ଓଲିଉଡ୍ର ଡ୍ୟାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ରଙ୍କୁ ଗୋଟିଏ ଓଡ଼ିଆ ସିନେମାରେ ନାୟକ ଭାବେ ଅଭିନୟ କରିବାକୁ ପ୍ରସ୍ତାବ ମିଳିଥିଲା। କିନ୍ତୁ କୌଣସି କାରଣରୁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ପରେ ପ୍ରସ୍ତାବିତ ଛବିର କାହାଣୀ ଶୁଣି ଓଲିଉଡ୍ର ସୋବର୍ ବୟ ସବ୍ୟସାଚୀ ଅଭିନୟ ଲାଗି ଆଗ୍ରହ ଦେଖାଇ ଉତ୍ସାହିତ ହୋଇଥିଲେ, କିନ୍ତୁ ନିଷ୍ପତ୍ତି ଜଣାଇବାକୁ ସମୟ ନେଇଥିଲେ। ତା’ପରେ ‘ଆଜିର ରେବତୀ’ ଫେମ୍ ବଙ୍ଗୀୟ ନାୟକ ବନି ସେନଗୁପ୍ତାଙ୍କୁ ନିଆଯିବା ଲାଗି ଆପାତତଃ ସ୍ଥିରୀକୃତ ହୋଇଥିଲା। ଉଭୟ ଓଡ଼ିଆ ଓ ବଙ୍ଗଳାରେ ନିର୍ମିତ ହେଉଥିବାରୁ ବନି ଥିଲେ ପର୍ଫେକ୍ଟ୍ ଚଏସ୍।
ହେଲେ ତାଙ୍କ ପ୍ରାଇସ୍ ନିର୍ମାତାଙ୍କୁ ଦ୍ବନ୍ଦ୍ବରେ ପକାଇଦେଲା। ଏହାପରେ ସେହି ଭୂମିକା ଲାଗି ‘ଆଇ ଲଭ୍ ୟୁ -୨’ ଫେମ୍ ଆଦିତ୍ୟଙ୍କ କଥା ବିଚାରକୁ ନିଆଯାଇଥିଲା। ଏତେ ସବୁ ଅଦଳବଦଳ ଭିତରେ ଶେଷରେ ବାଜି ମାରିଛନ୍ତି ନାୟକ ଅଭିଷେକ ପଣ୍ଡା। ରମେଶ ବାରିକଙ୍କ ପ୍ରଯୋଜିତ ‘ସ୍ପଟ୍ବୟ’ରେ ନାୟକ ଭାବେ ଚୁକ୍ତିବଦ୍ଧ ହୋଇଛନ୍ତି ଅଭିଷେକ। ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ‘ରାମ୍’ ଫେମ୍ ରୂପସା। ଅଭିଷେକ ପଣ୍ଡାଙ୍କୁ ଦର୍ଶକ ନିକଟରେ ମୁକ୍ତିଲାଭ କରିଥିବା ‘ଘମାଘୋଟ’ରେ ଦେଖିବାକୁ ପାଇଛନ୍ତି। ଡକ୍ଟର ରଜନୀରଂଜନ ଏହି ଫିଲ୍ମର ସଂଳାପ ଲେଖିଥିବା ବେଳେ ଅସଦ୍ ନିଜାମ୍ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।