ଟାଇଗର୍‌-କ୍ରୀତିଙ୍କ ‘ଗଣପତି’

ଜ୍ୟାକି ସ୍ରଫ୍‌ଙ୍କ ପୁଅ ଟାଇଗରଙ୍କର ସିନେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ନିୟମିତ ସିନେ ଦର୍ଶକଙ୍କ ବ୍ୟତୀତ ଟାଇଗର୍‌ଙ୍କୁ ଦେଖିବା ପାଇଁ ବିଶେଷକରି ଯୁବ ଦର୍ଶକ ବେଶି ଇଚ୍ଛା ପ୍ରକାଶ କରିଥାନ୍ତି। ଗତବର୍ଷ ମୁକ୍ତିଲାଭ କରିଥିବା ଟାଇଗର୍‌ଙ୍କ ଅଭିନୀତ ‘ବାଗି-୩’ ଶହେ କୋଟି କ୍ଲବ୍‌ରେ ସାମିଲ ହେଇଥିଲା। ଏବର୍ଷ ତାଙ୍କ ହାତରେ ଦୁଇ ଦୁଇଟି ବିଗ୍ ବଜେଟ୍‌ର ସିନେମା। ପ୍ରଥମଟି ‘ହିରୋପନ୍ତି-୨’ ଏବଂ ଦ୍ବିତୀୟଟି ହେଉଛି ‘ଗଣପତି’। ଗଣପତିରେ ସମ୍ଭବତଃ ବିଶ୍ବର ବଡ଼ ଆପତକାଳୀନ ଚିତ୍ର ପ୍ରତିଫଳିତ ହେବ। ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ବିକାଶ ବହଲ୍‌। ନିକଟରେ ନିର୍ମାତା ‘ଗଣପତି’ ଚଳଚ୍ଚିତ୍ର ଆଗାମୀ ୨୦୨୨ ଡିସେମ୍ବର ମାସରେ ମୁକ୍ତିଲାଭ କରିବ ବୋଲି ଏକ ଟିଜର୍ ମାଧ୍ୟମରେ ଘୋଷଣା କରିଛନ୍ତି। ଏଥିରେ କାହାଣୀର ନାୟକ ଟାଇଗର୍ ସ୍ରଫ୍‌ ଜଣେ ଷ୍ଟ୍ରିଟ୍ ଫାଇଟର୍ ମୋଡ୍‌ରେ ଦେଖିବାକୁ ମିଳିଛନ୍ତି।

ଚଳଚ୍ଚିତ୍ରରେ ଭବିଷ୍ୟତରେ ଘଟିବାକୁ ଥିବା କିଛି ଘଟଣା ପ୍ରତିଫଳିତ ହେଇଛି। ଏଥିରେ ପ୍ରୟୋଗ ହେଇଥିବା ଭିଜୁଆଲ୍ ଇଫେକ୍ଟସ୍‌ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି। ଅତୀତରେ ପ୍ରାୟ ହଲିଉଡ୍ ମୁଭିଜ୍‌ରେ ହାଇ ପାୱାର୍ ଭିଜୁଆଲ୍ ଇଫେକ୍ଟସ୍‌ ଦେଖିବାକୁ ମିଳିଛି, ହେଲେ ଭାରତୀୟ ସିନେମାରେ ଏଭଳି ଦେଖିବାକୁ ମିଳି ନାହିଁ। ଏଥିରେ ଟାଇଗର୍‌ଙ୍କ ଭୂମିକା ବିଲକୁଲ ‘ମୁମ୍ବାଇ କା ଛୋକ୍‌ରା’ ସଦୃଶ ହେଇଛି। ତାଙ୍କ ଚରିତ୍ରକୁ ଯେଭଳି ଭାବେ ଚିତ୍ରଣ କରାଯାଇଛି, ଅବଶ୍ୟ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରିଦେବ। ୨୦୧୪ରେ ‘ହିରୋପନ୍ତି’ ଫିଲ୍ମରେ ଟାଇଗର୍‌ଙ୍କ ଯୋଡ଼ି ସାଜିଥିବା କ୍ରୀତି ସାନନ୍ ପୁଣି ‘ଗଣପତି’ରେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି। ଏବେ ‘ହିରୋପନ୍ତି-୨’ର ସୁଟିଂରେ ସେ ବ୍ୟସ୍ତ ଥିବାରୁ ଟାଇଗରଙ୍କୁ ନେଇ ‘ଗଣପତି’ ଚଳଚ୍ଚିତ୍ରର ସୁଟିଂ ଏବଂ ରିଲିଜ୍‌କୁ ନେଇ କିଛି ନିର୍ଦ୍ଦିଷ୍ଟ କଥା କହିବା ସମ୍ଭବ ହେବ ନାହିଁ। ହୁଏତ ନିର୍ଦ୍ଧାରିତ ସେପ୍ଟେମ୍ବର ପରିବର୍ତ୍ତେ ‘ଗଣପତି’ର ମୁକ୍ତିଲାଭ ସମୟ ଅକ୍ଟୋବରକୁ ଘୁଞ୍ଚି ଯାଇପାରେ।

ସମ୍ବନ୍ଧିତ ଖବର