‘ମୋନା ଲିସା’ରୁ ‘ମୋନା ମାଉସୀ’ ଯାଏ…

ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଇଟାଲିର ପ୍ରଖ୍ୟାତ ଚିତ୍ରଶିଳ୍ପୀ ଲିଓନାର୍ଡୋ ଡା ଭିନ୍‌ସିଙ୍କ ଦ୍ବାରା ଅଙ୍କାଯାଇଥିବା ‘ମୋନା ଲିସା’ ଚିତ୍ର ବିଶ୍ବର ଏକ ଚର୍ଚ୍ଚିତ ଚିତ୍ରପ୍ରତିମା ହୋଇ ରହିଆସିଛି। ଉକ୍ତ ଚିତ୍ରରେ ଭ୍ରୂଲତା ବିହୀନ ଜଣେ ମହିଳାଙ୍କ କଥାକୁହା ଆଖି ସାଙ୍ଗକୁ ଓଠର ନିସଂକୋଚ ହସ ସବୁବର୍ଗର ଚିତ୍ରପ୍ରେମୀମାନଙ୍କୁ ଆକର୍ଷିତ କରିଥାଏ। ତେବେ ଡା ଭିନ୍‌ସିଙ୍କର ଏହା କେବଳ ଶ୍ରେଷ୍ଠ କଳାକୃତି ନୁହେଁ, ବରଂ କଳା କ୍ଷେତ୍ରର ଏହାକୁ ଏକ ବିରଳ ହାସ୍ୟମୟୀ ସୃଷ୍ଟି ଭାବେ ବିବେଚନା କରାଯାଏ।

ନିକଟରେ ଭାରତୀୟ ଚିତ୍ରଶିଳ୍ପୀ ପୂଜା ସାଙ୍ଗଵାନ ତାଙ୍କ ଟ୍ବିଟର୍‌ ପୃଷ୍ଠାରେ ଛାଡ଼ିଥିବା ମୋନା ଲିସାର ସଂଖ୍ୟାଧିକ ଧାରାବାହିକ ଫଟୋ ଏବେ ଡା ଭିନ୍‌ସିଙ୍କ କଳାକୁ ଆହୁରି ଚର୍ଚ୍ଚିତ କରିଦେଇଛି। ଟ୍ବିଟରରେ ଏବେ ଖୁବ୍‌ ପ୍ରସାରିତ ହେଉଥିବା ମୋନା ଲିସା ଚିତ୍ରମାନ ବିଭିନ୍ନ ଶାଢ଼ି ପରିହିତ ବେଶଭୂଷାରେ ସଜ୍ଜିତ ହୋଇଛନ୍ତି। ସେଥିରେ ସେ ସତେ ଅବା ବିଭିନ୍ନ ଭାରତୀୟ ରାଜ୍ୟର ଜଣେ ଜଣେ ମହିଳା ଭାବେ ଜଣାପଡୁଛନ୍ତି। ଦକ୍ଷିଣ ଦିଲ୍ଲୀର ମୋନା ଲିସା ସଂସ୍କରଣକୁ ସେ ‘ଲିସା ମାଉସୀ’ ନାମ ଦେଇଛନ୍ତି। ସେହିପରି ମରାଠୀ ବେଶଭୂଷାରେ ସଜ୍ଜିତ ଚିତ୍ରକୁ ସେ ମହାରାଷ୍ଟ୍ରର ‘ଲିସା ତାଇ’ ବୋଲି ସମ୍ବୋଧନ କରିଛନ୍ତି। ଏଥି ସହିତ କପାଳରେ ସିନ୍ଦୁର ଟୋପା ପିନ୍ଧାଇ ତାଙ୍କୁ ବିହାରର ‘ଲିସା ଦେବୀ’ ବୋଲି କୁହାଯାଇଛି। ରାଜସ୍ଥାନ ପରିପାଟୀରେ ଥିବା ମୋନା ଲିସାକୁ ସେ ‘ମହାରାଣୀ ଲିସା’ ଭାବେ ନାମିତ କରିଛନ୍ତି। ସେହିପରି କୋଲକାତାର ‘ସୋନା ଲିସା’, କେରଳର ‘ଲିସା ମୋଲ’, ତେଲେଙ୍ଗାନାର ‘ଲିସା ବୋମ୍ମା’ ଓ ଗୁଜରାଟର ‘ଲିସା ବେନ୍‌’ଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର