ନିଆଁ ଲାଗି ଜଳିଗଲା ଫିଲ୍ମ ଯୋଦ୍ଧା ଆକବରର ସୁଟିଂ ସେଟ

ମୁମ୍ବାଇ: ମୁମ୍ବାଇ ନିକଟସ୍ଥ କରଜାଟରେ ଥିବା ଏନଡି ଷ୍ଟୁଡିଓରେ ଆଜି ନିଆଁ ଲାଗିଯାଇଛି | ଆଉ ଅଗ୍ନିକାଣ୍ଡ ଫଳରେ ଫିଲ୍ମ ଯୋଦ୍ଧା-ଆକବରର ଆଇକନିକ ସେଟ୍ ଜାଳି ପୋଡି ପାଉଁଶ ହୋଇଯାଇଛି | ବଲିଉଡର ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଏନଡି ଷ୍ଟୁଡିଓର ସେଟରେ ସୁଟିଂ କରାଯାଇଛି | ହିନ୍ଦୀ ସିନେମାର ଜଣେ ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ଦ୍ୱାରା ଏନଡି ଷ୍ଟୁଡିଓ ନିର୍ମାଣ କରାଯାଇଥିବାବେଳେ ଏହା ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଖାଲାପୁର ନିକଟରେ ଅବସ୍ଥିତ |

ପୁଲିସ ଅଧିକାରୀଙ୍କ ଦ୍ୱାରା ମିଳିଥିବା ସୂଚନା ମୁତାବକ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଷ୍ଟୁଡିଓରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି ଜୀବନହାନୀ ହୋଇନାହିଁ | ତେବେ ଏହି ଅଗ୍ନିକାଣ୍ଡରେ ଫିଲ୍ମ ଯୋଦ୍ଧା ଆକବରରେ ବ୍ୟବହାର ହୋଇଥିବା ବିଶାଳ ସୁଟିଂ ସେଟ ସମ୍ପୂର୍ଣ୍ଣ ଜଳିଯାଇଛି | ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏକାଧିକ ଅଗ୍ନିଶମ ଗାଡି ନିୟୋଜିତ ହୋଇଥିଲେ | ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ। ସୂଚନାଯୋଗ୍ୟ ଫିଲ୍ମ ଯୋଦ୍ଧା ଆକବର ଚଳଚ୍ଚିତ୍ର ୨୦୦୮ରେ ମୁକ୍ତିଲାଭ କରିଥିଲା ​​|

ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ସମ୍ରାଟ ଆକବର ଏବଂ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଯୋଦ୍ଧା ବାଇ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ସୁଟିଂ ଶେଷ ହେବା ପରେ ମଧ୍ୟ ସେଟକୁ ସେମିତି ରଖାଯାଇଥିଲା | ୫୦ ଏକରରୁ ଅଧିକ କ୍ଷେତ୍ରଫଳରେ ବିସ୍ତାର ଏହି ଷ୍ଟୁଡିଓରେ ଅନେକ ଐତିହାସିକ ଚଳଚ୍ଚିତ୍ର ପାଇଁ ସମ୍ପୂର୍ଣ୍ଣ ସେଟ୍ ଅପ୍ ପାଇଁ ସ୍ଥାନ ଅଛି |

ସମ୍ବନ୍ଧିତ ଖବର