ମୁମ୍ବାଇ: ରିଲିଜ୍ ହେଉ ହେଉ ପରଦାରେ ଧମାକା କରିଛି ‘ଗଦର-୨’। ଦୀର୍ଘ ୨୨ ବର୍ଷର ବ୍ୟବଧାନ ପରେ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ୍ଙ୍କ ଅଭିନୀତ ଏହି ଫିଲ୍ମଟିକୁ ଦର୍ଶକ ପୁଣି ଭଲପାଇବା ଓଜାଡ଼ି ଦେଇଛନ୍ତି। ‘ଗଦର’ ଯେପରି ବକ୍ସ ଅଫିସରେ ସୁପରଡୁପର ହିଟ୍ ହୋଇଥିଲା ତାହାର ସିକ୍ବେଲ୍ ‘ଗଦର-୨’ ବି ସେପରି ଦର୍ଶକ ସମର୍ଥନ ହାସଲ କରିଛି।
ଫିଲ୍ମର ୨ଟି ଯାକ ଭାଗ ହିଟ୍ ହୋଇଥିବା ବେଳେ ଦର୍ଶକଙ୍କୁ ଏବେଠାରୁ ତୃତୀୟ ଭାଗର ଅପେକ୍ଷା ରହିଲାଣି। ଫିଲ୍ମରେ ତାରା ସିଂହ ଓ ଅମିଶା ପଟେଲ୍ଙ୍କ ପୁଅ ହୋଇଥିବା ଚରଣଜିତ ସିଂହ ‘ଡିଏନ୍ଏ’କୁ ଏକ ସାକ୍ଷାତ୍କାର ଦେଇ କହିଛନ୍ତି ଯେ ‘ଲେଖକ ଏବେ ତୃତୀୟ ଭାଗର କାହାଣୀ ଶୁଣାଇ ସାରିଲେଣି। ଅବଶ୍ୟ ତାହା ଉପରେ ଏବେ କୌଣସି ପ୍ରକାରର କାମ ଆରମ୍ଭ ହୋଇନାହିଁ।’
ସୂଚନାରୁ ପ୍ରକାଶ ଯେ ସନ୍ନି ଦେଓଲ ‘ଗଦର-୨’ ପାଇଁ ୨୦ କୋଟି ଟଙ୍କା ନେଇଥିବା ବେଳେ ‘ଗଦର-୩’ ପାଇଁ ସେ ୬୦ କୋଟି ଟଙ୍କା ଦାବି କରିପାରନ୍ତି। ଯଦି ‘ଗଦର-୩’ ନିର୍ମାଣ ହେବ ତ ସନ୍ନି ଓ ଅମିଶା ସେମାନଙ୍କ ନାତି ଓ ନାତୁଣୀଙ୍କ ସହ ଖେଳିବା ଅବସ୍ଥାରେ ନଜର ଆସିପାରନ୍ତି।
ପରବର୍ତ୍ତୀ ସିକ୍ବେଲରେ କାହାଣୀରେ ନୂଆ ମୋଡ଼ ଆସିବ। ପାକିସ୍ତାନର ମେଜର୍ ଜେନେରାଲ୍ ହମିଦ ଇକ୍ବାଲ୍ ଓରଫ୍ ମନୀଷ ବାଦ୍ଧୱାଙ୍କ ପୁଅ ନିଜ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଭାରତ ଆସିବେ। ‘ଗଦର-୩’ରେ ସକିନା ଓ ତାରାଙ୍କ ବୟସ ଢଳିଯିବାର ଦେଖିବାକୁ ମିଳିବ।