ବିଦୂଷୀ ବିଦେଶିନୀ ନର୍ଗିସ ଫାଖରି

ବିଦେଶିନୀ ହୋଇ ସୁଦ୍ଧା ଆମେରିକୀୟ ମଡେଲ ତଥା ଅଭିନେତ୍ରୀ ନର୍ଗିସ ଫାଖରିଙ୍କର ଭାରତୀୟ ସିନେମାରୁ ହାସଲ କରିଥିବା ଉପଲବ୍‌ଧି ଅନ୍ୟମାନଙ୍କ ପାଇଁ ଉଦାହରଣୀୟ। ମାତ୍ର ୧୦ ବର୍ଷର ଅଭିନୟ ଜୀବନ ଭିତରେ ୧୫ଟି ସିନେମା ଓ ୩ଟି ସଂଗୀତ ଭିଡିଓ ମାଧ୍ୟମରେ ନିଜର ଦକ୍ଷତା ପ୍ରଦର୍ଶନ କରି ଦୁଇ ଥର ଜାତୀୟ ସ୍ତରର ପୁରସ୍କାର ହାସଲ କରିବା ଏବଂ ଅନୁରୂପ ପୁରସ୍କାର ପାଇଁ ତାଙ୍କ ନାମକୁ ୬ ଥର ସୁପାରିସ କରାଯିବା କିଛି କମ୍‌ କଥା ନୁହେଁ। ଆମେରିକାର ନ୍ୟୁୟର୍କ ସହରସ୍ଥିତ କ୍ବିନ୍‌ସ ଠାରେ ୧୯୭୯ ଅକ୍ଟୋବର ୨୦ ତାରିଖରେ ଜନ୍ମିତା ନର୍ଗିସଙ୍କର ପିତା ଜଣେ ପାକିସ୍ତାନୀ ଏବଂ ମାଆ ହେଉଛନ୍ତି ଚେକୀୟ। ତେଣୁ ସେ ନିଜକୁ ଜଣେ ବୈଶ୍ବିକ ନାଗରିକ ଭାବେ ବିବେଚନା କରନ୍ତି। ଦୁଃଖର କଥା, ନର୍ଗିସଙ୍କୁ ମାତ୍ର ୬ ବର୍ଷ ହୋଇଥିବା ବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ଏବଂ କିଛି ବର୍ଷ ପରେ ତାଙ୍କ ପିତାଙ୍କର ପରଲୋକ ଘଟିଥିଲା।

ମାଆଙ୍କ ପାଖରେ ପ୍ରତିପାଳିତ ନର୍ଗିସ ୧୬ ବର୍ଷ ବେଳୁ ମଡେଲିଂ କରିବା ଆରମ୍ଭ କରି ଦେଇଥିଲେ। ତେବେ ୨୦୦୯ରେ ଭାରତୀୟ କମ୍ପାନି କିଙ୍ଗ୍‌ଫିସର୍‌ କ୍ୟାଲେଣ୍ଡରରେ ସ୍ଥାନ ପାଇଲା ପରେ ସେ ବିଶେଷ ଭାବରେ ଲୋକଲୋଚନକୁ ଆସିଥିଲେ। ତାହା ହିଁ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଇମତିଆଜ୍‌ ଅଲିଙ୍କୁ ଆକର୍ଷିତ କରିଥିଲା। ଫଳସ୍ବରୂପ, ୨୦୧୧ରେ ପ୍ରଣୟଭିତ୍ତିକ ହିନ୍ଦୀ ସିନେମା ‘ରକ୍‌ଷ୍ଟାର’ ପାଇଁ ନର୍ଗିସ ମନୋନୀତ ହୋଇଥିଲେ। ଏହି ପ୍ରଥମ ଫିଲ୍ମ ଅଜସ୍ର ଲୋକପ୍ରିୟତା ସହ ସମୀକ୍ଷକମାନଙ୍କର ମିଶ୍ର ପ୍ରତିକ୍ରିୟା ଆଣିଥିଲା। ଏଥିପାଇଁ ଶ୍ରେଷ୍ଠ ନବାଗତା ନାୟିକା ଭାବେ ତାଙ୍କୁ ଫିଲ୍ମଫେଆର ପୁରସ୍କାର ପାଇଁ ସୁପାରିସ କରାଯାଇଥିବା ବେଳେ ରଣବୀର କପୁରଙ୍କ ସହ ସେ ଶ୍ରେଷ୍ଠ ଉତ୍ତେଜକ ଯୋଡ଼ି ଭାବେ ‘ଆଇଫା’ ସମ୍ମାନ ଲାଭ କରିଥିଲେ। ଭାରତୀୟ ଭାଷାରେ ଭଲରେ କଥାବାର୍ତ୍ତା କରିପାରୁନଥିବା ବିଦୂଷୀ ନର୍ଗିସ୍‌ ୨୦୧୩ରେ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ମାଡ୍ରାସ କ୍ୟାଫେ’ରେ ମଧ୍ୟ ଅନୁରୂପ ଦର୍ଶକୀୟ ସ୍ବୀକୃତି ସାଉଁଟିଥିଲେ।

ସେହି ବର୍ଷ ଶେଷ ଆଡ଼କୁ ହାସ୍ୟରସାତ୍ମକ ସିନେମା ‘ଫଟା ପୋଷ୍ଟର ନିକ୍‌ଲା ହିରୋ’ର ଆଇଟମ ଗୀତ ‘ଧାଟିଂ ନାଚ୍‌’ରେ ସହିଦ କପୁରଙ୍କ ସହ ନର୍ଗିସଙ୍କର ନୃତ୍ୟାଭିନୟକୁ ମଧ୍ୟ ଦର୍ଶକ ମନଭରି ଉପଭୋଗ କରିଥିଲେ। ଏହାପରେ ‘ମେଁ ତେରା ହିରୋ’ରେ ନର୍ଗିସଙ୍କର ଅଭିନୟ ମଧ୍ୟ ମନମୋହକ ରହିଥିଲା ଏବଂ ସେଥିପାଇଁ ତାଙ୍କୁ ଫିଲ୍ମଫେଆର୍‌ ଗ୍ଲାମର ଓ ଷ୍ଟାଇଲ ସମ୍ମାନ ମିଳିଥିଲା। ଏହି ଅବସରରେ ହଲିଉଡ୍‌ରେ ତାଙ୍କର ପ୍ରଥମ ଆବିର୍ଭାବ ହୋଇଥିଲା ‘ସ୍ପାଏ’ ଫିଲ୍ମରେ। ସେହିପରି ସେ ୨୦୧୬ରେ ତାମିଲ ଫିଲ୍ମ ‘ସାଗାସମ୍‌’ରେ ଦେଖାଦେଇଥିଲେ ଏକ ସ୍ବତନ୍ତ୍ର ଭୂମିକାରେ। ଏହାପରେ କ୍ରିକେଟର୍‌ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ଜୀବନୀ ଉପରେ ଆଧାରିତ ‘ଆଜହର’ ଫିଲ୍ମରେ ନର୍ଗିସ ଅଭିନୀତ ଆଜହରଙ୍କ ପତ୍ନୀ ସଙ୍ଗୀତା ବିଜଲାନି ଚରିତ୍ରକୁ ମିଶ୍ର ପ୍ରତିକ୍ରିୟା ମିଳିଥିଲା। ପରବର୍ତ୍ତୀ ସିନେମା ‘ହାଉସ୍‌ଫୁଲ୍‌-୩’ ଓ ‘ବେଞ୍ଜୋ’ରେ ମଧ୍ୟ ନର୍ଗିସଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା। ସେହିପରି ‘ଅମାବାସ’ ଓ ‘ଟୋରବାଜ’ ଆଦି ସିନେମାରେ ତାଙ୍କ ଉପସ୍ଥିତି, ଚରିତ୍ରକୁ ଖାପ ଖାଇଲା ଭଳି ହୋଇଥିବା ଦର୍ଶକମାନଙ୍କ ମତ। ଚଳିତବର୍ଷ ମୁକ୍ତିଲାଭ କରିବାକୁ ଥିବା ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ ‘ହରି ହର ବୀର ମଲ୍ଲୁ’କୁ ସେ ଏବଂ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର