ମୁମ୍ବାଇ: ଭାରତୀୟ ସିନେମାର କିଂବଦନ୍ତି ପୁରୁଷ ଅମିତାଭ ବଚ୍ଚନ ତାଙ୍କ ଅଭିନୟ ପାଇଁ ଯେତିକି ପ୍ରସିଦ୍ଧ, ବର୍ତ୍ତମାନର ଯୁବଦର୍ଶକଙ୍କ ଭିତରେ ମଧ୍ୟ ସେତିକି ଲୋକପ୍ରିୟ। ସୋନିଟିଭିରେ ପ୍ରସାରିତ ରିୟଲିଟି ସୋ’ କୌନ୍ ବନେଗା କରୋଡ଼ପତି ( କେବିସି)ର ହଟସିଟ୍ରେ ବସି ପୂରା ସୋ’ର ସଂଚାଳନ ଅମିତାଭଙ୍କୁ ଘରେ ଘରେ ପରିଚିତ କରାଯାଇଛି। ବର୍ତ୍ତମାନ୍ ଏହି ସୋ’ର ୧୫ତମ ସିଜନ୍ର ପ୍ରସାରଣ ଜାରି ରହିଛି। ବଚ୍ଚନ୍ଙ୍କୁ ଜଣେ ଟିଭି ଆଙ୍କର ଭାବେ ଲୋକପ୍ରିୟତା, ମୋଟାଅଙ୍କର ପାରିଶ୍ରମିକ ଓ ପେସାଦାର ସଫଳତା ଦେଇଥିବା କେବିସିରେ କାମ କରିବେକି ନାହିଁ ସେ ନେଇ ଦ୍ବନ୍ଦ୍ବରେ ଥିଲେ। କିନ୍ତୁ ପରିସ୍ଥିତିର ଚାପରେ ହେଉ କିଂବା ପେସାଗତ ନିଷ୍ପତ୍ତି ହେଉ, ଅମିତାଭ ବଚ୍ଚନ ଟିଭି ପରଦାକୁ ଓହ୍ଲାଇ ଆସିଥିଲେ, ଯାହା ପରେ ତାଙ୍କ ଲାଗି ଏହା ସର୍ବକାଳୀନ ଠିକ୍ ନିଷ୍ପତ୍ତି ବୋଲି ପ୍ରମାଣିତ ହୋଇଥିଲା। ନିଜର ବ୍ୟାବସାୟିକ ସଂସ୍ଥା ଅମିତାଭ ବଚ୍ଚନ୍ କର୍ପୋରେସନ୍ର ବ୍ୟାପକ କ୍ଷତି ହେତୁ ଋଣଭାରରେ ବୁଡ଼ି ଯାଇଥିବା ବଚ୍ଚନଙ୍କୁ ଦୁସ୍ଥିତି ଭିତରୁ ଆଶାର ଆଲୋକ ଦେଖାଇଥିଲା କେବିସି।
ଏବିସି
ଅଭିନୟ କ୍ୟାରିରରେ ସଫଳତାର ଶୀର୍ଷରେ ଥିବା ବେଳେ ୧୯୮୭ ମସିହାରେ ଅମିତାଭ ବଚ୍ଚନ ଏକ ଏଣ୍ଟରଟେନ୍ମେଣ୍ଟ କମ୍ପାନି ପ୍ରତିଷ୍ଠା କରିଥିଲେ। ତାହାର ନାମ ଥିଲା ‘ଅମିତାଭ ବଚ୍ଚନ କର୍ପୋରେସନ୍ ଲିମିଟେଡ୍’ (ଏବିସିଏଲ୍)। ଏହି କମ୍ପାନି ଚଳଚ୍ଚିତ୍ର ପ୍ରଯୋଜନା ସହିତ ଡିଷ୍ଟ୍ରିବ୍ୟୁସନ୍ ମଧ୍ୟ କରୁଥିଲା। ପ୍ରାରମ୍ଭରୁ କମ୍ପାନି ଏକ ବଡ଼ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା। ହିନ୍ଦୁସ୍ତାନ ଲିଭର୍ ଲିମିଡେଟ୍ରେ କାର୍ଯ୍ୟରତ ସଞ୍ଜୀବ ଗୁପ୍ତାଙ୍କୁ କମ୍ପାନିର ସିଇଓ ଭାବେ ନିଯୁକ୍ତି ଦେଇଥିଲା। ପ୍ରଥମ ବର୍ଷ ‘ଦେଖ୍ ଭାଇ ଦେଖ’ ଭଳି ଏକ କମେଡି ଫିଲ୍ମ ନିର୍ମାଣ କରିବା ସହିତ କେକେ ଫିଲ୍ମର ହିନ୍ଦୀ ରାଇଟ୍ ମାଧ୍ୟମରେ ୧୫ କୋଟି ଟଙ୍କା ଲାଭ କରିଥିଲେ। ୧୯୯୬ ମସିହାରେ ଏହି କମ୍ପାନି ‘ବିଶ୍ବ ସୁନ୍ଦରୀ’ ପ୍ରତିଯୋଗିତା’ର ଆୟୋଜନ କରିଥିଲା। ମାତ୍ର, ସେତେବେଳେ ସାରାଦେଶରେ ଏହାକୁ ବିରୋଧ କରାଯାଇଥିଲା। ଯେଉଁ ନାରୀବାଦୀ ଓ ସଙ୍ଗଠନ ଏହା ବିରୋଧର ନେତୃତ୍ବ ନେଉଥିଲେ, ସେମାନଙ୍କର ଯୁକ୍ତି ଥିଲା ଯେ ଏହିଭଳି ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ଆୟୋଜନ ମହିଳାଙ୍କ ଆତ୍ମସମ୍ମାନକୁ କ୍ଷୁଣ୍ଣ କରୁଛି ଏବଂ ଏହା ଦେଶର ମୂଲ୍ୟବୋଧ ଓ ପରମ୍ପରାର ବିରୁଦ୍ଧାଚରଣ କରୁଛି। ଏହିଭଳି ବିରୋଧ ଏବିସିଏଲ୍ର ଭାବମୂର୍ତ୍ତିରେ ବହୁତ ବଡ଼ ଆଞ୍ଚ ଆଣିଥିଲା। ଧୀରେଧୀରେ କମ୍ପାନିର ପରିଚାଳନାଗତ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୧୯୯୯ ମସିହା ବେଳକୁ କମ୍ପାନି ଆର୍ଥିକ ଦୃଷ୍ଟିରୁ କୋଟିକୋଟି ଟଙ୍କାର କ୍ଷତି ହୋଇସାରିଥିଲା। କମ୍ପାନିର ସମୁଦାୟ ମୂଲ୍ୟ ୬୦କୋଟି ୫୨ ଲକ୍ଷ୍ୟ ହୋଇଥିବା ବେଳେ ଏହା ୯୦ କୋଟିର ଋଣଭାରରେ ବୁଡ଼ି ସାରିଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦେଶର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ସମୟରେ ଏବିସିଏଲ୍କୁ ଏହିଭଳି ଭାବେ ଆର୍ଥିକ ଦୁଃସ୍ଥିତି ମଧ୍ୟଦେଇ ଗତି କରିବାକୁ ପଡ଼ୁଥିଲା। ଇତିମଧ୍ୟରେ ସଞ୍ଜୀବ ଗୁପ୍ତା ବି କୋକାକୋଲାର ପ୍ରେସିଡେଣ୍ଟ ଓ ସିଇଓ ଭାବେ ଯୋଗଦେଇ ସାରିଥିଲେ। ଏଥିସହିତ, ଏବିସିଏଲ୍ ନିଜର ଅସ୍ତିତ୍ବ ହରାଇଥିଲା।
କେବିସି
‘କୌନ ବନେଗା କୋରଡ଼ପତି?’ ବା ‘କିଏ ହେବେ କୋଟିପତି?’ ୨୦୦୦ ମସିହା ଜୁଲାଇ ମାସରେ ପ୍ରସାରିତ ଏହି ନାମରେ ପ୍ରସାରିତ ‘ଟେଲିଭିଜନ ଗେମ୍ ସୋ’କୁ ନେଇ ସାରାଦେଶରେ ଚର୍ଚ୍ଚା ହୋଇଥିଲା। ‘କୌନ ବନେଗା କୋରଡ଼ପତି’ ବା ‘କେବିସି’ ନାମରେ ପରିଚିତ ତଥା ‘ଷ୍ଟାର୍ ପ୍ଲସ୍’ରେ ପ୍ରସାରିତ ଏହି ଗେମ୍ ସୋ’ରେ ଭାଗନେଉଥିବା ପ୍ରତିଯୋଗୀମାନେ ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିଲେ ୧ କୋଟି ଟଙ୍କାର ପୁରସ୍କାର ରାଶି ଲାଭ କରିବା ହିଁ ଥିଲା ଚର୍ଚ୍ଚାର ମୂଳକାରଣ। ତେବେ, ଏହି ସୋ ଅଧିକ ଆକର୍ଷଣୀୟ ହୋଇଥିଲା ଯେତେବେଳେ ‘ହୋଷ୍ଟ’ ଭାବେ ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନ କାର୍ଯ୍ୟକ୍ରମ ସଞ୍ଚାଳନ କଲେ। ଅମିତାଭ ବଚ୍ଚନଙ୍କ ଗୁରୁଗମ୍ଭୀର କଣ୍ଠସ୍ବର, ନିଆରା ଅନ୍ଦାଜର ବାର୍ତ୍ତାଳାପ, ପ୍ରତିଦ୍ବନ୍ଦ୍ବୀଙ୍କୁ ଦ୍ବନ୍ଦ୍ବରେ ରଖିବାର ଚତୁରତା ଏବଂ ସର୍ବୋପରି ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ବ ଏହି ‘ଗେମ୍ ସୋ’କୁ ପୂରାପୂରି ଶୀର୍ଷକୁ ନେଇଯାଇଥିଲା। ‘କେବିସି’ ପ୍ରଥମ ସଜିନର ପ୍ରିମୟର୍ ସୋ ଥିଲା ଜୁଲାଇ ୩ ତାରିଖ।
କୁହାଯାଏ, ୨୦୦୦ ମସିହାରେ କେତେକ ଚଳଚ୍ଚିତ୍ର ଲଗାତାର ‘ବକ୍ସ ଅଫିସ୍’ରେ ଅସଫଳ ହେବା ଏବଂ ‘ଅମିତାଭ ବଚ୍ଚନ କର୍ପୋରେସନ ଲିମିଟେଡ’ (ଏବିସିଏଲ୍) ଭୁଶୁଡ଼ି ପଡ଼ିବା କାରଣରୁ ଅମିତାଭଙ୍କ ଭଳି ଏତେ ବଡ଼ ମେଗାଷ୍ଟାର୍ ମଧ୍ୟ ସଂଘର୍ଷ କରୁଥିଲେ। ତାଙ୍କ ପ୍ରତିଷ୍ଠିତ ଏବିସିଏଲ୍ ଋଣଗ୍ରସ୍ତ ହୋଇପଡ଼ିବା ସହିତ ଆର୍ଥିକ କ୍ଷେତ୍ରରେ ଦେବାଳିଆ ହୋଇଯାଇଥିଲା। ଠିକ୍ ଏହିସମୟରେ କେବସି କାର୍ଯ୍ୟକ୍ରମର ସଞ୍ଚାଳନ କରିବା ପାଇଁ ତାଙ୍କୁ ଅଫର୍ ମିଳିଥିଲା। ଛୋଟ ପରଦାକୁ ଆସିବେ କି ନାହିଁ, ତାହାକୁ ନେଇ ପ୍ରଥମେ ସେ ଦ୍ବନ୍ଦ୍ବରେ ଥିଲେ। ମାତ୍ର, ଆର୍ଥିକ କ୍ଷତିକୁ ଦୃଷ୍ଟିରେ ରଖି ସେ ଏଥିପାଇଁ ରାଜି ହୋଇଥିଲେ। ନିଜେ ଅମିତାଭ କହିଥିଲେ, ‘୨୦୦୦ ମସିହାରେ ଯେତେବେଳେ ଏହି ସୋ ଆରମ୍ଭ ହେଲା, ସେଥିପ୍ରତି ମୋର କୌଣସି ଧାରଣା ନଥିଲା। ପ୍ରଶଂସକମାନେ ମୋତେ ସତର୍କ କରାଯାଇଥିଲେ ଯେ ବଡ଼ ପରଦାରୁ ଛୋଟପରଦାକୁ ଆସିବା ଦ୍ବାରା ତାଙ୍କ ଭାବମୂର୍ତ୍ତି କ୍ଷତି ପହଞ୍ଚାଇବ। ସେତେବେଳେ ଚଳଚ୍ଚିତ୍ରରେ କୌଣସି କାମ ପାଉନଥିବାରୁ ମୁଁ ଏହିଭଳି ଅଫର୍ରେ ରାଜି ହୋଇଯାଇଥିଲି। ମାତ୍ର, ପ୍ରିମୟର୍ ସୋ ପରେ ମୁଁ ଯେଉଁଭଳି ଭାବେ ପ୍ରତିକ୍ରିୟା ଗ୍ରହଣ କଲି, ତାହା ଚାରିପାଖର ପୃଥିବୀ ବଦଳୁଥିବାର ଏକ ଧାରଣା ଦେଲା।’ ଚଳିତବର୍ଷକୁ ମିଶାଇ ଏପର୍ଯ୍ୟନ୍ତ ସୁଦ୍ଧା ୧୫ଟି ସିଜିନ୍ ପ୍ରସାରିତ ହୋଇସାରିଛି। ଷ୍ଟାର୍ ପ୍ଲସ୍ ପରେ ସୋନି ଟିଭିରେ ଏହା ପ୍ରସାରିତ ହେଉଛି। କେବଳ ସିଜିନ୍-୩ରେ ଶାହରୁଖ ଖାନ୍ କାର୍ଯ୍ୟକ୍ରମର ହୋଷ୍ଟ୍ କରିଥିବା ବେଳେ ଅନ୍ୟସବୁ ସିଜିନ୍ରେ ହୋଷ୍ଟ୍ ସିଟ୍ରେ ବସିଛନ୍ତି ଅମିତାଭ ବଚ୍ଚନ। ଦୀର୍ଘ ତେଇଶି ବର୍ଷର ଯାତ୍ରାକୁ ଦୃଷ୍ଟିକୁ ଆଣିଲେ ଅମିତାଭ ଓ କେବସି ପରସ୍ପରର ଅବିଚ୍ଛେଦ୍ୟ ଅଙ୍ଗ।