ଯେତେବେଳେ ସମାଜରୁ ପରଦା ପ୍ରଥା ଉଠିନଥିଲା, ନାରୀ ଶିକ୍ଷା ନେଇ ଅନେକ ଅନ୍ଧବିଶ୍ବାସ ଥିଲା ଏବଂ ନାରୀ କେବଳ ଘରସଜ୍ଜା ସାମଗ୍ରୀ ଭାବେ ଘରେ ପଡ଼ି ରହୁଥିଲା; ସେ ସମୟରେ ଘର ଏରୁଣ୍ଡି ଡେଇଁ କିଛି ମହିଳା ରୂପେଲି ପରଦାକୁ ଓହ୍ଲେଇ ଆସିଥିଲେ। ଦର୍ଶକେ ଅଭିନେତ୍ରୀମାନଙ୍କୁ ସହୃଦୟେ ଗ୍ରହଣ କରିଥିଲେ। ୧୯୩୬ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ଚଳଚ୍ଚିତ୍ର ‘ସୀତାବିବାହ’ ଏହାର ଶ୍ରେଷ୍ଠ ଉଦାହରଣ। ଏଥିରେ ‘ରାମ’ ଭୂମିକା ତୁଲାଇଥିବା ମଖନଲାଲ୍ ବାନାର୍ଜୀ ମାତ୍ର ୧୨୦ ଟଙ୍କା, ‘ଲକ୍ଷ୍ମଣ’ ଭୂମିକା ନିର୍ବାହ କରିଥିବା ଆଦିତ୍ୟ ବଲ୍ଲଭ ମହାନ୍ତି ୩୫ ଟଙ୍କା ପାରିଶ୍ରମିକ ନେଇଥିବା ବେଳେ ‘ମାତା ସୀତା’ଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ଅଭିନେତ୍ରୀ ପାର୍ବତୀ ଦେବୀ ସବୁଠାରୁ ଅଧିକ ୧୫୦ ଟଙ୍କା ପାରିଶ୍ରମିକ ନେଇଥିଲେ। ଓଲିଉଡର ପ୍ରଥମ ଚଳଚ୍ଚିତ୍ରରେ ନାରୀମାନଙ୍କର ଏପରି ଦମଦାର ପ୍ରବେଶ, ଅଭିନୟ ଦୁନିଆରେ ମହିଳାମାନଙ୍କ ଏହି ଲମ୍ବା ଯାତ୍ରାକୁ ଆହୁରି ଆହ୍ବାନପୂର୍ଣ୍ଣ କରିଥିଲା। କିନ୍ତୁ ଏହି ଆହ୍ବାନକୁ ସୁଯୋଗ ଭାବେ ଗ୍ରହଣ କରିଥିଲେ ଅଭିନେତ୍ରୀ ପାର୍ବତୀ ଘୋଷ ଓ ଝରଣା ଦାସ।
/sambad/media/post_attachments/wp-content/uploads/2023/07/sitabibah-686x430.jpg)
୧୯୫୪ ମସିହାରୁ ୧୯୮୦ ମସିହା ମଧ୍ୟରେ ବହୁ ଅଭିନେତ୍ରୀ ଭିନ୍ନ ଧରଣର ନାରୀକୈନ୍ଦ୍ରିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକମାନଙ୍କ ମନ ଜିଣିପାରିଥିଲେ। କ୍ରମଶଃ ପାର୍ବତୀ ଘୋଷ ଓ ଝରଣା ଦାସଙ୍କ ସହ ଯୋଡ଼ିହେଲେ ଅନୀତା ଦାସ, ନମ୍ରତା ଦାସ, ଗ୍ଲୋରିଆ ମହାନ୍ତି ଓ ସୁଜାତା ଆନନ୍ଦ। ସେମାନେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର ଭେଟିଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିଛନ୍ତି। ୧୯୫୪ ମସିହାରେ ବିନୟ ବାନାର୍ଜୀଙ୍କ ନିର୍ଦ୍ଦେଶିତ ‘ଆମରି ଗାଁ ଝୁଅ’ ଓଲିଉଡର ପ୍ରଥମ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର ଥିଲା ଏବଂ ଏଥିରେ ପାର୍ବତୀ ଘୋଷ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ସେ ପ୍ରାୟ ୮ଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ତା’ ଭିତରୁ ମା’, କା’, ସ୍ତ୍ରୀ, ସଂସାର, ଲକ୍ଷ୍ମୀ ଆଦି ଚଳଚ୍ଚିତ୍ର ହେଉଛି ନାରୀଭିତ୍ତିକ। ପାର୍ବତୀ ଘୋଷ ଲକ୍ଷ୍ମୀ, କା’ ଓ ସ୍ତ୍ରୀ ଚଳଚ୍ଚିତ୍ର ପାଇଁ ‘ଜାତୀୟ ପୁରସ୍କାର’ର ମଧ୍ୟ ପାଇଥିଲେ। ଜଣେ ସୃଜନଶୀଳ ଚଳଚ୍ଚିତ୍ର ନିର୍ମାତ୍ରୀଭାବେ ସେ ପରିଚୟ ସୃଷ୍ଟି କରିଥିଲେ। ୧୯୭୩ରେ ସେ ‘ସଂସାର’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ୧୯୮୬ ମସିହାରେ ‘ଛ ମାଣ ଆଠଗୁଣ୍ଠ’ ଚଳଚ୍ଚିତ୍ର ନିର୍ମାଣ କରି ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଓଡ଼ିଆ ସିନେ ଜଗତର ଅନ୍ୟଜଣେ ଉତ୍ତୁଙ୍ଗ ଅତିନେତ୍ରୀ ହେଉଛନ୍ତି ଝରଣା ଦାସ। ୧୯୬୩ ମସିହାରେ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର ‘ଅମଡ଼ାବାଟ’ରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥିଲେ। ଏହା ପରେ ‘ଅଭିନେତ୍ରୀ’, ‘ମଲାଜହ୍ନ’ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିପାରିଥିଲେ। ଏହାପରେ ସେ ନାରୀ, ପୂଜାଫୁଲ ଓ ଅଦିନ ମେଘ ଆଦିରେ ପ୍ରମୁଖ ଭୂମିକାରେ ରହିଥିଲେ। ଉଭୟ ପାର୍ବତୀ ଘୋଷ ଓ ଝରଣା ଦାସ ନିଜର ଜୀବନବ୍ୟାପୀ ସାଧନା ଓ ଚଳଚ୍ଚିତ୍ର ଜଗତକୁ ଅବଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଶ୍ରୀଜୟଦେବ ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି। ତନ୍ଦ୍ରା ରାୟ, ତ୍ରିପୁରା ମିଶ୍ର, ନିହାରିକା ନାୟକ, ବୈଶାଳୀ, ସଂଗୀତା ଦାସ ପ୍ରମୁଖ ଭିନ୍ନ ଭିନ୍ନ ସମୟରେ ଦର୍ଶକଙ୍କର ହାତତାଳି ସାଉଁଟିଛନ୍ତି।
/sambad/media/post_attachments/wp-content/uploads/2023/07/seshasraban-641x430.jpg)
୧୯୭୬ରେ ‘ଶେଷଶ୍ରାବଣ’ରେ ମହାଶ୍ବେତା ପଦାର୍ପଣ କରିବା ପରେ ‘ଗୌରୀ’, ‘ଅପରିଚିତା’, ‘ଡୋରା’, ‘ପୂଜା’, ‘କାବେରୀ’, ‘ତୁଣ୍ଡବାଇଦ’ ପ୍ରଭୃତି ଚରିତ୍ର ସହିତ ଶତାଧିକ ସିନେମାରେ ଅଭିନୟ କରି ସୁପରଷ୍ଟାର ହୋଇଥିଲେ। କ୍ରମେ ଏହି ଧାରାରେ ସାମିଲ ହେଲା ଗୋଦାବରୀଶ ମହାପାତ୍ରଙ୍କ ବହୁଚର୍ଚ୍ଚିତ କାହାଣୀ ‘ନୀଳମାଷ୍ଟ୍ରାଣୀ’। ଚକ୍ରଧର ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ଚଳଚ୍ଚିତ୍ର ‘ନୀଳମାଷ୍ଟ୍ରାଣୀ’। ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ଏଥିରେ ନିଖୁଣ ଅଭିନୟ କରି ନାରୀର ସ୍ବପ୍ନ, ଅଭିଳାଷ, ପ୍ରେମ ଓ ଆବେଗକୁ ପରଦାରେ ଅତି ଜୀବନ୍ତ ଭାବେ ଉତାରିଥିଲେ। ଏହି ଚଳଚ୍ଚିତ୍ର ସମାଜର କୁତ୍ସିତ ଜାତିପ୍ରଥା ସମ୍ପର୍କରେ ହିଁ ଦର୍ଶକଙ୍କୁ ସଚେତନ କରାଇଥିଲା। ଆଉଜଣେ ପ୍ରତିଭାମୟୀ, ସୁନ୍ଦରୀ ଅଭିନେତ୍ରୀ ଅପରାଜିତା ମହାନ୍ତି ‘ଦଣ୍ଡାବାଳୁଙ୍ଗା’, ‘ଫୁଲଚନ୍ଦନ’, ‘ସହରୀବାଘ’, ‘ଉଦଣ୍ଡୀ ସୀତା’, ‘ଶଙ୍ଖାସିନ୍ଦୂର’, ‘ବଧୂ ନିରୁପମା’, ‘ପୂଜା ଫୁଲ’, ‘ମାଆ’, ‘ପୁଅ ମୋର ଭୋଳାଶଙ୍କର’ ପ୍ରଭୃତି ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଭେଟିଦେଲେ ଓଡ଼ିଆ ଦର୍ଶକଙ୍କୁ। ନବେ ଦଶକରେ ରଚନା ବାନାର୍ଜୀ ‘ଲକ୍ଷ୍ମୀ ପ୍ରତିମା’, ‘ସିଂହବାହିନୀ’, ‘ସୁଭଦ୍ରା’, ‘ନାରୀ ନୁହେଁ ତୁ ନାରାୟଣୀ’, ‘କଣ୍ଢେଇ ଆଖିରେ ଲୁହ’, ‘ସୁହାଗ ସିନ୍ଦୂର’, ‘ରୂପା ଗାଁରେ ସୁନା କନିଆ’ ପ୍ରଭୃତି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ‘ମାଆ ଗୋଜବାୟାଣୀ’, ‘ଗାରେ ସିନ୍ଦୂର ଧାରେ ଲୁହ’, ‘ସମୟ ଖେଳୁଛି ଚକା ଭଉଁରି’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ଅଗ୍ନି ପରୀକ୍ଷା’ ପ୍ରଭୃତି ଅନେକ ଚଳଚ୍ଚିତ୍ରରେ ଦେଖାଦେଲେ ଅନ୍ୟଜଣେ ପ୍ରତିଭାମୟୀ ଅଭିନେତ୍ରୀ ଅନୁ ଚୌଧୁରୀ। ପରେପରେ ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା ସାହୁ, ପ୍ରିୟା, ଭୂମିକା ଦାସ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଏଲିନା ସାମନ୍ତରାୟ, ରିୟା ଦେ, ପ୍ରକୃତି ମିଶ୍ର ପ୍ରମୁଖ ଅନେକ ଅଭିନେତ୍ରୀଙ୍କୁ ନେଇ ଓଡ଼ିଆ ସିନେମା ଦର୍ଶକଙ୍କ ସମ୍ମୁଖକୁ ଆସିଛି।
/sambad/media/post_attachments/wp-content/uploads/2023/07/aparajita-660x430.jpg)
ବିଶିଷ୍ଟ ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ କହିଛନ୍ତି, ଓଡ଼ିଆ ସିନେମା ଜଗତରେ ଅଧିକରୁ ଅଧିକ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର ନିର୍ମିତ ହୋଇଛି। ବଲିଉଡ୍ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ପୂର୍ବରୁ ନାରୀମାନଙ୍କୁ କେବଳ ଗ୍ଲାମର ଗାର୍ଲ ଭାବେ ବ୍ୟବହାର ନ କରି ସେମାନଙ୍କୁ ଚଳଚ୍ଚିତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ମଧ୍ୟ ଦିଆଯାଉଥିଲା। ପୂର୍ବରୁ ବର୍ଷକୁ ଗୋଟିଏରୁ ଦୁଇଟି ଚଳଚ୍ଚିତ୍ର ଆସୁଥିବାରୁ ଲୋକଙ୍କ ଭିତରେ ଚଳଚ୍ଚିତ୍ରର ଚାହିଦା ରହୁଥିଲା ଓ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ରକୁ ଓଡ଼ିଆ ଦର୍ଶକ ଗ୍ରହଣ କରିଥିଲେ।
ଏହା ପରେ ପରେ ଅନେକ ନାରୀଭିତ୍ତିକ ଚଳଚ୍ଚିତ୍ର ପରଦାକୁ ଆସିଛି। ‘ଅହଲ୍ୟା’, ‘ସିଂହବାହିନୀ’, ‘ନାରୀ ଆଖିରେ ନିଆଁ’, ‘ସ୍ବୟଂସିଦ୍ଧା’, ‘ଚମ୍ପିଆନ୍’, ‘କ୍ବିନ୍’, ‘ଏସିପି ସାଗରିକା’ ଓ ‘ରୁଦ୍ରାଣୀ’ ଆଦି ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର ସମାଜର ବହୁ ଅନାଲୋଚିତ ବିଷୟ ସମ୍ପର୍କରେ ଚର୍ଚ୍ଚା କରି ସୁସ୍ଥ ସମାଜ ଗଠନରେ ନାରୀର ଭୂମିକା ସମ୍ପର୍କରେ ସମାଜକୁ ସଚେତନ ମଧ୍ୟ କରାଇଛନ୍ତି।