‘ଦ୍ରୌପଦୀ’ ନେଇ ଆସୁଛନ୍ତି ପ୍ରକୃତି, ଓଡ଼ିଆ ଓ ହିନ୍ଦୀରେ ରିଲିଜ ହେବ ଫିଲ୍ମ

ଭୁବନେଶ୍ୱର: ଆସୁଛି ପ୍ରକୃତିଙ୍କ ‘ଦ୍ରୌପଦୀ’ । ହର ପଟ୍ଟନାୟକଙ୍କ ଝିଅ ଅନନ୍ୟା ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ୍ରୌପଦୀ’ର ପୋଷ୍ଟର ରିଲିଜ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରକୃତି ମିଶ୍ର । ଏହି ଫିଲ୍ମଟି ଉଭୟ ହିନ୍ଦୀ ଓ ଓଡ଼ିଆରେ ରିଲିଜ ହେବ |ଫିଲ୍ମକୁ ନେଇ ପ୍ରକୃତି କହିଛନ୍ତି ଯେ କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହୋଇଯାଏ | କେବେ ନାରୀ କେଉଁ ଯୁଦ୍ଧର କାରଣ ସାଜିଛି ତ କେବେ ପୁଣି ଅଗ୍ନିପରୀକ୍ଷା ଦେବାକୁ ବାଧ୍ୟ ହୋଇଛି | ଯୁଗ ବଦଳିଯାଇଛି ସତ କିନ୍ତୁ ନାରୀର କାହାଣୀ ବଦଳିନାହିଁ |

ତେବେ ବାବୁସାନ୍-ପ୍ରକୃତି ବିବାଦ ମଧ୍ୟରେ ଏହି ପୋଷ୍ଟର ରିଲିଜ ଚର୍ଚ୍ଚାର ଖୋରାକ ଯୋଗାଇଛି । ନିଜ ଜୀବନ ସହିତ ଫିଲ୍ମର କାହାଣୀକୁ ତୁଳନା କରି ପ୍ରକୃତି କହିଛନ୍ତି, ନାରୀ ହିଁ ନାରୀର ଶତ୍ରୁ । ପରକିୟାପ୍ରୀତି ପ୍ରସଙ୍ଗରେ ଉତ୍ତର ରଖି ପ୍ରକୃତି କହିଛନ୍ତି, ପରକୀୟା ପ୍ରୀତି ହେଉଛି ଜଣଙ୍କର ବ୍ୟକ୍ତିଗତ ପସନ୍ଦ । ଜଣେ ମଣିଷ କିଭଳି କାହା ସହିତ ରହିବ ବା କାହା ସହ କିଭଳି ବନ୍ଧୁତା ରହିବ ଏହା ବ୍ୟକ୍ତିଗତ କଥା | ବାବୁସାନ ମୋର ଜଣେ ଭଲ ବନ୍ଧୁ ଥିଲେ |

ବିବାଦ ଉପରେ ଉତ୍ତର ରଖି, ତାଙ୍କୁ ଭିଲିଆନ ସଜାଇ ଦିଆଗଲା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରକୃତି । ରାସ୍ତା ଉପରେ ଜଣଙ୍କ ପ୍ରତି ଅସଦାଚରଣ କେବେ ବି ସମାଜକୁ ଭଲ ବାର୍ତ୍ତା ଦେବ ନାହିଁ ବୋଲି ସେ କହିଛନ୍ତି | ଆଇନ ପ୍ରମାଣିତ କରିବା ଆଗରୁ କାହାକୁ ଦୋଷୀ ସଜାଇବା ଠିକ୍ ନୁହେଁ । ଓଡ଼ିଆ ଫିଲ୍ମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତାଙ୍କ ପରିବାର ଓଡ଼ିଶାରେ ରୁହନ୍ତି ଓ ସେ ଓଡ଼ିଶାକୁ ଭଲ ପାଆନ୍ତି ଓ ସେ ଆଗକୁ ଓଡ଼ିଆ ଫିଲ୍ମ କରିବେ ।

ସମ୍ବନ୍ଧିତ ଖବର