ଭଲ ପାଠ ପଢୁଥିଲେ ବି ପିଲାଦିନରୁ ସିନେମା ପ୍ରତି ଅଭିଷେକଙ୍କର ଥିଲା ଅହେତୁକ ଆକର୍ଷଣ। ବିଜ୍ଞାନ ନେଇ ଯୁକ୍ତ ଦୁଇ ପାସ୍ କରିବା ପରେ କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ସୁପୁତ୍ର ଅଭିଷେକ ହାଇଦ୍ରାବାଦ୍‌ସ୍ଥିତ ରାମୋଜି ଏକାଡେମି ଅଫ୍ ଫିଲ୍ମ ଆଣ୍ଡ ଟିଭିରେ ସାଉଣ୍ଡ୍ ମିକ୍ସିଂ ଆଣ୍ଡ୍ ଡିଜାଇନିଂ କୋର୍ସ କଲେ। ତା’ ପରେ ସେ ପ୍ରଖ୍ୟାତ ନିର୍ଦ୍ଦେଶକ ମଣିରତ୍ନମ୍‌ଙ୍କ ୟୁନିଟ୍‌ରେ ଯୋଗ ଦିଅନ୍ତି। ଏହା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ଅଭିଷେକ। ମଣିରତ୍ନମ୍‌ଙ୍କ ସହ ତାମିଲ୍ ସିନେମା ‘ଓ କଧାଲ୍ କନମନି’(୨୦୧୫)ରେ କାମ କରି ସେ କ୍ୟାରିଅର ଆରମ୍ଭ କରିଥିଲେ।

Advertisment

ମୁକ୍ତି ପ୍ରତୀକ୍ଷାରେ ଥିବା ‘ଜୟହିନ୍ଦ୍’ ଜରିଆରେ ଜଣେ ନୂଆ ନିର୍ଦ୍ଦେଶକଙ୍କର ଆବିର୍ଭାବ ହୋଇଛି। ନାଆଁ ତାଙ୍କର ଅଭିଷେକ ତ୍ରିପାଠୀ। ପ୍ରଥମେ ମ୍ୟୁଜିକ୍ କଂପୋଜର୍, ତା’ପରେ ସାଉଣ୍ଡ୍ ଡିଜାଇନର୍ ଓ ଏବେ ନିର୍ଦ୍ଦେଶକ ଭାବରେ ପାଦ ଥାପିଛନ୍ତି ସେ।

ଏହାପରେ ସେ ‘ଫାଇଟର୍’, ‘ସଜିନୀ ସିନ୍ଦେକା ଭାଇରାଲ୍ ଭିଡିଓ’, ‘ବୱାଲ’, ‘ରନା ନାଇଡୁ’, ‘ରୋମାଣ୍ଟିକ୍‌ସ’, ‘ବାଲା’, ‘ରାମସେତୁ’, ‘ରକେଟ ବଏଜ୍’, ‘ହସିନ୍ ଦିଲରୁବା’, ‘ମିର୍ଜାପୁର’, ‘ଆଉଟ୍ ଅଫ୍ ଲଭ୍’, ‘ଷାଣ୍ଢ କି ଆଁଖ୍’, ‘ସିକ୍ରେଟ୍ ସୁପରଷ୍ଟାର୍’, ‘ମାମାଲ ବୟ’, ‘ଆଜାଦ୍’, ‘ଫ୍ୟାନ୍’ ଆଦି ହିନ୍ଦୀ ସିନେମା ଓ ୱେବ୍ ସିରିଜ୍‌ର ସାଉଣ୍ଡ୍ ଡିଜାଇନିଂ/ମିକ୍ସିଂ କରିଛନ୍ତି। ଅଭିଷେକ ଓଲିଉଡ୍‌ରେ ବି ବେଶ୍ ସକ୍ରିୟ ଅଛନ୍ତି। ସେ ପ୍ରଖ୍ୟାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ‘ଆଦିମ ବିଚାର’ରେ ପ୍ରଥମେ ସିଙ୍କ୍ ସ‌ାଉଣ୍ଡ(ସୁଟିଂ ସମୟରେ ହିଁ ଶବ୍ଦଗ୍ରହଣ)ର ପ୍ରୟୋଗ କରିଥିଲେ। ଏହାପରେ ସେ ‘ତୁଳସୀ ଅପା’, ‘ପାହାଡ଼ର ଲୁହ’, ‘ପ୍ରତୀକ୍ଷା’, ‘ଭିଲେନ୍’, ‘ଭାଇ’, ‘ମାଲ୍ୟଗିରି’ ଓ ‘ଅନନ୍ତା’ ଆଦି ଓଡ଼ିଆ ସିନେମାରେ ମଧ୍ୟ ସାଉଣ୍ଡ୍ ଡିଜାଇନ୍ କରିଛନ୍ତି। ଏବେ ସେ ନୂଆ ଓଡ଼ିଆ ଛବି ‘ଚ୍ୟାଲେଞ୍ଜ’ର ମଧ୍ୟ ସାଉଣ୍ଡ୍ ଡିଜାଇନ୍ କରୁଛନ୍ତି।

ପ୍ରଥମ ଥର ଲାଗି ଅଭିଷେକ ସିନେ ନିର୍ଦ୍ଦେଶନା କ୍ଷେତ୍ରରେ ପଦାର୍ପଣ କରିଛନ୍ତି। ସେ ସଂପ୍ରତି ଶୁଭଶ୍ରୀ ମଙ୍ଗରାଜଙ୍କ ପ୍ରଯୋଜିତ ‘ଜୟହିନ୍ଦ୍’ର ନିର୍ଦ୍ଦେଶନା ଦେଉଛନ୍ତି। ଏହାର ସାଉଣ୍ଡ୍ ଡିଜାଇନିଂ କରୁଥିବା ବେଳେ ପ୍ରଯୋଜିକା ତାଙ୍କୁ ଅଫର୍ ଦେଇଥିଲେ ଏବଂ ସେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଦାୟିତ୍ବ ନିର୍ବାହ କରୁଥିବା କହିଛନ୍ତି ଅଭିଷେକ। ତେବେ କେବେ ବି ସାଉଣ୍ଡ୍ ଡିଜାଇନିଂ ବା ମିକ୍ସିଂ କାମ ସେ ଛାଡ଼ିବେନି ବୋଲି ଦୃଢ଼ୋକ୍ତି କରନ୍ତି। ଅଭିଷେକ କେବଳ ଜଣେ ସାଉଣ୍ଡ୍ ଡିଜାଇନର୍ ନୁହନ୍ତି, ସେ ଜଣେ ମ୍ୟୁଜିକ୍ କଂପୋଜର୍ ମଧ୍ୟ। ଶତାଧିକ ମ୍ୟୁଜିକ୍ ଆଲବମ୍‌ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେ। ପଶ୍ଚିମ ଓଡ଼ିଶାର ଅଧିକାଂଶ ଲୋକପ୍ରିୟ ଗାୟକ ତାଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି। ସେ ନିଜ ନିର୍ଦ୍ଦେଶିତ ସିନେମା ‘ଜୟହିନ୍ଦ୍’ରେ ବି ଗୋଟିଏ ଗୀତର ସ୍ବର ସଂଯୋଜନା କରିଛନ୍ତି।
 - ଶିବଶଙ୍କର ଓଝା