ମୁମ୍ବାଇ: ଦକ୍ଷିଣୀ ଇଣ୍ଡଷ୍ଟ୍ରିରୁ ଆସି ବଲିଉଡ୍ରେ କାୟା ବିସ୍ତାର କରିଥିବା ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବିରୋଧରେ ଜଣେ ଧାର୍ମିକ ନେତା ଓ ଜଣେ ବିଜେପି ବିଧାୟିକା ପୁଲିସ୍ରେ ମାମଲା ରୁଜୁ କରିଛନ୍ତି। ନିକଟରେ ଲାଖମୀ ଇଣ୍ଡିଆ ଫ୍ୟାସନ୍ ଉଇକ୍ ସୋ’ରେ କକ୍ଟେଲ୍ ଗାଉନ୍ ସହ ପାରମ୍ପରିକ ଅଳଙ୍କାର ପିନ୍ଧି ତାପସୀ ମଞ୍ଚକୁ ଉଠିଥିଲେ। ଏହା ତାଙ୍କୁ ବିବାଦ ଘେରକୁ ଆଣିଥିଲା। ଅତୀତରେ ଏଭଳି ମାନବିକତାକୁ ବାଧା ଦେଇଥିବା ଚଳଚ୍ଚିତ୍ର ଓ ମଡେଲିଂ ଦୁନିଆର କେତେଜଣ କଳାକାର ମଧ୍ୟ ବିବାଦକୁ ଆସି କୋର୍ଟର କାଠଗଡ଼ାକୁ ଆସିଥିଲେ। ଏବେ ତାପସୀ ମଧ୍ୟ ସମାନ ଅଭିଯୋଗରେ ଛନ୍ଦି ହେଇଛନ୍ତି।
ହିନ୍ଦ୍ ଇଣ୍ଡିଆ ରକ୍ଷକ ସଂଗଠନର ସଦସ୍ୟ ଏକଲବ୍ୟ ସିଂହ ଏବଂ ବିଧାୟିକା ମାଲିନୀ ଗୌର ତାପସୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ସେମାନେ କହିଛନ୍ତି- ଏଭଳି ଏକ ସମ୍ମାନଜନକ ଫ୍ୟାସନ୍ ସୋ’ରେ ତାପସୀ ଯେଭଳି ବସ୍ତ୍ର ଓ ଅଳଙ୍କାର ପରିହିତ ହେଇ ମଞ୍ଚକୁ ଆସିଥିଲେ ତାହା ଆମ ଧାର୍ମିକ ଭାବନାକୁ ଆଘାତ ଦେଇଛି। ମାଲିନୀ କହିଛନ୍ତି, ଏଭଳି ଏକ ସମ୍ମାନଜନକ ଫ୍ୟାସନ୍ ସୋ’ରେ ତାପସୀ ମା’ ଲକ୍ଷ୍ମୀଦେବୀଙ୍କ ଶୁଭ୍ର ବସ୍ତ୍ର ସହିତ ତାଙ୍କ ଅଳଙ୍କାର ପରିହିତ ହେଇଥିଲେ। ଏପରିକି ମା’ ଲକ୍ଷ୍ମୀଙ୍କ ଲକେଟ୍ ସେ ବେକରେ ପିନ୍ଧିବା ସମୀଚୀନ ନୁହେଁ। ଏହା ସନାତନ ଧର୍ମକୁ ପରିହାସ କରିଛି। ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ଏଇ ଫ୍ୟାସନ୍ ସୋ’ରେ ତାପସୀଙ୍କ ଏଭଳି ବେଶଭୂଷା ବେଶ୍ ଚର୍ଚ୍ଚାକୁ ଆସିଛି ଯାହା ଅନେକଙ୍କ ଆବେଗକୁ ଆଘାତ ଦେଇଛି।
ତାପସୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଏବେ ଏହାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି। ହୁଏତ ଏଥିପାଇଁ ତାପସୀଙ୍କୁ କୋର୍ଟର ଦ୍ବାରସ୍ଥ ହେବାକୁ ପଡ଼ିପାରେ। ତେଲୁଗୁ ଓ ତାମିଲ ଫିଲ୍ମ ବ୍ୟତୀତ ବଲିଉଡ୍ ମୁଭି ବେବି, ପିଙ୍କ୍, ଚଷମେ ବଦୁର, ରନିଙ୍ଗ୍ ଶାଦି, ଦ ଗାଜି ଆଟାକ୍, ନାମ୍ ଶବାନା, ଜୁଡୱା-୨, ଦିଲ୍ ଜଙ୍ଗଲି, ମିସନ୍ ମଙ୍ଗଲ୍, ଥାପଡ୍, ରଶ୍ମି ରକେଟ୍, ଦୁବାରାରେ ମୁଖ୍ୟ ନାୟିକା ସାଜିଥିବା ତାପସୀ ଏବେ ବଲିଉଡ୍ର ‘ହସିନ୍ ଦିଲ୍ରୁବା-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ମୁକ୍ତିଲାଭ କରିବାକୁ ଥିବା ‘ଡୁଙ୍କି’ ଓ ‘ଓ ଲଡ୍କୀ ହୈ କହାଁ’ରେ ସେ ମଧ୍ୟ ଦେଖିବାକୁ ମିଳିବେ।