ବାପା ଜୀବନସାରା ଅନ୍ୟମାନଙ୍କୁ ସାହାଯ୍ୟ କରିଥିଲେ, ହେଲେ ମୋତେ କେହି ବି କଲେ ନାହିଁ: ଶତ୍ରୁଘ୍ନଙ୍କ ପୁଅ

ମୁମ୍ବାଇ: ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଫିଲ୍ମ ରିଲିଜ୍ ହେବା ପରେ ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଅଭିନେତ‌ା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଏଥିରେ କାମ କରିଥିବା ଅଭିନେତା ଲବ ସିହ୍ନା ନିଜ ସଂଘର୍ଷ ବିଷୟରେ କହିଛନ୍ତି। ବାପା ତଥା ଲୋକପ୍ରିୟ ଅଭିନେତା ଶତ୍ରୁଘ୍ନ ସିହ୍ନ‌ା ସମସ୍ତଙ୍କୁ ସାହାଯ୍ୟ କରିଥିବା ବେଳେ ତାଙ୍କୁ କେହି ସାହାଯ୍ୟ କରିନଥିବା କହିଛନ୍ତି ଲବ।

ଏକ ସାକ୍ଷାତକାରରେ ଲବ ସିହ୍ନା ପ୍ରକାଶ କରିଛନ୍ତି ଯେ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନା ଜୀବନସାରା ଅନ୍ୟମାନଙ୍କୁ ସାହାଯ୍ୟ କରିଥିଲେ। ତାଙ୍କ ବାପା ଇଣ୍ଡଷ୍ଟ୍ରିରେ ସାହାଯ୍ୟ କରିଥିବା ଅନେକ ଲୋକ ଏବେ ସଫଳ ହୋଇଛନ୍ତି। ହେଲେ ସଫଳ ହୋଇ ବି ସେମାନେ ଲବଙ୍କୁ କାମ ଦେଇନଥିବା ଅଭିନେତା କହିଛନ୍ତି। ତାଙ୍କ କହିବା ମୁତାବକ, “ପରିବାରର ଅତି ନିକଟତର ଜଣେ ମୋତେ ଫିଲ୍ମରେ ସୁଯୋଗ ଦେଇପାରିଥାନ୍ତେ। ସେ ଏକ କର୍ମଶାଳାରେ ମୋର ଅଭିନୟ ଦେଖିଥିଲେ ଏବଂ କର୍ମଶାଳାର ଶିକ୍ଷକଙ୍କ ସହ ମୋର ଅଭିନୟ ବିଷୟରେ କଥା ହୋଇଥିଲେ। କିନ୍ତୁ ସେ ମୋତେ କାମ ଦେଇନଥିଲେ। ମୋତେ ସୁଯୋଗ ଦିଆଯାଇନଥିଲା। ଅନେକ ଅଭିନେତା ଫ୍ଲପ ଫିଲ୍ମ ଦେଇ ବି ତାଙ୍କୁ ଫିଲ୍ମ ମିଳୁଛି। ହେଲେ ମୋତେ ମିଳିନାହିଁ।”

ତେବେ ଲବ୍ ଗଦର-୨ରେ ଫରିଦ୍ ଭୂମିକାରେ ନଜର ଆସିଛନ୍ତି। ଖୁବ କମ ସମୟ ପାଇଁ ତାଙ୍କୁ ଫିଲ୍ମରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର