ଅଭିନେତା ସୋନୁ ସୁଦ୍‌ଙ୍କ ନାମରେ ଅଭିଯୋଗ ଆଣି ମାମଲା ଦାୟର କଲା ବିଏମ୍‌ସି

ମୁମ୍ବାଇ: ବଲିଉଡ କଳାକାର ସୋନୁ ସୁଦଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୁଲିସ୍‌ ଅଭିଯୋଗ କରିଛି  । ବିଏମସି ତା’ର ଅଭିଯୋଗରେ ଉଲ୍ଲେଖ କରିଛି କି ସୋନୁ ଜୁହୁସ୍ଥିତ ଏକ ୬ ମହଲା କୋଠାକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ବିଏମସି କହିଛି କି ସୋନୁ ଏଭଳି କରିବା ପୂର୍ବରୁ ବିଏମସିର ଅନୁମତି ନେଇନାହାନ୍ତି । ତେଣୁ ସୋନୁ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ୍ ପ୍ଲାନିଂ ନିୟମ (ଧାରା-୭) କୁ ଅବମାନନା ଭଳି ଏକ ଦଣ୍ଡନୀୟ ଅପରାଧ କରିଛନ୍ତି ।

ବିଏମସି ତରଫରୁ ଜାନୁଆରୀ ୪ ତାରିଖରେ ଜୁହୁ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସୋନୁ ସୁଦ ଏ.ବି ନାୟାର ରୋଡ ନିକଟରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ନିୟମ ମୁତାବକ ଶକ୍ତି ସାଗର ଏକ ଆବାସିକ କୋଠା ଅଟେ। ତେଣୁ ଏହାକୁ ବାଣିଜ୍ୟ କାରବାରରେ ବ୍ୟବହାର କରାଯାଇପାରିବ ନାହିଁ । ବିଏମସି ଅହୁରି ଅଭିଯୋଗ କରିଛି କି ସୋନୁ ସୁଦ୍‌ ନିଜେ ଏହି ଜମିର କିଶମ ପରିବର୍ତ୍ତନ କରିଦେଇଛନ୍ତି । ଏହାସହ ବିଏମସିର ବିନା ପରାମର୍ଶରେ ଅନୁମତିଠାରୁ ଅଧିକ ଉଚ୍ଚତାର କୋଠା ନିର୍ମାଣ କରିଛନ୍ତି  ଏବଂ ଅବାସିକ କୋଠାକୁ ବାଣିଜ୍ୟ କାରବାର ନିମନ୍ତେ ବ୍ୟବହାର କରୁଛନ୍ତି । ଏନେଇ ବିଏମସି ଠାରୁ ଯେଉଁ ଅନୁମତି ଓ ପ୍ଲାନିଂ ନେବା କଥା ତାହା ସେ କରିନାହାନ୍ତି ।

ସୋନୁଙ୍କ ନାମରେ ଏଭଳି ଅଭିଯୋଗ ଆସିବା ପରେ ସେ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ସେ ପ୍ରଥମେ ଏହି କୋଠାର ବ୍ୟବହାରିକ ପରିବର୍ତ୍ତନ ପାଇଁ ବିଏମସିଠାରୁ ଅନୁମତି ନେଇଛନ୍ତି ଓ ଏବେ ମହାରାଷ୍ଟ୍ର କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟର ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି ।
ସମ୍ବନ୍ଧିତ ଖବର