‘ବିଗ ବସ’ ସେଟରେ ଅଗ୍ନିକାଣ୍ଡ

ମୁମ୍ୱାଇ: ସଲମାନ ଖାନଙ୍କ ରିୟାଲିଟି ସୋ ‘ବିଗ ବସ’-୧୫ ସେଟରେ ଅଗ୍ନିକାଣ୍ଡ ଘଟିଛି । ମଧ୍ୟାହ୍ନ ସମୟରେ ମୁମ୍ୱାଇର ଗୋରେଗାଓଁ ସ୍ଥିତ ରିୟାଲିଟି ସୋ’ ‘ବିଗ ବସ’ରେ ଅଗ୍ନିକାଣ୍ଡ ଘଟିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

 

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ୪ଟି ଦମକଳ ଗାଡି ଆସି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ସୌଭାଗ୍ୟବଶତଃ ଆକସ୍ମିତ ଭାବେ ଲାଗିଥିବା ଏହି ନିଆଁରେ କୌଣସି ପ୍ରକାର ଜନଜୀବନ କ୍ଷତି ହୋଇ ନଥିବା ଜଣାପଡିଛି । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ବିଗ ବସର ୧୫ତମ ସଂସ୍କରଣର ଫିନାଲେ ନିକଟରେ ଶେଷ ହୋଇଥିଲା। ଏକ ବିଶେଷ ସୂତ୍ରରୁ ପ୍ରକାଶ, ବିଗ୍ ବସ୍ ପରେ ଏକତା କପୁରଙ୍କ ଆଗାମୀ ରିୟାଲିଟି ସୋ ‘ଲକ୍ ଅପ୍’ର ସୁଟିଂ ଏହି ସ୍ଥାନରେ ଆରମ୍ଭ ହେବାକୁ ଯାଉଛି । ତେବେ ଏ ବିଷୟରେ କୌଣସି ଅଫିସିଆଲ୍ ନିଶ୍ଚିତ କରାଯାଇ ନାହିଁ।

କଙ୍ଗନା ରାନାୱତ ଏକତା କପୁରଙ୍କ ‘ଅଲ୍ଟ ବାଲାଜୀ’ ଏବଂ ଏମଏକ୍ସ ପ୍ଲେୟାରରେ ଷ୍ଟ୍ରିମିଂ ହେବାକୁ ଥିବା ରିୟାଲିଟି ସୋ’ର ହୋଷ୍ଟ କରିବାକୁ ଯାଉଛନ୍ତି । ଏହି ରିୟାଲିଟି ସୋ ସବୁଠାରୁ ବିପଜ୍ଜନକ ଏବଂ ବୋଲ୍ଡ ହେବାକୁ ଯାଉଛି ବୋଲି ନିର୍ମାତା କହିଛନ୍ତି।

 

ସମ୍ବନ୍ଧିତ ଖବର