‘ମୋ ସାଙ୍ଗ ପରି କେହି ନୁହନ୍ତି, ଆଜି ଯଦି ସୁପରଷ୍ଟାର କେବଳ ତା’ ପାଇଁ’- ଏହି ସାଙ୍ଗଙ୍କ ପାଇଁ ପୁରସ୍କାର ଉତ୍ସର୍ଗ କଲେ ରଜନୀକାନ୍ତ

'ରଜନୀ କଣ୍ଡକ୍ଟର ଥିଲେ ଆଉ ମୁଁ ଡ୍ରାଇଭର ଥିଲି'

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଅଭିନେତା ରଜନୀକାନ୍ତଙ୍କୁ ୫୧ତମ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯାଇଛି। ଭାରତୀୟ ଚଳଚ୍ଚିତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କ ଠାରୁ ୭୦ ବର୍ଷିୟ ରଜନୀକାନ୍ତ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ତେବେ ପୁରସ୍କାର ଗ୍ରହଣ କରିବା ପରେ ସେ ଏହି ପୁରସ୍କାରକୁ ବନ୍ଧୁ ରାଜ ବାହାଦୂରଙ୍କୁ ଉତ୍ସର୍ଗ କରିଥିଲେ। ତେବେ ଆଜି ଆମେ ଆପଣଙ୍କୁ ରଜନୀକାନ୍ତଙ୍କ ବନ୍ଧୁ ରାଜ ବାହାଦୂରଙ୍କ ବାବଦରେ କହିବୁ | ଯାହାଙ୍କୁ ରଜନୀ ତାଙ୍କ ଦାଦାସାହେବ ଫାଲକେ ପୁରସ୍କାର ଉତ୍ସର୍ଗ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ରଜନୀକାନ୍ତ କହିଥିଲେ ଯେ, “କର୍ଣ୍ଣାଟକର ରାଜ ବାହାଦୁର ଜଣେ ବସ୍ ଡ୍ରାଇଭର। ସେ ମୋର ସହକର୍ମୀ ଏବଂ ମୋର ପରମ ବନ୍ଧୁ। ମୁଁ ଯେତେବେଳେ ଜଣେ ବସ୍ କଣ୍ଡକ୍ଟର ଥିଲି, ସେତେବେଳେ ସେ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ମୋ ଭିତରେ ଅଭିନୟ ପ୍ରତିଭାକୁ ଚିହ୍ନିଥିଲେ ଏବଂ ମୋତେ ସିନେମା ଦୁନିଆକୁ ଯିବାକୁ ଉତ୍ସାହିତ କରିଥିଲେ’ |

ରାଜ ବାହାଦୂରଙ୍କ ନାମ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ନୂଆ ନୁହେଁ। ରାଜ ବାହାଦୂର ବାଙ୍ଗାଲୋରର ଚମରାଜପେଟରେ ରୁହନ୍ତି। ରାଜ ବାହାଦୂର ହେଉଛନ୍ତି ସେହି ବ୍ୟକ୍ତି ଯିଏ ଶିବାଜୀ ରାଓ ଗାଏକୱାଡଙ୍କୁ ରଜନୀକାନ୍ତ ହେବାର ପ୍ରେରଣା ଦେଇଥିଲେ। ଏହି ବ୍ୟକ୍ତି ରଜନୀଙ୍କୁ ତାମିଲ ଭାଷାରେ କହିବା ଶିଖାଇଥିଲେ। ରାଜ ବାହାଦୂରଙ୍କ କହିବା ମୁତାବକ ଆମର ବନ୍ଧୁତା ୫୦ ବର୍ଷ ପୁରୁଣା। ସେ କହିଛନ୍ତି, “ମୁଁ ୧୯୭୦ ରେ ତାଙ୍କୁ(ରଜନୀ) ଭେଟିଥିଲି। ତା’ପରେ ରଜନୀ ବସ୍ କଣ୍ଡକ୍ଟର ଭାବରେ ଏବଂ ମୁଁ ଡ୍ରାଇଭର ଭାବରେ ଚାକିରିରେ ଯୋଗ ଦେଇଥିଲୁ। ସେ ଆମର ପରିବହନ କର୍ମଚାରୀଙ୍କ ମଧ୍ୟରେ ସର୍ବୋତ୍ତମ ଅଭିନେତା ଥିଲେ। ଯେତେବେଳେ ବିଭାଗର ସାଂସ୍କୃତିକ କାର୍ଯ୍ୟକ୍ରମ ଥାଏ, ରଜନୀକାନ୍ତ ମଞ୍ଚରେ ଅଭିନୟ କରୁଥିଲେ । ଡ୍ୟୁଟି ଶେଷ କରିବା ପରେ ମଧ୍ୟ ସେ ବିଭିନ୍ନ ନାଟକରେ ଅଭିନୟ କରୁଥିଲେ।

‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରଜନୀକାନ୍ତ

 

ଯଦିଓ ରାଜ ବାହାଦୂର ଏହି କଥାକୁ ଉଲ୍ଲେଖ କରନ୍ତି ନାହିଁ, କିନ୍ତୁ ରଜନୀକାନ୍ତ ନିଜେ ଅନେକ ଥର କହିଛନ୍ତି ଯେ ରାଜ ବାହାଦୂର ବେତନ ହିସାବରେ ୪୦୦ ଟଙ୍କା ପାଉଥିଲେ। ଯେତେବେଳେ ସେ ରଜନୀକାନ୍ତଙ୍କୁ ଚେନ୍ନାଇର ଏକ ଅଭିନୟ ବିଦ୍ୟାଳୟରେ ଆଡମିଶନ କରିବାକୁ ପଠାଇଲେ, ସେତେବେଳେ ସେ ରଜନୀକାନ୍ତଙ୍କୁ ଖାଲି ହାତରେ ପଠାଇ ନଥିଲେ। ସେ ବେତନର ଅଧା(୨୦୦ ଟଙ୍କା)କୁ ରଜନୀକାନ୍ତଙ୍କୁ ପ୍ରତି ମାସରେ ପଠାଉଥିଲେ। ଏହି ଟଙ୍କା ସାହାଯ୍ୟରେ ରଜନୀକାନ୍ତ ଚେନ୍ନାଇରେ ଦୁଇ-ତିନି ବର୍ଷର ଅଭିନୟ ପାଠ୍ୟକ୍ରମ ଶେଷ କରିବାରେ ସକ୍ଷମ ହୋଇଥିଲେ। ରାଜ ବାହାଦୁର ବର୍ତ୍ତମାନ ଚାକିରିରୁ ଅବସର ନେଇଛନ୍ତି ଏବଂ ତାଙ୍କ ଭାଇଙ୍କ ପରିବାର ସହ ଏକ ସରଳ ଜୀବନଯାପନ କରୁଛନ୍ତି। ସୂଚନା ଥାଉ କି ରଜନୀ ବସ୍ ନମ୍ବର ୧୦ଏ ର କଣ୍ଡକ୍ଟର ଥିଲେ, ଯାହା ମାଜିଷ୍ଟିକ୍ ଏବଂ ଶ୍ରୀନଗର ମଧ୍ୟରେ ଚାଲିଥିଲା। ଚାମରାଜପଟରେ ରାଜ ବାହାଦୁର ରହୁଥିବାବେଳେ ରଜନୀ ହନୁମନ୍ତନଗରରେ ରହୁଥିଲେ। ସେତେବେଳେ ବି ରଜନୀ ଯାତ୍ରୀଙ୍କୁ ମନୋରଞ୍ଜନ କରୁଥିଲେ | ଏତେ ବର୍ଷ ପରେ ମଧ୍ୟ, ୭୭ ବର୍ଷୀୟ ରାଜ ବାହାଦୂରଙ୍କର କେବଳ ଜଣେ ଭଲ ବନ୍ଧୁ ଅଛନ୍ତି, ଯାହାକୁ ବିଶ୍ୱ ଥାଲାଇଭା ଭାବରେ ଜାଣେ |

ସମ୍ବନ୍ଧିତ ଖବର