ନିମ୍ରିତାଙ୍କ ପ୍ରଥମ ସିନେମା: ଲଭ୍ ସେକ୍ସ ଔର୍ ଧୋକା-୨

କଲର୍ସ ଟିଭିରେ ପ୍ରସାରିତ ପ୍ରଣୟଭିତ୍ତିକ ଧାରାବାହିକ ‘ଛୋଟି ସର୍ଦ୍ଦାରିଣୀ’ର ଦ୍ବୈତ ମୁଖ୍ୟ ଭୂମିକ ପାଇଁ ଘରେ ଘରେ ପରିଚିତ ନିମ୍ରିତ କୌର ଆହ୍ଲୁୱାଲିଆଙ୍କର ଚାହିଦା ଏବେ କାହିଁରେ କ’ଣ। ମାତ୍ର ତିନି ବର୍ଷର ଅଭିନୟ ଜୀବନ ଭିତରେ ୯ଟି ଧାରାବାହିକ ସମେତ ଦୁଇଟି ସଂଗୀତ ଭିଡିଓରେ ସେ ତାଙ୍କର ପ୍ରତିଭା ଦେଖାଇ ପାରିଛନ୍ତି। କିନ୍ତୁ ବଡ଼ ପରଦାରେ ଆସିବାର ସ୍ବପ୍ନ ଏଯାଏ ସାକାର ହୋଇପାରି ନ ଥିଲା। ଆଗକୁ ହିନ୍ଦୀ ସିନେମା ‘ଲଭ୍‌ ସେକ୍ସ ଔର ଧୋକା-୨’ ମାଧ୍ୟମରେ ତାହା ଚରିତାର୍ଥ ହେବ ବୋଲି ଜଣାପଡ଼ିଛି।

ନୂଆଦିଲ୍ଲୀ ଠାରେ ୧୯୯୪ ଡିସେମ୍ବର ୧୧ ତାରିଖରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ନେଇଥିବା ନିମ୍ରିତ ଆଇନ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ପିତାଙ୍କର ଭ୍ରାମ୍ୟମାଣ ସେନା ଚାକିରି ଯୋଗୁଁ ବିଭିନ୍ନ ରାଜ୍ୟରେ ଅବସ୍ଥାନ କରିବା ଅବସରରେ ସେ ସୁଯୋଗ ଦେଖି ମଡେଲିଂରେ ଭାଗ ନେବା ଆରମ୍ଭ କରିଥିଲେ ଏବଂ ୨୦୧୮ରେ ‘ଫେମିନା ମଣିପୁର ସୁନ୍ଦରୀ’ ଆଖ୍ୟା ହାସଲ କରିବା ସହ ଭାରତର ଶ୍ରେଷ୍ଠ ସୁନ୍ଦରୀଙ୍କ ତାଲିକାର ଦ୍ବାଦଶ ସ୍ଥାନରେ ରହିଥିଲେ।

ଏହି ପଞ୍ଜାବୀ ଲଳନା ଜଣେ ପ୍ରଶିକ୍ଷିତା ଜାଜ୍‌ ନୃତ୍ୟାଙ୍ଗନା ମଧ୍ୟ। ତେବେ ସେ ଅଭିନୟ ଦୁନିଆଁକୁ ପ୍ରବେଶ କରିବା ପୂର୍ବରୁ ଜଣେ ଓକିଲ ଭାବରେ ନିଜର ପେସାଗତ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ‘ମସ୍ତାନି’ ନାମକ ସଂଗୀତ ଭିଡିଓରେ ସେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଦ୍ବିତୀୟ ସଂଗୀତ ଆଲବମ୍‌ ‘ସିରିଅସ୍‌’ ଢେର ଲୋକପ୍ରିୟ ହୋଇପାରିଥିଲା। ଟିଭି ପରଦାରେ ନିମ୍ରିତଙ୍କର ପ୍ରଥମ ପଦାର୍ପଣ ହୋଇଥିଲା ୨୦୧୯ରେ ଧାରାବାହିକ ‘ଛୋଟି ସର୍ଦ୍ଦାରିଣୀ’ ମାଧ୍ୟମରେ। ସେହିପରି ବାସ୍ତବଧର୍ମୀ ଧାରାବାହିକ ‘ବିଗ୍‌ ବସ୍‌-୧୩, ୧୪’ରେ ସାମିଲ ହେବା ସହ ‘ଶକ୍ତି-ଅସ୍ତିତ୍ବ କେ ଏହସାସ କି’, ‘ଇସ୍କ ମେଁ ମରଜାଵାଁ’ ଓ ‘ଉଦରିୟାଁ’ ଆଦି ଧାରାବାହିକରେ ନିଖୁଣ ଅଭିନୟ କରି ସେ ଦର୍ଶକମାନଙ୍କ ମନ ଜିଣିପାରିଛନ୍ତି। ଗତ ବର୍ଷ ‘ବିଗ୍‌ ବସ୍‌-୧୬’ରେ ମଧ୍ୟ ପ୍ରତିଯୋଗୀ ସାଜି ନିମ୍ରିତ ଦର୍ଶକଙ୍କୁ ମୁଗ୍‌ଧ କରିପାରିଛନ୍ତି। ତେବେ ତାଙ୍କର ବହୁ ପ୍ରତୀକ୍ଷିତ ସ୍ବପ୍ନ ଏ ବର୍ଷ ସାକାର ହେବାକୁ ଯାଉଛି। ତାଙ୍କ ଅଭିନୟ ଦକ୍ଷତାକୁ ଠିକ୍‌ ଠଉରେଇ ପାରି ପ୍ରଖ୍ୟାତ ପ୍ରଯୋଜିକା ଏକତା କପୁର ତାଙ୍କର ଆଗାମୀ ସିନେମା ‘ଲଭ୍‌ ସେକ୍ସ ଔର ଧୋକା-୨’ରେ ନିମ୍ରିତଙ୍କୁ ପ୍ରମୁଖ ନାୟିକା ଭାବେ ନେବା ଲାଗି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର