ପଚିଶ ବର୍ଷ ତଳେ ତିଆରି ହେଇଥିଲା ଚଳଚ୍ଚିତ୍ର ‘ଔଜାର’। ଏଥିରେ ସଞ୍ଜୟ କପୁର ଓ ଶିଳ୍ପା ସେଟ୍ଟୀଙ୍କ ସହ ଅନ୍ୟତମ ପ୍ରମୁଖ ଭୂମିକାରେ ଥିଲେ ଆଜି ତାରିଖର ସୁପରହିରୋ ସଲମାନ୍ ଖାନ୍। ଉକ୍ତ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଅନୁ ମଲ୍ଲିକ ବେଶ୍ ବିବାଦୀୟ ହେଇଥିଲେ। ପୁଣି ଏହା ଥିଲା ସୋହା ଅଲ୍ଲୀ ଖାନଙ୍କ ପ୍ରଥମ ନିର୍ଦ୍ଦେଶନା। ସଲମାନ୍ ଏଥିରେ ସିବିଆଇ ଅଫିସର ସୂରଜ ପ୍ରକାଶ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କ ଘନିଷ୍ଠ ବନ୍ଧୁ ୟାଶ ଓରଫ ସଞ୍ଜୟ କପୁରଙ୍କ ବାପା ପରେଶ ରାୱଲ ଜଣେ ଅସାଧୁ ବ୍ୟବସାୟୀ ଥିଲେ, କିନ୍ତୁ ପୁଅ ୟାଶ୍ ତାଙ୍କୁ ସାଧୁ ବ୍ୟବସାୟର ପନ୍ଥା ଅବଲମ୍ବନ କରିବାକୁ ବାରମ୍ବାର ପ୍ରବର୍ତ୍ତାଉଥିଲେ। ୧୯୯୭ରେ ମୁକ୍ତିଲାଭ କରିଥିବା ଏଇ ସିନେମା ବାବଦରେ ସେତେବେଳେ ପ୍ରଯୋଜିକା ସୋହା ଅଲ୍ଲୀ କହିଥିଲେ ଏହାର କାହାଣୀ ତିନି ଜଣ ବନ୍ଧୁଙ୍କ ଜୀବନୀ ଉପରେ ପର୍ଯ୍ୟବସିତ। ଏ ବନ୍ଧୁତା ଭିତରେ ଭରି ରହିଛି ଦୁଃଖ ଆଉ ଶୋକ। ତଥାପି ଅନୁ ମଲ୍ଲିକଙ୍କ ସୁମଧୁର ସଙ୍ଗୀତ ସଂଯୋଜନାରେ ଏ ସିନେମାଟି ଏକ ବ୍ୟାବସାୟିକ ସିନେମାରେ ପରିଣତ ହେଇଥିଲା। ହେଲେ ସିନେମାଟି ଆଶାଜନକ ବ୍ୟାବସାୟିକ ସଫଳତା ପାଇପାରିନଥିଲା।

Advertisment

୧୯୯୪ରେ ଅମୀର ଖାନ ଓ ସଲମାନ୍ ଖାନଙ୍କ ଅଭିନୀତ ‘ଅନ୍ଦାଜ ଅପନା ଅପନା’ ଫିଲ୍ମର ସଫଳତା ପରେ ସୋହା ଅଲ୍ଲୀ ଚାହିଥିଲେ ୟାଶ୍ ଭୂମିକାରେ ଅମୀରଙ୍କୁ ନେବାକୁ। ହେଲେ ଅମୀର କୌଣସି କାରଣରୁ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥି‌ଲେ। ଏହାପରେ ସନ୍ନି ଦେଓଲଙ୍କୁ ଏହି ଭୂମିକା ପାଇଁ ସୋହା ପ୍ରସ୍ତାବ ଦେଇଥିଲେ। ସେ ମଧ୍ୟ ବ୍ୟସ୍ତ ଥିବାରୁ ମନା କରି ଦେଇଥିଲେ। ଶେଷରେ ୟାଶ୍ ଭୂମିକାରେ ସୋହା ସଞ୍ଜୟ କପୁରଙ୍କୁ ନେଇଥିଲେ। ଏଥିରେ ନାୟିକା ଭୂମିକାରେ ପ୍ରଥମେ କାଜଲଙ୍କୁ କୁହାଯାଇଥିଲା। ସେ ରାଜି ନ ହେବାରୁ ଶିଳ୍ପାଙ୍କୁ ନିଆଯାଇଥିଲା। କିନ୍ତୁ ସୋହା ଅଲ୍ଲୀଙ୍କ ଦ୍ବିତୀୟ ସିନେମା ‘ପ୍ୟାର କିୟା ତୋ ଡରନା କ୍ୟା’ରେ ସଲମାନଙ୍କ ବିପକ୍ଷର ନାୟିକା ସାଜିଥିଲେ କାଜଲ। ‘ଔଜାର’ ଫିଲ୍ମରେ ଥିବା‌ ‘ଆଇ ଲଭ୍ ୟୁ’, ‘ଦିଲ୍ ଲେ ଲେ ଲେନା’ ଓ ‘ମସ୍ତି କା ଆଲାମ ଆୟା ହୈ’ ପରି ଗୀତଗୁଡ଼ିକ ବେଶ୍ ଲୋକପ୍ରିୟ ହେଇଥିଲା। ସବୁଠୁ ବଡ଼କଥା ହେଉଛି ଏଇ ଚଳଚ୍ଚିତ୍ର ଗୀତରେ ୧୫/୧୬ ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରିଥିଲେ। ଏହା ଭାରତୀୟ ସିନେମା‌ରେ ପ୍ରଥମ ଘଟଣା ଥିଲା।