ଭୁବନେଶ୍ଵର/ (ବିମଳ ପ୍ରସାଦ ମହାନ୍ତ): ଡିସେମ୍ବର ୨୪ ତାରିଖ ଦିନ ରିଲିଜ୍ ହୋଇଛି ରଣବୀର ସିଂହଙ୍କ ଅଭିନୀତ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘୮୩’ । ୨୦୨୦ ଏପ୍ରିଲ ୧୦ରେ ରିଲିଜ୍ ହେବାକୁ ସ୍ଥିର ହୋଇଥିବା ଏହି ଚଳଚ୍ଚିତ୍ର କରୋନା ଯୋଗୁଁ ରିଲିଜ୍ ହୋଇ ପାରିନଥିଲା । ତେବେ ଡିସେମ୍ବର ୨୪ ରେ ରିଲିଜ୍ ହେବା ପରେ ‘୮୩’ ଚଳଚ୍ଚିତ୍ରକୁ ଲୋକମାନେ ଅନେକମାତ୍ରାରେ ପସନ୍ଦ କରିବେ କାରଣ ଚଳଚ୍ଚିତ୍ରଟିର ନିର୍ମାଣ ହିଁ ଉଚ୍ଚକୋଟୀର ହୋଇଛି ।
୧୯୮୩ ମସିହାରେ କପିଳ ଦେବଙ୍କ ନେତୃତ୍ଵରେ ଭାରତ ପ୍ରଥମ କ୍ରିକେଟ୍ ବିଶ୍ଵକପ୍ କିଭଳି ଜିତିଲା ସେହି ବିଷୟବସ୍ତୁକୁ ନେଇ ‘୮୩’ ଚଳଚ୍ଚିତ୍ରଟି ତିଆରି ହୋଇଛି ।
/sambad/media/post_attachments/wp-content/uploads/2021/12/83.jpeg)
ଚଳଚ୍ଚିତ୍ରର ପ୍ରାରମ୍ଭରେ ସିନେମାଟିରେ ୧୯୮୩ ମସିହା ବିଶ୍ଵକପର ଦଳର ସଦସ୍ୟମାନଙ୍କୁ ଦର୍ଶକଙ୍କ ସମ୍ମୁଖରେ ପରିଚିତ କରେଇବା ପାଇଁ ଚେଷ୍ଟା କରାଯାଇଛି। ଏହାପରେ ଚଳଚ୍ଚିତ୍ରର କାହାଣୀ ଆଗକୁ ବଢୁଛି । ୧୯୮୩ ମସିହାରେ ଭାରତ ଖେଳିଥିବା ପ୍ରତ୍ୟେକ ମ୍ୟାଚକୁ ‘୮୩’ ଚଳଚ୍ଚିତ୍ରଟିରେ ଆପଣମାନେ ଦେଖିବାକୁ ପାଇବେ । ସେହି ବିଶ୍ଵକପରେ ଜିମ୍ବାଓ୍ଵେ ବିରୋଧରେ ଭାରତ ୧୭ ରନରେ ୫ଟି ଓ୍ଵିକେଟ ହରାଇ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହାପରେ କପିଳ ଦେବ ବ୍ୟାଟିଂ କରି ୧୬ଟି ଚୌକା ଓ ୬ଟି ଛକା ସହ ଅପରାଜିତ ୧୭୫ ରନ୍ କରିଥିଲେ । ଦୁର୍ଭାଗ୍ୟବଶତଃ ଏହି ଇଂନିସର ଭିଡିଓ ଫୁଟେଜ୍ ନଥିବାରୁ ଆମେ କପିଳ ଦେବଙ୍କ ଏହି ମହାନ ଇଂନିସ ଦେଖିପାରିନାହୁଁ ପୁନର୍ବାର । ତେବେ କପିଳ ଦେବଙ୍କ ଏହି ମହାନ ଇଂନିସକୁ ‘୮୩’ ଚଳଚ୍ଚିତ୍ର ପାଇଁ ସୁଟିଂ କରାଯାଇଛି ଯାହାକୁ ଆପଣମାନେ ଦେଖିପାରିବେ । ଚଳଚ୍ଚିତ୍ରରେ ଏପରି ଅନେକ ଅତ୍ୟନ୍ତ ସୁନ୍ଦର ଦେଶାତ୍ମବୋଧକ ଦୃଶ୍ୟ ଅଛି ଯାହାକୁ ଦେଖି ଆପଣଙ୍କ ମନ ଦେଶାତ୍ମକ ଭାବନାରେ ଭରିଯିବ।
ଅଭିନୟ: ‘୮୩’ ଚଳଚ୍ଚିତ୍ରର ସମସ୍ତ ଅଭିନେତା ଅତ୍ୟନ୍ତ ନିଛ୍ଛକ ଭାବେ ନିଜର ଭୂମିକାକୁ ନିଭେଇଛନ୍ତି । ସମସ୍ତେ ନିଜ ନିଜର ଚରିତ୍ର ପ୍ରତି ନ୍ୟାୟ ପ୍ରଦର୍ଶନ କରିଛନ୍ତି। କପିଳ ଦେବଙ୍କ ଭୂମିକାରେ ରଣବୀର ସିଂହ ଅତ୍ୟନ୍ତ ପ୍ରଭାବଶାଳୀ ଅଭିନୟ କରିଛନ୍ତି । ରଣବୀର ସିଂହ ପ୍ରକୃତ କପିଳ ଦେବଙ୍କ ପରି ହିଁ ଲାଗୁଛନ୍ତି। କପିଳ ଦେବଙ୍କ ସ୍ତ୍ରୀ ରୋମିଙ୍କ ଭୂମିକାକୁ ଦୀପିକା ପାଦ୍ୟୁକୋନ ଜୀବନ୍ତ କରି ଗଢିଛନ୍ତି । ଟିମ୍ ମ୍ୟାନେଜର ଭୂମିକାରେ ପଙ୍କଜ ତ୍ରିପାଠି ପୁଣିଥରେ ତାଙ୍କର ଅଭିନୟର ଯାଦୁ ଦେଖେଇଛନ୍ତି ।
ସଂଳାପ: ଚଳଚ୍ଚିତ୍ରର ସଂଳାପ ବା ଡାଏଲଗ୍ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି । ସମସ୍ତେ ନିଜ ନିଜର ସଂଳାପକୁ ଏତେ ସୁନ୍ଦର ଭାବେ କହିଛନ୍ତି ଯେ ଦର୍ଶକମାନେ ତାଳିମାରିବାକୁ ବାଧ୍ୟ ହେବେ । ସଂଳାପ ହିଁ ‘୮୩’ ଚଳଚ୍ଚିତ୍ରର ସବୁଠାରୁ ବଡ ପ୍ଲସ୍ ପଏଣ୍ଟ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ସଂଳାପ ଗୁଡିକ ଆପଣମାନଙ୍କୁ ହସେଇବାକୁ,କନ୍ଦେଇବାକୁ ମଧ୍ୟ ବାଧ୍ୟ କରିବ ।
/sambad/media/post_attachments/wp-content/uploads/2021/12/83b.jpg)
ସଂଗୀତ: ‘୮୩’ ଚଳଚ୍ଚିତ୍ରରେ ଗୀତଗୁଡିକୁ କାହାଣୀ ସହିତ ଯୋଡି ବନା ହୋଇଛି । ପୁରୁଣା ଚଳଚ୍ଚିତ୍ରର ଗୀତଗୁଡିକ ଭଳି ଏହି ଚଳଚ୍ଚିତ୍ରର ଗୀତଗୁଡିକରେ ଅର୍ଥ ଭରିରହିଛି । କାହାଣୀ ସହିତ ଏହି ଗୀତଗୁଡିକ ବାଜିଲା ବେଳେ ଦର୍ଶକମାନେ ଭାବନାରେ ଭରିଯିବେ ଏଥିରେ କୌଣସି ସନ୍ଦେହ ନାହଁ । ପ୍ରତ୍ୟେକ ଗୀତ ପ୍ରେରଣାଦାୟୀ ହୋଇଛି ।
ନିର୍ଦେଶନା: କବିର୍ ଖାନ୍ ‘୮୩’ ଚଳଚ୍ଚିତ୍ରର ନିର୍ଦେଶକ ଅଟନ୍ତି । କବିର୍ ଖାନ୍ ଏହି ଚଳଚ୍ଚିତ୍ର ପାଇଁ କଠୋର ପରିଶ୍ରମ କରିଛନ୍ତି ଯାହାର ପ୍ରତିଫଳନ ଚଳଚ୍ଚିତ୍ରଟିରେ ଦେଖିବାକୁ ମିଳିଛି । ତେବେ କବିର୍ ଖାନ୍ ଆହୁରି ଅଧିକ ସଠିକ୍ କାମ କରିପାରିଥାଆନ୍ତେ।
ଚଳଚ୍ଚିତ୍ରର ବିଯୁକ୍ତ ପଏଣ୍ଟ୍:
୮୩’ ଚଳଚ୍ଚିତ୍ରର ସବୁଠାରୁ ବଡ ବିଯୁକ୍ତ ପଏଣ୍ଟ୍ ହେଉଛି, ଚଳଚ୍ଚିତ୍ରର ସଂପୂର୍ଣ୍ଣ ସମୟ ଅବଧିର ପାଖାପାଖି ୭୫ ପ୍ରତିଶତରୁ ଅଧିକ ଭାଗରେ କ୍ରିକେଟ୍ ମ୍ୟାଚକୁ ଦେଖାଯାଇଛି ତେଣୁ ଯେଉଁ ଲୋକମାନଙ୍କର କ୍ରିକେଟ୍ ପ୍ରତି ରୁଚି ନାହିଁ ସେମାନେ ସହଜରେ ଏହି ଚଳଚ୍ଚିତ୍ରକୁ ଦେଖି ବୁଝିପାରିବେ ନାହିଁ । ଆଉ ଗୋଟିଏ ବିଯୁକ୍ତ ପଏଣ୍ଟ ହେଉଛି ଚଳଚ୍ଚିତ୍ରଟିରେ ଇଂରାଜୀ ଭାଷାର ପ୍ରୟୋଗ । ଭାରତ ବିଦେଶୀ ଦଳ ବିରୋଧରେ ଓ ବିଦେଶରେ ବିଶ୍ଵକପ ମ୍ୟାଚଗୁଡିକୁ ଖେଳୁଥିବାରୁ ଚଳଚ୍ଚିତ୍ରଟିକୁ ଜୀବନ୍ତ କରିବା ପାଇଁ କିଛି ସ୍ଥାନରେ ଇଂରାଜୀ ଭାଷାର ପ୍ରୟୋଗ କରାଯାଇଛି । ଇଂରାଜୀ ଭାଷା ବୁଝିପାରୁ ନଥିବା ଲୋକଙ୍କୁ ସେହି କିଛି ନିର୍ଦ୍ଦିଷ୍ଟ ଦୃଶ୍ୟଗୁଡିକ ଭଲ ଲାଗି ନପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/83a.jpg)