ମୁମ୍ବାଇ: ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’କୁ ପ୍ରଶଂସକ ଅନେଇ ରହିଛନ୍ତି। ଆଜି ଫିଲ୍ମଟିର ଟ୍ରେଲର୍ ରିଲିଜ୍ ହେବାକୁ ଯାଉଛି। ଜାଣିବାକୁ ମିଳିଛି ଯେ ଫିଲ୍ମର ଟ୍ରେଲର୍ ରିଲିଜ୍ରେ ଅମିଷାଙ୍କୁ ଦେଖିବାକୁ ମିଳିବ ନାହିଁ।
ତାହାର କାରଣ ହେଉଛନ୍ତି ଚଳଚ୍ଚିତ୍ରରେ ଡେବ୍ୟୁ କରିବାକୁ ଯାଉଥିବା ଅଭିନେତ୍ରୀ ସିମରତ କୌର୍। ଫିଲ୍ମ ରିଲିଜ୍ ପୂର୍ବରୁ ସିମ୍ରତଙ୍କର ଏକ ଭିଡିଓ ରିଲିଜ୍ ହେବା ପରେ ତାହାକୁ ନେଇ ବିବାଦ ହୋଇଥିଲା। ତାଙ୍କୁ ଅନେକ ସମାଲୋଚନା କରୁଥିବା ବେଳେ ସମର୍ଥନ କରିଥିଲେ ଅମିଷା।
ଟ୍ରେଲର୍ ରିଲିଜ୍ ଉତ୍ସବକୁ ଗଲେ କାଳେ ତାଙ୍କୁ ସିମରତ୍ଙ୍କ ବିଷୟରେ କିଛି ପଚାରାଯିବ ବୋଲି ଭାବି ଅମିଷା ଅନୁପସ୍ଥିତ ରହିବାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେ ଇଭେଣ୍ଟ୍କୁ ଆସିବେନି ବୋଲି ବଲିଉଡ୍ ହଙ୍ଗାମାରେ ପ୍ରକାଶ ପାଇଛି।
ଅଭିନେତ୍ରୀ ଅମିଷା ପଟେଲ୍ ଓ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଫିଲ୍ମକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଚାଲିଥିବା ବେଳେ ଏଥିରେ ନୂଆ ହିରୋଇନ୍ଙ୍କୁ ଦେଖିବାକୁ ମିଳିଛି।
ପଞ୍ଜାବୀ ଓ ତେଲୁକୁ ଇଣ୍ଡଷ୍ଟ୍ରିରେ କାମ କରି ସାରିଥିବା ଅଭିନେତ୍ରୀ ସିମ୍ରତ୍ କୌର୍ ରନ୍ଧୱାଙ୍କୁ ‘ଗଦର-୨’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସୂଚନାରୁ ଜାଣିବାକୁ ମିଳିଛି ଯେ ଉତ୍କର୍ଷ ଶର୍ମାଙ୍କ ବିପକ୍ଷରେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ।
ଉତ୍କର୍ଷ ହେଉଛନ୍ତି ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ। ଫିଲ୍ମରେ ସେ ତାରା ସିଂହ ଏବଂ ସକିନାଙ୍କ ପୁଅର ଭୂମିକା ନିଭାଉଛନ୍ତି। ଫିଲ୍ମରେ ସିମ୍ରତ୍ ତାଙ୍କର ‘ଲେଡି ଲଭ୍’ ବନିବେ ବୋଲି ଅନୁମାନ କରାଯାଉଛି।