‘‘ଠିକ୍ ତୋରି ପରି ଝିଅଟିଏ ଦେଇଥିଲା ମୋତେ ବହିଟିଏ। ମୁଁ ବହିଟିକୁ ଖୋଲି ଦେଖିଦିଏ, ଥିଲା ଭିତରେ କାହାର ଚିଠିଟିଏ। ଗୋଲାପି ଗୋଲାପି ଗୋଲାପି ଗୋଲାପି ରଙ୍ଗ ତା’ର, ହାଲ୍କା, ହାଲ୍କା, ହାଲ୍କା, ହାଲ୍କା ଗନ୍ଧ ତା’ର...।’’ ଏହା ହେଉଛି ଓଡ଼ିଆ ସଙ୍ଗୀତ ଜଗତର ଏକ ଅପାସୋରା ରୋମାଣ୍ଟିକ୍ ଗୀତ। ଏହି ଗୀତ ଯେତେ ପୁରୁଣା ହେଉଛି, ତା’ର ଜନପ୍ରିୟତା ସେତେ ବଢୁଛି। ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ଖୋକା ଭାଇ ତମ ପାଇଁ’ରେ ସ୍ଥାନୀତ ଏହି ଗୀତକୁ ସଂଗୀତପ୍ରେମୀ ପୁଣିଥରେ ଭଲପାଇବା ଅଜାଡ଼ି ଦେଇଛନ୍ତି।
‘ଠିକ୍ ତୋରି ପରି ଝିଅଟିଏ...’ ଲୋକପ୍ରିୟ ଗାୟକ ଓ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କ ଏକ ଅନବଦ୍ୟ ସଂଯୋଜନା। ଏଥିରେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି ଓ ତୃପ୍ତି ଦାସ। ଏହାର ଗୀତିକାର ହେଲେ ବରିଷ୍ଠ ଗୀତିକାର ଦେବଦାସ ଛୋଟରାୟ। ୧୯୭୪ ମସିହାରେ ରେକର୍ଡ ହୋଇଥିବା ଏହି ଗୀତଟିକୁ ଦୀର୍ଘ ୫୦ ବର୍ଷ ପରେ ପୁନଃପ୍ରସ୍ତୁତ କରିଛନ୍ତି ଅକ୍ଷୟଙ୍କ ସୁପୁତ୍ର ସଙ୍ଗୀତକାର ମିତ୍ରଭାନୁ ମହାନ୍ତି। ଏଥିରେ କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ ଓ ପ୍ରଜ୍ଞା ହୋତା। କଟକର ମିଲନ୍ ଷ୍ଟୁଡିଓରେ ଏହି ଗୀତଟି ରେକର୍ଡ ହୋଇଛି। ନୂଆ ଶୈଳୀରେ ପ୍ରସ୍ତୁତ ହୋଇଥିଲେ ବି ଗୀତର ମୂଳ ଭାବ ଅକ୍ଷୁଣ୍ଣ ରହିଛି।
ଆଉ ଏକ ଉଲ୍ଲେଖଯୋଗ୍ୟ କଥା ହେଲା ଯେ ଏହି ଗୀତର ଦୃଶ୍ୟଗ୍ରହଣ ମଧ୍ୟ ଆକର୍ଷଣୀୟ ହୋଇଛି। ଏହି ଗୀତରେ ନାୟକ ଭାବେ ‘ମୀମାଂସା’ ଓ ‘ଖୁସି’ ଫେମ୍ ସରୋଜ ପରିଡ଼ା ଏବଂ ନାୟିକ ରୂପେ ‘ଚୁମ୍କି ସେତ ପାଣିରେ ବୁଡ଼ିବ ନାହିଁକି’ ଓ ‘ମନ ମ୍ୟୁଜିୟମ୍’ ଫେମ୍ ଉପାସନାଙ୍କୁ ଦେଖିବାକୁ ମିଳିଛି। ଏହାର କୋରିଓଗ୍ରାଫର୍ ଓ ଡିରେକ୍ଟର୍ ହେଲେ ଗିରୀଶ ମହାନ୍ତି। ଫିଲ୍ମ ପାଇଁ ଗୀତଟି କେତେ ଦୂର ବରଦାନ ସାବ୍ୟସ୍ତ ହେଉଛି, ତାହା ଖୁବ୍ ଶୀଘ୍ର ଜଣାପଡ଼ିବ।