ଏଥର ରଜର ଆକର୍ଷଣ: ଚାରି ଓଡ଼ିଆ ସିନେମା

ଭୁବନେଶ୍ବର: ଏଥର ରଜ ଉପଲକ୍ଷେ ମୁକ୍ତିଲାଭ କରିଛି ଚାରିଟି ନୂଆ ଓଡ଼ିଆ ସିନେମା। ଏଥିମଧ୍ୟରୁ ପ୍ରଥମଟି ହେଲା ‘ପ୍ରେମମ୍’। ଏହା ଜୁନ୍ ୩ ତାରିଖରେ ପରଦାକୁ ଆସିଥିଲା। ଏହି ସିନେମାରେ ଲୋକପ୍ରିୟ ନାୟକ ବାବୁସାନଙ୍କ ସହ ନାୟିକା ଭୂମିକାରେ ଦେଖା ଦେଇଛନ୍ତି ପ୍ରକୃତି ମିଶ୍ର। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଉଷସୀ, ଚୌଧୁରୀ ବିକାଶ ଦାସ ଓ ସାତ୍ୟକୀ ମିଶ୍ର ପ୍ରମୁଖ ବି ନଜର ଆସିଛନ୍ତି। ଶିଶିର କୁମାର ଷଡ଼ଙ୍ଗୀ ‘ପ୍ରେମମ୍’ର ପ୍ରଯୋଜନା କରିଛନ୍ତି। ତାପସ ସରଘରିଆ ଏହାର ନିର୍ଦ୍ଦେଶକ।


ତାପରେ ଗତ ୧୦ ତାରିଖରେ ରିଲିଜ୍ ହୋଇଛି ‘ଦିଲ୍ ମୋର ମାନେନା’। ଏହା ଏକ ଟିନ୍ ଏଜ୍ ଲଭଷ୍ଟୋରି ବୋଲି କୁହାଯାଉଛି। ଏଥିରେ ଓଲିଉଡର ଦୁଇ ୟଙ୍ଗ ଷ୍ଟାର୍ ସ୍ୱରାଜ ଓ ଶିବାନୀ ପ୍ରଥମ ଥରଲାଗି ଏକାଠି ଆସୁଛନ୍ତି। ସ୍ୱରାଜ ଓ ଶିବାନୀଙ୍କ ବ୍ୟତୀତ ମିହିର ଦାସ, ସଲିଳ ମିତ୍ର, ଗୁଡୁ, ସରୋଜ ଦାସ, ଅମର, ଓ ଶ୍ରୀଧର ମାର୍ଥା ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହାର ପ୍ରଯୋଜକ ହେଲେ ବାପୁନ କୁମାର, ଶ୍ରୀଧର ମାର୍ଥା ଓ ଛବିତା ମାର୍ଥା। ହିମାଂଶୁ ପରିଜା(ଚଣ୍ଡୀ) ଏହି ସିନେମାର ନିର୍ଦ୍ଦେଶକ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ।

ଏଣେ ଅମ୍ଳାନ, ସନମୀରା, ଅନନ୍ୟା ଓ ଶୈଳେନ୍ଦ୍ରଙ୍କ ଅଭିନୀତ ‘ଗୁପଚୁପ୍’ ବି ମୁକ୍ତିଲାଭ କରିଛି। ଏହାଛଡ଼ା ପପୁ ପମପମ୍ ଓ ଶୈଳେନ୍ଦ୍ରଙ୍କୁ ଦେଖିବାକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଭୂମିକାରେ।‘ଗୁପଚୁପ୍’ର ନିର୍ମାତା ହେଲେ ସଂଘମିତ୍ର ମହାନ୍ତି ଓ ଅନିକେତ ଦାସ। ପୃଥ୍ଵୀରାଜ ପଟ୍ଟନାୟକ ଏହାର ନିର୍ଦ୍ଦେଶକ।


ଆକ୍ସନଧର୍ମୀ ସିନେମା ‘ବିଶ୍ୱନାଥ’ ବି ରଜର ଅନ୍ୟତମ ଆକର୍ଷଣ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ବବଲି କିରନ୍। ଏଥିରେ ସମ୍ବିତ୍ ଓ ସମ୍ଭାବନା ନାୟକ-ନାୟିକା ଭୂମିକାରେ ଅଛନ୍ତି। ଉଭୟଙ୍କ ବ୍ୟତୀତ ଏହି ସିନେମାରେ ମିହିର ଦାସ, ରାଇମୋହନ, ପ୍ରତିଭା ପଣ୍ଡା, ପୃଥ୍ବୀରାଜ, ଡ଼ ରଜନୀ ରଂଜନ, ସଲିଲ ମିତ୍ର, ଗୁଡ଼ୁ, ମନୀଷା, ଚୌଧୁରୀ ବିକାଶ ଦାସ ଓ ଏମ୍.ଭବାନୀ ପ୍ରମୁଖ ଅଭିନୟ କରୁଛନ୍ତି। ଏହାର ସଂଳାପ ଡ଼ ରଜନୀ ରଂଜନ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର।

ସମ୍ବନ୍ଧିତ ଖବର