ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ରେ ବହୁ ପ୍ରତୀକ୍ଷିତ ୱେବ୍‌ ସିରିଜ୍‌ ‘ଓଖା ଏକ୍ସପ୍ରେସ୍‌’

ଚଳିତ ମାସ ୨ ତାରିଖରେ ଓଡ଼ିଶାର ପ୍ରିମିୟମ୍ ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ରେ ଷ୍ଟ୍ରିମିଂ ହେଇଛି ବହୁ ପ୍ରତୀକ୍ଷିତ ୱେବ୍‌ ସିରିଜ୍‌ ‘ଓଖା ଏକ୍ସପ୍ରେସ୍‌’। ଏହି ବ୍ୟୟ ବହୁଳ ୱେବ୍‌ ସିରିଜ୍‌କୁ ବିଶ୍ବର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଦର୍ଶକ ଦେଖିପାରିବେ।

‘ଓଖା ଏକ୍ସପ୍ରେସ୍‌’ର କାହାଣୀଟି ଗଞ୍ଜାମ ଓ ସୁରତ୍ ସହର ଉପରେ ଆଧାରିତ। ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ପ୍ରାୟ ଲକ୍ଷ ଲକ୍ଷ ଶ୍ରମିକ ଦାଦନ ଖଟିବାକୁ ଏହି ଓଖା ଏକ୍ସପ୍ରେସ୍‌ରେ ସୁରତ୍ ଯାଇଥାନ୍ତି। ଯେଉଁଠି ଶ୍ରମିକମାନେ ସେଠାକାର ଗୁଣ୍ଡା, ମିଲ୍ ମାଲିକ ଓ ଠିକାଦାରମାନଙ୍କ ଅତ୍ୟାଚାର ଓ ଅନ୍ୟାୟ ଏବଂ ନିଷ୍ଠୁର ନିର୍ଯାତନାର ଶିକାର ହେଇଥାନ୍ତି। ଏମାନେ ମାଲିକମାନଙ୍କ ପାଖରେ ଗୋଲାମ ପରି ଦିନରାତି ଖଟୁଥାଆନ୍ତି।

binged.com

ସେମିତି ଜଣେ ଶ୍ରମିକ ଅଜୟ ଯାଇ ସୁରତ୍‌ରେ ପହଞ୍ଚିଛନ୍ତି। ସେଠାକାର ପରିସ୍ଥିତି ଦେଖିବା ପରେ ତାଙ୍କ ମନରେ ବିଦ୍ରୋହ ଜାଗ୍ରତ ହେଉଛି ଏବଂ ସେ ତତ୍‌କ୍ଷଣାତ୍ ଶପଥ ନେଉଛନ୍ତି ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକମାନଙ୍କ ପାଇଁ କିଛି ଗୋଟେ ସମାଧାନର ବାଟ ତିଆରି କରିବେ। ଠିକ୍ ଏହି ସମୟରେ ତାଙ୍କ ସହ ସମାନ ମାନସିକତା ଥିବା ଆଉ ଜଣେ ପ୍ରବାସୀ ଶ୍ରମିକ ନରେଶର ଦେଖାହେଉଛି। ଏ ଦୁହିଁଙ୍କୁ ଏକାଠି କରୁଛନ୍ତି ଚିଣ୍ଟୁ, ଯିଏ କି ଜଣେ ଉତ୍ସାହୀ ଓ ଉଦୀୟମାନ ଯୁବକ। ଅଜୟ ନରେଶ ଓ ଚିଣ୍ଟୁ ଏକାଠି ହୋଇ ସୁରତ୍‌ର ଶକ୍ତିଶାଳୀ ଗୁଣ୍ଡା ପୀତାମ୍ବରର ଜାଗା ଆବୋରିବାକୁ ଯୋଜନା କରିଛନ୍ତି।

ଏଥିରେ ଶ୍ରୀକାନ୍ତ ଗୌତମ୍‌ କାହାଣୀ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି। ସନ୍ ମ୍ୟୁଜିକ୍ ଦ୍ବାରା ପ୍ରଯୋଜିତ ଏହି ଓଟିଟି ସିରିଜ୍‌ ‘ଓଖା ଏକ୍ସପ୍ରେସ୍‌’ରେ ସୁଜିତ ଦେବ, ରାକେଶ, ମାନସୀ ପାଲ୍‌, ବାବୁ ପ୍ରଧାନ, ବିରାଜ ଦାସ, ଗୀତଗୋବିନ୍ଦ ଏବଂ ଆହୁରି କେତେକ ନାମୀ କଳାକାର ଅଭିନୟ କରିଛନ୍ତି। ଏହି ୱେବ୍‌ ସିରିଜ୍‌କୁ ନେଇ ‘କଞ୍ଚାଲଙ୍କା’ର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ପରିଜା କହିଛନ୍ତି- ‘କଞ୍ଚାଲଙ୍କା’ ଦେଇଥିବା ପ୍ରତିଶ୍ରୁତି, ଅର୍ଥାତ ଓଡ଼ିଶାର ମୂଳ ଓ ମୌଳିକ କାହାଣୀକୁ ନେଇ ସବୁବେଳେ ଦର୍ଶକଙ୍କୁ ଏମିତି କିଛି ଚଳଚ୍ଚିତ୍ର ଭେଟିଦେବୁ।

ସମ୍ବନ୍ଧିତ ଖବର