ବାପାଙ୍କ ସହ ପ୍ରଥମ ସିନେମାରେ ସୁଯୋଗ ପାଇଥିଲେ, ହେଲେ ପୁଅଙ୍କ ସହ କାମ କରିବାକୁ ୧୦ ବର୍ଷ ଲାଗିଥିଲା ଓଲିଉଡର ଏହି ଦୁର୍ଦ୍ଦାନ୍ତ ଖଳନାୟକଙ୍କୁ

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ବର: ଓଲିଉଡର ଦୁଇ ସୁପରଷ୍ଟାର୍ ପିତା-ପୁତ୍ର ହେଲେ ଉତ୍ତମ ମହାନ୍ତି ଓ ବାବୁସାନ୍। ଉତ୍ତମ ମହାନ୍ତି ଅଶୀ ଦଶକର ସବୁଠାରୁ ଚର୍ଚ୍ଚିତ ନାୟକ ଥିଲେ। ଏବେକାର ସର୍ବାଧିକ ଲୋକପ୍ରିୟ ନାୟକ ହେଲେ ବାବୁସାନ। ଉଭୟ ପିତା ପୁତ୍ରଙ୍କ ସହିତ ଓଲିଉଡର ଅଧିକାଂଶ କଳାକାର ଅଭିନୟ କରିଛନ୍ତି। ଏମାନଙ୍କ ଭିତରୁ କେତେକ କଳାକାର ଏକାଧିକ ସିନେମାରେ ଉତ୍ତମ ମହାନ୍ତି ଓ ବାବୁସାନଙ୍କ ସହ କାମ କରିଛନ୍ତି।

ମାତ୍ର ଓଲିଉଡର ଜଣେ ଚର୍ଚ୍ଚିତ ଖଳନାୟକ ପିତା ଉତ୍ତମ ମହାନ୍ତିଙ୍କ ସହ ବହୁ ଫିଲ୍ମରେ କାମ କରିଥିଲେ ବି ପୁତ୍ର ବାବୁସାନଙ୍କ ସହ ଏଯାବତ୍ ମାତ୍ର ଗୋଟିଏ ଫିଲ୍ମରେ ନଜର ଆସିଛନ୍ତି। ଏହି ଅଭିନେତାଜଣକ ହେଲେ ରାଇମୋହନ ପରିଡ଼ା। ସେ ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ସୁପରହିଟ୍‌ ଫିଲ୍ମ ‘ପକାକମ୍ବଳ ପୋତ ଛତା’ ଜରିଆରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ। ଏଥିରେ ରାଇମୋହନଙ୍କୁ ମିଳିଥିଲା ଏକ ଗୁଣ୍ଡାର ଚିତ୍ର। ଏହି ସିନେମାରେ ଉତ୍ତମ ମହାନ୍ତି ବି ଅଭିନୟ କରିଥିଲେ।


‘ପକା କମ୍ବଳ ପୋତ ଛତା’ ପରେ ରାଇମୋହନଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି। ଏଥିମଧ୍ୟରେ ରହିଛି କୋଟିଏ ମଣିଷ ଗୋଟି ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ବାବୁ ଆଇ ଲଭ୍ ୟୁ, ତୋ ପାଇଁ ନେବି ମୁଁ ଶହେ ଜନମ, ତୁ ଥିଲେ ମୋ’ ଡର କାହାକୁ, ଲକ୍ଷ୍ମୀ ପ୍ରତିମା, ମେଣ୍ଟାଲ୍‌ ଏବଂ ‘ତୁ ମୋ’ ସୁନା ଚଢେଇ’ ଆଦି ସମେତ ୬୦ ରୁ ଅଧିକ ଓଡ଼ିଆ ସିନେମା।
ବାବୁସାନ୍ ୨୦୦୯ରେ ରିଲିଜ୍ ହୋଇଥିବା ‘ରୋମିଓ ଦ ଲଭରବୟ’ରେ ପ୍ରଥମେ ନାୟକ ଭୂମିକାରେ ନଜର ଆସିଥିଲେ। ରାଇମୋହନ ଉତ୍ତମ ମହାନ୍ତିଙ୍କ ସହ ପ୍ରଥମ ସିନେମାରେ କାମ କରିଥିଲେ, ହେଲେ ପ୍ରାୟ ୧୦ ବର୍ଷ ପରେ ବାବୁସାନଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ।


ରାଇମୋହନ ଓ ବାବୁସାନ୍ ମାତ୍ର ଗୋଟିଏ ସିନେମାରେ ଏକାଠି କାମ କରିଛନ୍ତି। ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି, ତା’ର ଟାଇଟଲ୍‌ ହେଲା ‘ମିଷ୍ଟର ମଜନୁ’। ଏହି ସିନେମାରେ ରାଇମୋହନଙ୍କୁ ପ୍ରଥମ ଥର ଲାଗି ଦର୍ଶକ ଓଲିଉଡ ସୁପରଷ୍ଟାର ବାବୁସାନଙ୍କ ସହ ଦେଖିବାକୁ ପାଇଥିଲେ। ବାବୁସାନ ଆଗରୁ ସମରେଶ , ମୀନକେତନ, ମିହିର ଦାସ, ପ୍ରୀତିରାଜ ପ୍ରମୁଖ ନାମୀ ଖଳନାୟକଙ୍କ ସାମ୍ନା କରିଛନ୍ତି ବଡ଼ ପରଦାରେ । ହେଲେ ଏଥିରେ ସେ ରାଇମୋହନଙ୍କୁ ସାମ୍ନା କରିଥିଲେ।
ଏହି ଫିଲ୍ମରେ ବାବୁସାନ୍‌ଙ୍କ ସହ ରୋମାନ୍ସ କରିଥିଲେ ତିନିଜଣ ନାୟିକା। ସେମାନେ ହେଲେ ଶୀତଲ, ସୂରମୟୀ ଏବଂ ଦିବ୍ୟା। ‘ମିଷ୍ଟର ମଜନୁ’ର ନିର୍ଦେଶନା ଦାୟିତ୍ୱରେ ଥିଲେ ଅଶୋକ ପତି। ଏହାର ସଙ୍ଗୀତ ନିର୍ଦେଶକ ହେଲେ ଅଭିଜିତ ମଜୁମଦାର ଏବଂ ନିର୍ମଳ ନାୟକ ସଂଳାପକାର। ‘ମିଷ୍ଟର ମଜନୁ’ରେ ରାଇମୋହନଙ୍କ ଭୂମିକାଟି ଟିକେ ଭିନ୍ନ ଧରଣର ଥିଲା। ଏଥିରେ ରାଇମୋହନ ବାବୁସାନଙ୍କ ପ୍ରେମିକା ଦିବ୍ୟାଙ୍କ ଦୁର୍ଦ୍ଦାନ୍ତ ଭାଇ ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ଦର୍ଶକ ପସନ୍ଦ ବି କରିଥିଲେ।

ସମ୍ବନ୍ଧିତ ଖବର