୨୬/୧୧ ମୁମ୍ବାଇ ଆକ୍ରମଣକୁ ନେଇ ନିର୍ମିତ ହୋଇଥିବା ଏହି ସବୁ ଫିଲ୍ମ ଆପଣ ଦେଖିଛନ୍ତି କି?

ମୁମ୍ବାଇ: ନଭେମ୍ବର ୨୬, ୨୦୦୮ ର ସେହି ଦିନ ସମସ୍ତଙ୍କର ମନେଥିବ, ଯେତେବେଳେ ଆତଙ୍କବାଦୀମାନେ ମୁମ୍ବାଇର ତାଜ ହୋଟେଲ ଉପରେ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣର ଭୟାନକ ଦୃଶ୍ୟକୁ ନେଇ ବଲିଉଡରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, ଯାହାକୁ ଦେଖି ଆଜି ବି ଆତଙ୍କବାଦୀଙ୍କ କ୍ରୁରତା ଓ ଦେଶର ଯବାନଙ୍କ କାର୍ଯ୍ୟାନୁଷ୍ଠାନର ଝଲକ ଆଖି ଆଗକୁ ଚାଲିଆସେ | ଆଜି ଆମେ ଆପଣଙ୍କୁ ସେହିସବୁ ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଉଛୁ ଯାହା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପୃଷ୍ଠଭୁମିକୁ ନେଇ ନିର୍ମାଣ କରାଯାଇଛି | ଅନୁପମ ଖେରଙ୍କ ‘ହୋଟେଲ ମୁମ୍ବାଇ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଚଳଚ୍ଚିତ୍ରରେ ସେହି ୬୦ ଘଣ୍ଟା ପ୍ରଦର୍ଶିତ ହୋଇଥିଲା, ଯେତେବେଳେ ହୋଟେଲ କର୍ମଚାରୀମାନେ ନିଜ ଜୀବନକୁ ବାଜିରେ ଲଗାଇ ସେମାନଙ୍କ ଅତିଥିଙ୍କୁ ବଞ୍ଚାଇଥିଲେ।

ସେହିପରି ସୈଫ ଅଲି ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ‘ଫାଣ୍ଟମ’ ଯଦିଓ ସିଧାସଳଖ ମୁମ୍ବାଇ ଆକ୍ରମଣକୁ ଦର୍ଶାଇନଥିଲା, ଏଥିରେ କିନ୍ତୁ ଆକ୍ରମଣର ପ୍ରତିଶୋଧକୁ ଦେଖିବାକୁ ମିଳିଥିଲା | ହିନ୍ଦୀ ଚଳଚ୍ଚିତ୍ର ‘ତାଜମହଲ’ରେ ଏକ ଫରାସୀ ଝିଅର କାହାଣୀ ଦେଖିବାକୁ ମିଳିଥିଲା, ଯେତେବେଳେ କି ଆତଙ୍କବାଦୀ ଆକ୍ରମଣ ସମୟରେ ସେ ଏକ ହୋଟେଲ ରୁମରେ ରହି ଆତଙ୍କୀଙ୍କ ଆକ୍ରମଣର ମୁକସାକ୍ଷୀ ପାଲଟିଥିଲେ |

ସେହିପରି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ନେଇ ‘ଦି ଆଟାକ ଅଫ ୨୬/୧୧’ ତ ଆପଣଙ୍କର ମନେ ଥିବ | ଏଥିରେ ଅଭିନେତା ନାନା ପାଟେକର ଜଏଣ୍ଟ କମିଶନରଙ୍କ ଭୂମିକାରେ ଅଭିନୟ କରିଥିଲେ। ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ନେଇ ନିର୍ମିତ ‘ସହିଦ’ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ​​| ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ କେବଳ ଫିଲ୍ମ ନୁହେଁ ବରଂ ଦୁଇଟି ୱେବ୍ ସିରିଜ୍ ମଧ୍ୟ ରିଲିଜ ହୋଇଛି | ନିକଟରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ ‘ମୁମ୍ବାଇ ଡାଏରୀ’ରେ ସେହି ଡାକ୍ତରଖାନାର କାହାଣୀ ଦର୍ଶାଯାଇଛି ଯେଉଁଠାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ‘ଷ୍ଟେଟ ଅଫ ସିଜ: ୨୬/୧୧’ ରେ ମଧ୍ୟ ଆତଙ୍କବାଦୀ ବର୍ବରତା ଦେଖିବାକୁ ମିଳିଥିଲା | ଯେଉଁଥିରେ ଏନଏସଜି କମାଣ୍ଡୋମାନଙ୍କର ବୀରତ୍ୱ ବାବଦରେ ଦର୍ଶକ ଦେଖିଥିଲେ |

ସମ୍ବନ୍ଧିତ ଖବର