ଆଜିର ଦିନରେ ବଡ଼ ପରଦାରେ ଚଳଚ୍ଚିତ୍ରକୁ ପଛରେ ପକାଇଛି ଓଟିଟି ପ୍ଲାଟଫର୍ମ। ଓଟିଟି ଆସିବା ପରେ ପ୍ରାୟ ପ୍ରତ୍ୟେକ କଳାକାର ଦର୍ଶକଙ୍କ ଡ୍ରଇଂରୁମ୍କୁ ଆସିବାକୁ ପସନ୍ଦ କଲେଣି। ଓଟିଟିର ଅର୍ଥ ହେଉଛି ‘ଓଭର-ଦ-ଟପ୍’ ଏବଂ ଏହା ଇଣ୍ଟରନେଟ୍ ମାଧ୍ୟମରେ ଷ୍ଟ୍ରିମ୍ଡ କଣ୍ଟେଣ୍ଟ୍ ଦେଉଥିବା ଟେକ୍ନୋଲୋଜି। ଓଟିଟିକୁ ସାଧାରଣତଃ ଭିଡିଓ ଷ୍ଟ୍ରିମିଂ କୁହାଯାଏ। ଏହି କ୍ଷେତ୍ରରେ ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ୍, ଡିଜନି ପ୍ଲସ୍, ହୁଲୁ ଓ ୟୁଟ୍ୟୁବ୍ ହେଉଛି ଓଟିଟି ପ୍ରଦାନକାରୀ ଆପ୍। ବଡ଼ ପରଦାରେ ଦେଖାଇ ହେଉନଥିବା ଅନେକ ଦୃଶ୍ୟ ଓ ଭାଷାକୁ ଓଟିଟିର ଖୋଲାମଞ୍ଚରେ ସ୍ଥାନ ମିଳେ। ଏଥିରେ ଅପଭାଷା କି ଦୃଶ୍ୟର କିଛି ସୀମାନାହିଁ। ବିପଜ୍ଜନକ ଆକ୍ସନ୍, ରୋମାଞ୍ଚକର ଦୃଶ୍ୟ ସବୁଶ୍ରେଣୀର ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି।
ଏଣୁ ବିଗତଦିନର ନାୟିକା ଶର୍ମିଲା ଟାଗୋରଙ୍କଠୁ ଆରମ୍ଭକରି ସୁସ୍ମିତା ସେନ୍, ରବିନା ଟଣ୍ଡନ୍, କାଜଲ୍, ସୋନାକ୍ଷୀ, ମାଧୁରୀ ଦୀକ୍ଷିତ, ରାଣୀ ମୁଖାର୍ଜୀ, ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଏବେ ୱେବ୍ସିରିଜ୍ ଦୁନିଆରେ ଦର୍ଶକଙ୍କ ଆକର୍ଷଣ ସାଜିଲେଣି। କିଛି ମହିଳାଙ୍କୁ ରୋଲ୍ ମଡେଲ୍ ଭାବେ ନେଇ ସାମାଜିକ, ରାଜନୈତିକ, ଅପରାଧିକ ଦୃଷ୍ଟିକୋଣରୁ ସିରିଜ୍ ତିଆରି ହେଉଛି। ଏକ ଅଧ୍ୟୟନରେ ‘ଚଳଚ୍ଚିତ୍ର ଓ ଧାରାବାହିକ କ୍ଷେତ୍ରରେ ମହିଳାଙ୍କ ଭୂମିକା-୨୦୨୩’ ଷ୍ଟ୍ରିମିଂ ପ୍ରୋଗ୍ରାମ୍ରେ ମହିଳାମାନେ ୫୨% ମୁଖ୍ୟ ଚରିତ୍ର ସୃଷ୍ଟି କରିଥିଲେ, କିନ୍ତୁ ପ୍ରସାରଣ ନେଟ୍ୱାର୍କ ପ୍ରୋଗ୍ରାମ୍ରେ ୪୫% କରିଥିଲେ। ନାୟକ ଭୂମିକାରେ ନାରୀମାନଙ୍କୁ ନେଇ କିଛି ଚର୍ଚ୍ଚିତ ୱେବ୍ ସିରିଜ୍।
ଦ ଟ୍ରାଏଲ୍: ଡିଜନି ପ୍ଲସ୍ ହଟ୍ଷ୍ଟାରରେ ସିରିଜ୍ ‘ଦ ଟ୍ରାଏଲ୍’ ଜରିଆରେ ପାଦ ରଖିଛନ୍ତି ଅଭିନେତ୍ରୀ କାଜଲ୍। ନୋୟୋନିକା ସେନଗୁପ୍ତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି କାଜଲ, ଯିଏ ଓକିଲାତି ଛାଡ଼ି ନିଜ ଘରର ଯତ୍ନ ନିଅନ୍ତି। ପରବର୍ତ୍ତୀ ସମୟରେ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସେ। ତାଙ୍କ ବିଚାରପତି ସ୍ୱାମୀଙ୍କ ନାଁରେ ଯୌନଶୋଷଣ ଅଭିଯୋଗ ଆସିବାରେ ନୋୟୋନିକାଙ୍କ ଜୀବନ ବଦଳିଯାଏ। ପୁଣିଥରେ ସେ ଓକିଲାତି ପେସାକୁ ଫେରି ଦୁଇପିଲାଙ୍କୁ ଧରି ସଂଘର୍ଷ ଜାରି ରଖନ୍ତି। ଏହି କାହାଣୀ ରବର୍ଟ କିଙ୍ଗ ଏବଂ ମିସେଲ କିଙ୍ଗଙ୍କ ପ୍ରସିଦ୍ଧ ଆମେରିକୀୟ ଶୋ ‘ଦ ଗୁଡ୍ ୱାଇଫ୍’ରୁ ଅନୁପ୍ରାଣିତ।
ଦହାଡ୍: ଆମାଜନ ପ୍ରାଇମ୍ରେ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ‘ଦହାଡ୍’ ସବୁଠାରୁ ଅଧିକ ପସନ୍ଦ କରାଯାଇଥିବା ୱେବ୍ ସିରିଜ୍। ଜଣେ ପୁଲିସ ଭୂମିକାରେ ସୋନାକ୍ଷୀ ଅଭିନୟ କରିଛନ୍ତି।୨୦୦୯ରେ ଦେଶକୁ ଦୋହଲାଇ ଦେଇଥିବା ସିରିଏଲ କିଲର ‘ସାୟାନାଇଡ ମୋହନ’ଙ୍କ କାର୍ଯ୍ୟକଳାପ ଉପରେ ଆଧାରିତ ଏହି କାହାଣୀ।
ସିଟାଡେଲ: ସିଟାଡେଲର କାହାଣୀ ଦୁଇ ଗୁପ୍ତଚର ପ୍ରିୟଙ୍କା ଚୋପ୍ରା ଏବଂ ରିଚାର୍ଡ ମାଡେନ୍ଙ୍କୁ ନେଇ ଚିତ୍ରିତ। ଏକ ଗୋପନୀୟ ମିସନରେ ଆଘାତ ପାଇ ସେମାନଙ୍କର ସ୍ମୃତିଶକ୍ତି ଚାଲିଯାଇଛି। ଅତୀତକୁ ମନେ ପକାଇବାକୁ ସେମାନେ ବିଭିନ୍ନ ପ୍ରୟାସ କରୁଛନ୍ତି। ତେବେ କିଛି ପୁରୁଣା କଥା ସେମାନଙ୍କର ମନେପଡ଼ୁଛି। ବିଶ୍ୱକୁ ଏକ ସଙ୍କଟରୁ ରକ୍ଷା କରିବା ପାଇଁ ନାୟକ ଓ ନାୟିକା ଚେଷ୍ଟା କରୁଛନ୍ତି। ଯାହା ଏକ ରୋମାଞ୍ଚକର ପୃଷ୍ଠଭୂମିରେ ପହଞ୍ଚିବା ପରେ ପରବର୍ତ୍ତୀ ଅଧ୍ୟାୟ ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। ପ୍ରିୟଙ୍କାଙ୍କ ଲେଉଟାଣି ଦର୍ଶକଙ୍କ ମନ ଜିଣିପାରିଛି।
ଦ ଫେମ୍ ଗେମ୍: ଫେମ୍ ଗେମ୍ ଭାରତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଦ୍ୱାରା ଅଭିନୀତ କାହାଣୀ। ଯିଏ ଦୁଇଟି ଜୀବନ ବଞ୍ଚୁଛନ୍ତି: ଜଣେ ସୁପରଷ୍ଟାର ଏବଂ ଜଣେ ଉତ୍ସର୍ଗୀକୃତ ପତ୍ନୀ, ମା’, ବନ୍ଧୁ, ପରାମର୍ଶଦାତ୍ରୀ ଏବଂ ଜଣେ ଏକାକିନୀ ମଣିଷ। ସେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ଶାରୀରିକ ଓ ମାନସିକ ଭାବେ ନିର୍ଯାତିତା। ଝିଅ ଓ ପୁଅଙ୍କ ବିଭିନ୍ନ ସମସ୍ୟା ଭିତରେ ଅଚାନକ ଅନାମିକାଙ୍କ ନିଖୋଜ ହେବା ତାଙ୍କ ବ୍ୟକ୍ତିଗତ ଜୀବନକୁ ଚର୍ଚ୍ଚାର ପରିସରକୁ ଆଣିଛି। ଏହାପରେ ଘଟଣା ପଛରେ ଥିବା ବ୍ୟକ୍ତିକୁ ଖୋଜିବା ଆରମ୍ଭ ହୁଏ। ତେବେ ରହସ୍ୟ ଉପରୁ ପରଦା ଉଠିବା ଏଯାଏ ବାକି ଅଛି।
ବମ୍ବେ ବେଗମ୍ସ: ପୂଜା ଭଟ୍ଟଙ୍କ ପାଇଁ ଏହି ଚରିତ୍ର ଖୁବ୍ ପରୀକ୍ଷାମୂଳକ ହୋଇଛି। ଶାହାନା ଗୋସ୍ୱାମୀ, ଅମୃତା ସୁଭାଷ ଓ ପ୍ଲାବିତା ବୋରଠାକୁରଙ୍କ ଭଳି ଅଭିନେତ୍ରୀଙ୍କ ପରିଶ୍ରମ ପରଦାରେ ଜୀବନ୍ତ ଫୁଟିଉଠିଛି। କାହାଣୀ ଅନୁସାରେ, ସ୍ୱପ୍ନର ସହର ମୁମ୍ବାଇରେ ଜୀବନ ଅଧିକ ଚାପଗ୍ରସ୍ତ ହୋଇପଡ଼ିଛି। ଏହି ୪ ମହିଳା ଭିନ୍ନ ଭିନ୍ନ ପୃଷ୍ଠଭୂମିରୁ ଆସିଛନ୍ତି। ତାଙ୍କ ସମସ୍ୟା ମଧ୍ୟ ଅଲଗା ଅଲଗା। ସେମାନେ ଆଧୁନିକ କୁସଂସ୍କାର ଓ ପୁରୁଣା ପରମ୍ପରାକୁ କିପରି ମୁକାବିଲା କରିଛନ୍ତି ତାହା ଏହି ୱେବ୍ସିରିଜ୍ରେ ଦେଖାଯାଇଛି।
ଆରଣ୍ୟକ: ବିନୟ ବ୍ୟାକୁଲଙ୍କ ନିର୍ଦ୍ଦେଶିତ ‘ଆରଣ୍ୟକ’ ଜରିଆରେ ରବିନା ଟଣ୍ଡନ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି। ଏହି ମର୍ଡର ମିଷ୍ଟ୍ରିର ସମାଧାନ କରୁଥିବା ଅଭିନେତ୍ରୀ ଜଣେ ବିଶ୍ୱସ୍ତ ପୁଲିସ ଭୂମିକାରେ ଅଭିନୟ କରୁଥିବା ଦେଖାଯାଇଛି। ସେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ କାର୍ଯ୍ୟଜୀବନ ମଧ୍ୟରେ ତାଳମେଳ ରଖିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ହାରି ଯାଇନାହାନ୍ତି।
ଫୋର୍ ମୋର୍ ଶଟ୍ସ୍ ପ୍ଲିଜ୍: ଏହି ଶୋ’ରେ ଚାରି ମହିଳା ମୁଖ୍ୟ ଭୂମିକାରେ ଅଛନ୍ତି- ସାୟାନି ଗୁପ୍ତା, ବାନୀ ଜେ, କ୍ରିତୀ କୁହ୍ଲାରୀ ଏବଂ ମାନଭି। ମହାନଗରୀର ଆଧୁନିକ ଜୀବନଚର୍ଯ୍ୟା, ଖାଦ୍ୟ, ପାନୀୟ, ପୋଷାକ, ବନ୍ଧୁତା ସହିତ ଜଟିଳ ମନସ୍ତତ୍ତ୍ବକୁ ଆଧାର କରି ଏହାର କାହାଣୀ ଦୁଇଟି ସିଜିନରେ ଗତିଶୀଳ। ଚାରି ବାନ୍ଧବୀଙ୍କ ବ୍ୟକ୍ତିଗତ ଜୀବନ କେମିତି ପରସ୍ପର ସହିତ ଛନ୍ଦାଛନ୍ଦି ଓ ସେମାନେ ଏକାଠି କେମିତି ଜୀବନର ଉପଭୋଗ କରୁଛନ୍ତି, ସମସ୍ୟା ଓ ଏକଲାପଣର ସାମ୍ନା କରୁଛନ୍ତି ତାହା ଦେଖିବା ପାଇଁ ଯୁବସମାଜ ଉତ୍ସୁକତାର ସହ ପରବର୍ତ୍ତୀ ସିଜିନକୁ ଅପେକ୍ଷା କରିଛନ୍ତି।
ସି: ଏହି କ୍ରାଇମ୍ ଡ୍ରାମାରେ ଜଣେ ସେକ୍ସ ୱାର୍କର ଭୂମିକାରେ ପୁଲିସ କନେଷ୍ଟବଳ ଅଫିସର ଭୂମିଙ୍କ କାହାଣୀ ରହିଛି। ଯାହାକୁ ଅଦିତି ପୋହନକରଙ୍କ ବେଶ୍ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି। ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇ ଜଣେ ଦେହଜୀବୀ ଭାବରେ ଅପରାଧୀଙ୍କ ପାଖରେ ପହଞ୍ଚି ସେମାନଙ୍କର ଟିକିନିଖି ତଥ୍ୟ ପୁଲିସକୁ ଦେଇ ଅପରାଧୀକୁ ଧରିବା ଓ ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିବା ପରି ଜଟିଳ ଅଭିନୟ କରିଛନ୍ତି ଅଦିତି।