ବନ୍ନିୟାର ସେନାର ପିଟିସନ ପରେ ଅଭିନେତା ସୂର୍ଯ୍ୟାଙ୍କ ବିରୋଧରେ ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ତାମିଲନାଡୁ କୋର୍ଟ

ନୂଆଦିଲ୍ଲୀ: ସାଉଥ ଅଭିନେତା ସୂର୍ଯ୍ୟା ଶିବକୁମାରଙ୍କ ‘ଜୟ ଭୀମ’ ସିନେମାକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହି କ୍ରମରେ ଏ‌ବେ ଅଭିନେତା ସୂର୍ଯ୍ୟାଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ କୋର୍ଟ। ଅଭିନେତା ସୂର୍ଯ୍ୟା, ତାଙ୍କ ପତ୍ନୀ ଜ୍ୟୋତିିକା ଏବଂ ଜୟ ଭୀମଙ୍କ ନିର୍ଦ୍ଦେଶକ ଟିଜେ ଜ୍ଞାନଭେଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚେନ୍ନାଇ ପୁଲିସକୁ ସଇଦାପେଟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରୁଦ୍ର ବନ୍ନିୟାର ସେନା ନାମକ ଏକ ବନ୍ନିୟାର ଗ୍ରୁପ୍ ଦ୍ୱାରା ଏ ନେଇ ପିଟିସନ ଦାଖଲ କରାଯିବା ପ‌ରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଫିଲ୍ମ ରିଲିଜ ହେବା ସମୟରେ ମଧ୍ୟ ବନ୍ନିୟାର ସମ୍ପ୍ରଦାୟ ଜୟ ଭୀମଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। ଫିଲ୍ମର ଟିମକୁ ନିନ୍ଦା କରିବା ବ୍ୟତୀତ ବନ୍ନିୟାର ଗ୍ରୁପ୍ ଏହା ମଧ୍ୟ କହିଥିଲେ ଯେ ସେମାନେ ଆପତ୍ତିଜନକ ଦୃଶ୍ୟକୁ ଫିଲ୍ମରୁ ହଟାଇବାକୁ ଚାହୁଁଛନ୍ତି। ଏଥିସହ ସେମାନେ ଜୟ ଭୀମ ଟିମଠାରୁ ୫କୋଟି ଟଙ୍କା କ୍ଷତିପୂରଣ ଏବଂ ସର୍ତ୍ତମୂଳକ କ୍ଷମା ମାଗିଥିଲେ। ହେଲେ ସେମାନଙ୍କ ଏହି ଦାବି ପୂରଣ ହୋଇ ନଥିଲା। ଏନେଇ ଫିଲ୍ମର ଟିମ ବିରୋଧରେ ଏତଲା ରୁଜୁ କରିବା ପାଇଁ ଅନେକ ପିଟିସନ ଦାଖଲ ହେବା ପରେ ଏବେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Suriya-starrer Jai Bhim to Premiere Worldwide on Amazon Prime Video This Diwali

ଉଲ୍ଲେଖଯୋଗ୍ୟ, ସିନେମାର ଏକ ଦୃଶ୍ୟରେ ସବ ଇନସ୍ପେକ୍ଟର ଗୁରୁମୂର୍ତ୍ତି ମଦ୍ୟପାନ କରୁଛନ୍ତି ଓ ତାଙ୍କ ପଛପଟେ ଥିବା କାନ୍ଥରେ ସାଂପ୍ରଦାୟିକ ଚିହ୍ନ ଦେଖିବାକୁ ମିଳୁଛି, ଯାହାକୁ ନେଇ ବନ୍ନିୟାର ସମୁଦାୟ ଅଭିଯୋଗ କରିଥିଲା। ଏହା ସହ ଫିଲ୍ମର କିଛି ଦୃଶ୍ୟ ବନ୍ନିୟାର ସମ୍ପ୍ରଦାୟର ଭାବମୂର୍ତ୍ତିକୁ ନଷ୍ଟ କରୁଥିବା ଅଭିଯୋଗ କରାଯାଇଥିଲା। ଏଭଳି ଏକ ଫିଲ୍ମରେ ଅଭିନୟ କରିଥିବାରୁ ସୂର୍ଯ୍ୟାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା।

ସମ୍ବନ୍ଧିତ ଖବର