ୍ରରୁ କ୍ୟାରିୟର୍ ଆରମ୍ଭ କରିଥିଲେ। ତାଙ୍କୁ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହେଲୋ’ରୁ କ୍ୟାରିୟର୍ ଆରମ୍ଭ କରିଥିବା ନାୟିକା ସୁଶ୍ରୀ ବି ସୁଶାନ୍ତଙ୍କ ସହ ଏଯାବତ୍ କୌଣସି ଛବିରେ ଏକାଠି ହୋଇପାରି ନାହାନ୍ତି। ଠିକ୍ ସେହିପରି ଏଲିନାଙ୍କ ପ୍ରଥମ ସିନେମା ଥିଲା ତାପସ ସରଘରିଆଙ୍କ ‘ଇଶ୍କ ତୁ ହି ତୁ’। ହେଲେ ଏହାପରେ ଏଲିନା ତାପସଙ୍କ ନିର୍ଦ୍ଦେଶିତ ଅନ୍ୟ କୌଣସି ଛବିରେ କାମ କରିନାହାନ୍ତି। ଶୀତଲ ବି ତାଙ୍କର ପ୍ରଥମ ସିନେମା ‘ଯିଏ ଯାହା କହୁ ମୋର ଢୋ’ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କ ସହ ଅନ୍ୟ ଛବିରେ ନଜର ଆସିନାହାନ୍ତି। ପ୍ରିୟଙ୍କା ସାହୁ ତାଙ୍କ ଅଭିନୀତ ପ୍ରଥମ ସିନେମା ‘ସୁପର୍ବୟ’ର ନିର୍ଦ୍ଦେଶକ କେ. ଅନିସ୍ଙ୍କ ସହ ପରବର୍ତ୍ତୀ ସମୟରେ କାମ କରିନାହାନ୍ତି। ‘ମିଠାମିଠା’ ସିନେମାରୁ ଡେବ୍ୟୁ କରିଥିବା ନାୟିକା ଶ୍ରଦ୍ଧା ପାଣିଗ୍ରାହୀ ଓ ଅଙ୍କିତା ଦାଶ ବି ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କ ଅନ୍ୟ ଛବିରେ ଅଭିନୟ କରିନାହାନ୍ତି। ସୁପ୍ରିୟା, ଜିନା ଓ କୋଏଲ୍ ବାନାର୍ଜୀ ଯଥାକ୍ରମେ ନିର୍ଦ୍ଦେଶକ ଅଶୋକ ପତି ( ଲଭ୍ ପାଇଁ କୁଛ୍ ଭି କରେଗା), ରଣଜିତ ମହାନ୍ତି (ଫେରିଆ ମୋ ସୁନାଭଉଣୀ) ଓ ଶ୍ରୀତମ ଦାସଙ୍କ (ତୁ ଥା ମୁଁ ଯାଉଚି ରୁଷି) ସହ ମଧ୍ୟ ଆଉ କାମ କରିନାହାନ୍ତି।