ମୁମ୍ବାଇ: ଅଭିନେତ୍ରୀ ଅମିଷା ପଟେଲ୍‌ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏକଦା ସେ ବିବାହିତ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କୁ ଡେଟ୍‌ କରିବା ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ।

Advertisment

ନିକଟରେ ଏକ ସାକ୍ଷାତ୍‌କ‌ାରରେ ଅଭିନେତ୍ରୀ ବିକ୍ରମ ଭଟ୍ଟଙ୍କ ସହ ନିଜର ସଂପର୍କକୁ ନେଇ କଥା ହୋଇଛନ୍ତି। ସେ କହିଛନ୍ତି ଯେ କିପରି ନିଜର ଉକ୍ତ ସଂପର୍କକୁ ସର୍ବସାଧାରଣଙ୍କ ସମ୍ମୁଖରେ କହିବାରୁ ତାଙ୍କ କ୍ୟାରିୟର୍‌ ଉପରେ ଖରାପ ପ୍ରଭାବ ପଡ଼ିଥିଲା।

ଅମିଷା ଏହି  ସାକ୍ଷାତ୍‌କାରରେ ଆହୁରି କହିଛନ୍ତି, ‘ଏହି ଇଣ୍ଡଷ୍ଟ୍ରିରେ ଯଦି ଆପଣ ସ‌ଚ୍ଚୋଟ ଅଛନ୍ତି ତ ଆପଣଙ୍କୁ କେହି ଆଦର କରିବେ ନାହିଁ। ମୁଁ ବହୁତ ସଚ୍ଚୋଟ। କାରଣ ମୋ ପାଇଁ ଜୀବନ କଳାଧଳା। ମୋ ବାହାର ଓ ଭିତର ସମାନ। ମୁଁ ମନ ଖୋଲି କଥା କହିବା ପରି ନାରୀଟିଏ। ମୋତେ ଲାଗେ ଏହା ହିଁ ମୋ କ୍ୟାରିୟର୍‌ ପାଇଁ ସବୁଠାରୁ ବଡ଼ ଭୁଲ୍‌। ମୋର ଦୁଇଟି ଯାକ ସଂପର୍କକୁ ସର୍ବସମ୍ମୁଖରେ କହି ମୁଁ ହଇରାଣ ହୋଇଛି। ତାହା ମୋ କ୍ୟାରିୟର୍‌କୁ ପୂରା ବରବାଦ କରିଦେଇଛି।’

ଅଭିନେତ୍ରୀ ଆହୁରି ବି କହିଛନ୍ତି ଯେ ଗତ ୧୨-୧୩ ବର୍ଷ ହେଲା ଜୀବନରେ ଏକାକୀ ଥିବାରୁ ସେ ଶାନ୍ତିରେ ଅଛନ୍ତି, ଯାହାକି ପ୍ରତ୍ୟେକ ମଣିଷ ପାଇଁ ଆବଶ୍ୟକ। ନାରୀଟିଏ ସିଙ୍ଗଲ୍‌ ରହିଲେ ସବୁବେଳେ ଲୋକ ଆକର୍ଷିତ ହୁଅନ୍ତି। ଦର୍ଶକ ବି ସିଙ୍ଗ୍‌ଲ ନାରୀଙ୍କ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି। ଯଦି ଆପଣ କେଉଁ ସୁପର୍‌ଷ୍ଟାର୍‌ଙ୍କୁ ଡେଟ୍‌ କରୁଛନ୍ତି ତ ଆପଣଙ୍କ କ୍ୟାରିୟର୍‌ ଉପରେ ଭଲ ପ୍ରଭାବ ପଡ଼ିବ ବୋଲି ଅମିଷା କହିଛନ୍ତି।