ମାଲେଗାଓଁ: ଦୀପାବଳି ଅବସରରେ ସଲମାନ୍ ଖାଁଙ୍କ ବହୁ ଆକାଂକ୍ଷିତ ହିନ୍ଦୀ ସିନେମା ‘ଟାଇଗର-୩’ ମୁକ୍ତିଲାଭ କରିଛି। ଏକ ପ୍ରେକ୍ଷାଳୟ ପରଦାରେ ସଲମାନଙ୍କୁ ଦେଖି ତାଙ୍କ ପ୍ରଶଂସକମାନେ ଏକ ଅଭିନବ ଶୈଳୀରେ ତାଙ୍କୁ ସ୍ବାଗତ କରିଥିଲେ, ଯାହାର ଭିଡିଓ ଏବେ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ମହାରାଷ୍ଟ୍ରର ମାଲେଗାଓଁ ସ୍ଥିତ ମୋହନ ଥିଏଟରରେ ଗତ ରବିବାର ଏହି ଫିଲ୍ମଟି ମୁକ୍ତିଲାଭ କରିଥିଲା। ପରଦାରେ ସଲମାନଙ୍କ ଆଗମନକୁ ଦେଖି ହଲ୍ ଭିତରେ ବସିଥିବା ପ୍ରଶଂସକମାନେ ବାଣ ଫୁଟାଇ ତାଙ୍କୁ ସ୍ବାଗତ କରିଥିଲେ। ଦର୍ଶକମାନେ ବିପଦ ଆଶଙ୍କାରେ ହଲ୍ ଭିତରେ ନିରାପଦ ସ୍ଥାନକୁ ଦୌଡ଼ିବାକୁ ଲାଗିଥିଲେ, ଯାହା ଦଳାଚକଟା ପରିସ୍ଥିତ ସୃଷ୍ଟି କରିଥିଲା। ପ୍ରେକ୍ଷାଳୟ ଭିତରେ ବାଣଫୁଟାର ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ପୁଲିସ ଏଥିପାଇଁ ଦାୟୀ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।
ପୁଲିସର ସୂଚନାନୁଯାୟୀ, ରାତି ୧୦ଟା ୧୫ ବେଳେ ହଲ୍ ଭିତରେ ଥିବା କିଛି ଦର୍ଶକ ସୁତୁଲି ବୋମା, ତାଳଫୋଟକାଠୁ ଆରମ୍ଭ କରି ରକେଟ୍ ବାଣ ଫୁଟାଇଥିଲେ। ଏଥିରେ କେହି ଆହତ ହୋଇନାହାନ୍ତି, କିନ୍ତୁ ନିବୁଜ ପ୍ରେକ୍ଷାଳୟରେ ଏହା ଏକ ବିପଜ୍ଜନକ ପରିବେଶ ସୃଷ୍ଟି କରିଥିଲା। ଏହି ଘଟଣା ବାବଦରେ ଅବଗତ ହେଲା ପରେ ସଲମାନ ତାଙ୍କ ‘ଏକ୍ସ’ ପୃଷ୍ଠାରେ ନିଜର ପ୍ରଶଂସକମାନଙ୍କୁ ନିବେଦନ କରି କହିଛନ୍ତି, ‘ଏପରି ବିପଜ୍ଜନକ କାର୍ଯ୍ୟ ନକରି ଆମେ ଫିଲ୍ମଟିକୁ ଉପଭୋଗ କରିବା ବହୁତ ଭଲ ହେବ।’ ତେବେ ଉତ୍ସାହୀ ଦର୍ଶକମାନେ ପ୍ରିୟ ଅଭିନେତାଙ୍କୁ ବାଣ ଫୁଟାଇ ସ୍ବାଗତ କରିବା ଘଟଣା ନୂଆ ନୁହେଁ। ପୂର୍ବରୁ ଅକ୍ଟୋବର ୭ ତାରିଖରେ ମାଲେଗାଓଁ ସ୍ଥିତ ଏକ ପ୍ରେକ୍ଷାଳୟ ଭିତରେ ଶାହରୁଖ ଖାଁଙ୍କ ପ୍ରଶଂସକମାନେ ଅନୁରୂପ ଭାବେ ବାଣ ଫୁଟାଇ ତାଙ୍କୁ ସ୍ବାଗତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/sfhsffhfhfhfhfhs.jpg)