ମୁମ୍ବାଇ: ବିଦାୟୀ ୨୦୨୨ରେ ଅନେକ ଭଲ ଚଳଚ୍ଚିତ୍ର ପରଦାକୁ ଆସି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ‘ଗଙ୍ଗୁବାଈ କାଠିଆୱାଡି’ରୁ ‘ଡକ୍ଟର ଜି’, ‘ଆୟେ ଜିନ୍ଦେଗୀ’, ‘ଅନେକ’, ‘ବଧାଇ ଦୋ’ ପରି ୨୦ଟି ହିନ୍ଦୀ ଛବି ଦର୍ଶକାଦୃତି ପାଇଛି। ସେହିପରି ୨୦୨୨ରେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଆଦୃତ ସ୍ବୀକୃତ ହୋଇ ଓଡ଼ିଆ ଦର୍ଶକଙ୍କୁ ପୁଣି ଥରେ ଫିଲ୍ମହଲକୁ ଭିଡି ଆଣିଥିଲା। ୨୦୨୨ର ଉଲ୍ଲେଖନୀୟ ହିନ୍ଦୀ ଓ ଓଡ଼ିଆ ସିନେମାକୁ ନେଇ ବିଶେଷ ପ୍ରତିବେଦନ।
ବଲିଉଡ୍ ସିନେମା
ଡକ୍ଟର ଜି: ଏଇ ଚଳଚ୍ଚିତ୍ରରେ ଆୟୁଷ୍ମାନ୍ ଖୁରାନା, ରାକୁଲପ୍ରୀତ ସିଂହ, ଶେଫାଳି ଶାହ, ଶିବା ଚଢା, ପରେଶ ପାହୁଜା, ରାଜ ଶର୍ମା, ଅଭିନୟ ରାଜ ସିଂହ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ହାଲୁକା ହୃଦୟର ଚରିତ୍ର ଏବଂ କୌତୁକିଆ ଘଟଣାର କାହାଣୀ ଦର୍ଶକଙ୍କୁ ଆମୋଦିତ କରିଥିଲା।
ଆଏ ଜିନ୍ଦେଗୀ: ରେବତୀ, ସତ୍ୟଜିତ ଦୁବେ, ମୃଣ୍ମୟୀ ଗଡବୋଲେ, ଶ୍ରୀକାନ୍ତ ବର୍ମା, ହେମନ୍ତ ଖେରଙ୍କ ଅଭିନୀତ ଏଇ ଚଳଚ୍ଚିତ୍ରଟିର ଅବଧି ଥିଲା ମାତ୍ର ୧୦୪ ମିନିଟ୍। ଜୀବନର ଅବନତି ଓ ନୈରାଶ୍ୟ ଭିତରେ ମଣିଷ କେମିତି ଏକ ସୁନ୍ଦର ସମାପ୍ତି ପାଖରେ ପହଞ୍ଚିପାରୁଛି ତାହା ଏଇ ସିନେମାରେ ଦେଖିବାକୁ ମିଳିଥିଲା।
ଯୋଗୀ: ଦିଲଜିତ ଦୋସାଞ୍ଝ, କୁମୁଦ ମିଶ୍ର, ମହମ୍ମଦ ଜିସାନ ଆୟୁବ, ହିତେନ ତିୱାରୀ, ପରେଶ ପାହୁଜା, ନିଲୁ କୋହଲି ପ୍ରମୁଖ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଯୋଗୀ’ ମାନବିକତା ଓ ବନ୍ଧୁତା ଉପରେ ଆଧାରିତ ଥିଲା। ଏହା ଦର୍ଶକଙ୍କୁ ଭିନ୍ନ ଭାବରେ ଆକୃଷ୍ଟ କରିଥିଲା।
ଲାଇଫ୍ ଇଜ୍ ଗୁଡ: ଦର୍ଶନ ଜରିୱାଲା, ଜ୍ୟାକି ସ୍ରଫ୍, ରଜିତ କପୁର, ଅଙ୍କିତା ଶ୍ରୀବାସ୍ତବ, ମୋହନ କପୁର, ସାନନ୍ଦ ବର୍ମା, ନକୁଲ ସହଦେବ, ଅନନ୍ୟ ବିଜ ପ୍ରମୁଖ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲାଇଫ୍ ଇଜ ଗଡ’ରେ ମଣିଷ ଜୀବନର ବିଭିନ୍ନ ବ୍ୟତିକ୍ରମ, ସଙ୍ଘର୍ଷ ଓ ସଫଳତା ପ୍ରତିଫଳିତ ହେଇଥିଲା।
ଗୋବିନ୍ଦା ନାମ ମେରା: କିଆରା ଆଡଭାନୀ, ଭିକ୍କି କୌଶଲ, ଭୂମି ପେଦନେକର, ସାୟାଜୀ ସିନ୍ଦେ, ଦୟାନନ୍ଦ ସେଟ୍ଟୀ, ରେଣୁକା ଶାହାନେ, ତୃପ୍ତି ଖାମକର, ଆମି ବାଗ ପ୍ରମୁଖଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା ‘ଗୋବନ୍ଦା ନାମ ମେରା’ ଚଳଚ୍ଚିତ୍ରରେ। ନବେ ଦଶକର କାହାଣୀ ହେଇଥିଲେ ବି ଏଥିରେ ଥିଲା ଭରପୂର ହାସ୍ୟରସ।
ଏ ହୋଲି କନ୍ସ୍ପିରାସି: ନସିରୁଦ୍ଦିନ ଶାହ, ସୌମିତ୍ର ଚଟୋପାଧ୍ୟାୟ, ଆନାସୁଆ ମଜୁମଦାର, କୌସିକ ସେନ, ଅମ୍ରିତା ଚଟ୍ଟୋପାଧ୍ୟାୟ ପ୍ରମୁଖ ପରିଚିତ କଳାକାରଙ୍କୁ ଦେଖିବାକୁ ମିଳିଥିଲା ଏଇ ଚଳଚ୍ଚିତ୍ରରେ। ପରସ୍ପର ଭିତରେ ଆବିଳତା ଓ ଷଡଯନ୍ତ୍ର ଚାଲିଥିଲେ ବି ଏଇ ଚରିତ୍ରମାନଙ୍କ ଭିତରେ କେତେ ପବିତ୍ର ମାନସିକତା ଥିଲା ତାହା ଦର୍ଶକ ଅନୁଭବ କଲେ।
ଗଙ୍ଗୁବାଈ କାଠିଆୱାଡି: ଆଲିଆ ଭଟ୍ଟ, ଅଜୟ ଦେବଗନ, ବିଜୟରାଜ, ସୀମା ଭାର୍ଗବ, ଶାନ୍ତନୁ ମାହେଶ୍ବରୀ, ଜିମ୍ ଶର୍ବ ପ୍ରମୁଖଙ୍କୁ ଅତୀତର ଜଣେ ଦେହଜୀବୀଙ୍କ ବାସ୍ତବ କାହାଣୀ ଆଧାରିତ ‘ଗଙ୍ଗୁବାଈ କାଠିଆୱାଡି’ କାହାଣୀେରେ ଦେଖିବାକୁ ମିଳିଥିଲା। ବ୍ରିଟିଶ୍ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଆର୍ଟସ ପକ୍ଷରୁ ସଞ୍ଜୟ ଲୀଲା ଭଁସାଲୀଙ୍କ ନିର୍ଦ୍ଦେଶିତ ଏଇ ସିନେମାକୁ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଚିତ୍ରନାଟ୍ୟ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟଙ୍କୁ ପୁରସ୍କୃତ କରାଯାଇଥିଲା।
ଏହା ବ୍ୟତୀତ ଆୟୁଷ୍ମାନ ଖୁରାନା, ଅଭିନୟ ରାଜ ସିଂହ, ମନୋଜ ପାହୱା, କୁମୁଦ ମିଶ୍ର ଓ ଜେଡି ଚକ୍ରବର୍ତ୍ତୀଙ୍କ ‘ଅନେକ’, ଅଜୟ ଦେବଗନ, ଅମିତାଭ ବଚ୍ଚନ, ରାକୁଲପ୍ରୀତ, ଅଙ୍ଗିରା ଧର, ବୋମାନ ଇରାନୀ, ଆକାଙ୍କ୍ଷା ସିଂହଙ୍କ ଅଭିନୀତ ‘ରନୱେ-୩୪’, ରାଜକୁମାର ରାଓ, ଭୂମି ପେଦନେକର, ଶିବା ଚଢା, ଶଶିଭୂଷଣ, ଲଭଲିନ ମିଶ୍ର, ନିତେଶ ପାଣ୍ଡେ, ଚୁମ୍ ଦାରଙ୍ଗ ଓ ଦୀପକ ଆରୋଙ୍କ ଅଭିନୀତ ‘ବଧାଇ ଦୋ’ ମଧ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା।
ତାପସୀ ପନ୍ନୁ ଓ ଗୁଲସନଙ୍କ ‘ବ୍ଲର’ ଓ ନୀନା ଗୁପ୍ତା, ସଞ୍ଜୟ ମିଶ୍ର ଓ ମାନବ ବିଜଙ୍କ ‘ବଧ’ ଆଉ ତୃପ୍ତି ଦିମରୀ, ସ୍ବସ୍ତିକ ମୁଖାର୍ଜୀ, ବବିଲ ଖାନ୍, ଅମିତ ସିଅଲଙ୍କ ଅଭିନୀତ ‘କାଲା’ ଗଗନ ଆରାରୋ, ଅର୍ଜୁନ ମାଥୁରଙ୍କ ଅଭିନୀତ ‘ଡୋଣ୍ଟ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍’ ମଧ୍ୟ ଦର୍ଶକାଦୃତ ହେଇଥିଲା।
ପୁଣି କାଜଲ, ବିଶାଲ ଜେଟୱା, ରାହୁଲ ବୋଷ, ରାଜୀବ ଖଣ୍ଡେଲୱାଲ, ଆହନା କୁମରା, ପ୍ରକାଶରାଜ, ପ୍ରିୟାମଣି, ରିଦ୍ଧି କୁମାର, ମାଲା ପରଭଥୀ, ଅମୀର ଖାନଙ୍କ ପରି କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା ଚଳଚ୍ଚିତ୍ର ‘ସଲାମ୍ ଭେଙ୍କି’ରେ। ବରୁନ ଧୱନ୍, କ୍ରୀତି ସାନୁନ୍, ଅଭିଶେକ ବାନାର୍ଜୀ ଓ ଦୀପକ ଦୋବ୍ରିୟାଲଙ୍କ ‘ଭେଡିୟା’, ଅଜୟ ଦେବଗନ, ତବୁ, ଶ୍ରୀୟା ଶରଣ, ଈଶିତା ଦତ୍ତ, ଅକ୍ଷୟ ଖାନ୍ନା, ରଜତ କପୁର ଓ ସୌରଭ ଶୁକ୍ଳାଙ୍କ ‘ଦୃଶ୍ୟମ୍-୨’ ଦର୍ଶକଙ୍କୁ ଛୁଇଁ ଯାଇଥିଲା। ଏହାଛଡ଼ା ଅମିତାଭ ବଚ୍ଚନ, ଅନୁପମ ଖେର, ବୋମାନ ଇରାନୀ, ନୀନା ଗୁପ୍ତା, ପରିଣୀତି ଚୋପ୍ରା, ନଫିସା ଅଲ୍ଲୀ ଓ ଡ୍ୟାନି ଡେଞ୍ଜୋପାଙ୍କ ‘ଉଞ୍ଚାଇ’ କ୍ୟାଟ୍ରିନା କୈଫ୍, ଇଶାନ୍ ଖଟ୍ଟର, ସିଦ୍ଧାର୍ଥ ଚତୁର୍ବେଦୀ ଜ୍ୟାକି ସ୍ରଫ୍ ପ୍ରମୁଖ କଳାକାରଙ୍କ ‘ଫୋନ୍ ଭୂତ’ ଏବଂ ମାଧୁରୀ ଦୀକ୍ଷିତ, ଗଜରାଜ ରାଓ, ରିତ୍ବିକ୍ ଭୌମିକ, ବର୍ଖା ସିଂହ ପ୍ରମୁଖଙ୍କ ଅଭିନୀତ ‘ମାଜା ମା’ ଆଦି ଚଳଚ୍ଚିତ୍ର ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।
ଓଡ଼ିଆ ସିନେମା
ଦମନ
୨୦୨୨ରେ ଅଭିନେତା ବାବୁଶାନ୍ ତାଙ୍କ ପ୍ରଶଂସକଙ୍କୁ ଭେଟି ଦେଇଥିଲେ ଚଳଚ୍ଚିତ୍ର ‘ଦମନ’। ତାଙ୍କ ସହ ଥିଲେ ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହେଇଥିଲା। ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିଥିଲା। ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଥିଲେ ଦୀପେନ୍ଦ୍ର ସାମଲ। ଜେପି ୱାର୍ଲଡ୍ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଥିଲେ ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର। ଏ ଚିତ୍ରଟି ଟିଭିରେ ନୁହେଁ ଦୀର୍ଘଦିନ ଧରି କେବଳ ପ୍ରେକ୍ଷାଳୟରେ ପ୍ରଦର୍ଶିିତ ହେଉଥିଲା।
ପ୍ରତୀକ୍ଷା
ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଡିସେମ୍ବର ମାସରେ ମୁକ୍ତିଲାଭ କରିଥିଲା। ପୂର୍ବରୁ ଏହି ଚଳଚ୍ଚିତ୍ରଟିର ୱାଶିଂଟନ ଡିସି ଏମ୍ସି ମଣ୍ଟଗୋମେରି ସିକ୍କିନଠାରେ ୱାର୍ଲ୍ଡ ଟିଭି ପ୍ରିମିୟର ଅନୁଷ୍ଠିତ ହୋଇଥିଲା। ଦକ୍ଷିଣ ଏସିଆ ଚଳଚ୍ଚିତ୍ର ବର୍ଗରେ ଚୟନ ହୋଇଥିବା ଅନେକ ଚଳଚ୍ଚିତ୍ର ମଧ୍ୟରୁ ‘ପ୍ରତୀକ୍ଷା’ ବିଶେଷ ଭାବରେ ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଓଡ଼ିଆ ଘରର କାହାଣୀକୁ ନେଇ ନିର୍ମିତ ‘ପ୍ରତୀକ୍ଷା’ ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ପ୍ରଯୋଜନା ସଂସ୍ଥା ଅମିୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ‘ବାପା’ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ବପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବସିତ ହୋଇଥିଲା। ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ଦ୍ବୀପନ୍ବିତ ଦାସ ମହାପାତ୍ର, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଥିଲେ।