ଆସନ୍ତାବର୍ଷ ମୁକ୍ତିଲାଭ କରିବ ଗଙ୍ଗୁବାଈ ଓ ଆର୍‌ଆର୍‌ଆର୍‌

ବଲିଉଡ୍‌ର ସଫଳ ଓ ଚର୍ଚ୍ଚିତ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭଁସାଲି ଅନ୍ୟତମ। କ୍ୟାରିୟରରେ ସେ କେବେ ଏମିତି ବାଟ ଚାଲୁ ଚାଲୁ ଝୁଣ୍ଟି ନ ଥିଲେ। କୋଭିଡ୍ ସଂକ୍ରମଣ ଓ ଏଥିଯୋଗୁଁ ହୋଇଥିବା କଡ଼ା କଟକଣା ଭଁସାଲିଙ୍କୁ ବି ନାକେଦମ୍‌ କରିଦେଲା। ଲମ୍ବା ସମୟ ଧରି ଚଳଚ୍ଚିତ୍ରଟି ନିର୍ମାଣ ହେଉଥିଲେ ମଧ୍ୟ ଏହା ମୁକ୍ତିଲାଭ କରିବାର ତାରିଖ ପୁଣି ଘୁଞ୍ଚଲା। ଆଲିଆ ଭଟ୍ଟଙ୍କ ଅଭିନୀତ ଭଁସାଲିଙ୍କ ନୂଆ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ ୨୦୨୨ ଜାନୁଆରି ୬ ତାରିଖରେ ରିଲିଜ୍ କରିବ ବୋଲି ନିର୍ଦ୍ଧାରିତ ହେଇଛି। ଜୟନ୍ତୀଲାଲ ଗଡ଼ା ଓ ସଞ୍ଜୟ ଲୀଲା ଭଁସାଲିଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏଇ ଚଳଚ୍ଚିତ୍ରର ମୁକ୍ତିଲାଭର ତାରିଖ ଘୋଷଣା ହେବା ପଛରେ ଉଭୟ ପ୍ରଯୋଜକ ହିଁ ଗୁରୁତ୍ବ ଦେଇଛନ୍ତି। କାରଣ ଏହା ସେମାନଙ୍କର ସ୍ବପ୍ନର ସିନେମା।

‘ଗଙ୍ଗୁବାଈ କାଠିଆୱାଡ଼ି’ ଏକ ବାସ୍ତବ କାହାଣୀ ଆଧାରରେ ତିଆରି ହୋଇଛି। ଯଦିଓ ମହାରାଷ୍ଟ୍ର ସରକାର ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି, ପ୍ରଯୋଜକ ଜୟନ୍ତୀଲାଲଙ୍କୁ ଭଁସାଲି ପରାମର୍ଶ ଦେଇଛନ୍ତି ଯେ ଲୋକମାନେ ବାହାରକୁ ବାହାରି ନାହାନ୍ତି, ତେଣୁ ଆମେ ଏତେ ଶୀଘ୍ର ଚଳଚ୍ଚିତ୍ରଟିକୁ ରିଲିଜ୍ କଲେ ଆମକୁ ଆଶାଜନକ ଫଳ ମିଳିବ ନାହିଁ। ତେଣୁ ଏହାର ରିଲିଜ୍ ତାରିଖ ଆଗାମୀ ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଲକଡାଉନ୍ ଯୋଗୁ ଅଟକି ରହିଥିବା ଅନେକ ସିନେମା ଚବିଶ ଘଣ୍ଟା ଭିତରେ ସେମାନଙ୍କର ରିଲିଜ୍ ତାରିଖ ନିର୍ଦ୍ଧାରିତ କରିଛନ୍ତି, ହେଲେ ଭଁସାଲି ଏହି ଦୌଡ଼ରୁ ପାଦ କାଢ଼ି ନେଇଛନ୍ତି। କାରଣ ଦର୍ଶକଙ୍କ ମନୋଭାବକୁ ପରଖିଛନ୍ତି। କେବଳ ଲକଡାଉନ୍ ବା ସଟଡାଉନ୍ ଉଠିଗଲେ ଯେ ଦର୍ଶକ ଚଟାପଟ ସିନେମା ହଲକୁ ଚା‌ଲିଆସିବେ, ତାହା ନୁହେଁ। ଝଡ଼ ଥମିବା ପରେ ଆଉ କିଛି ସମୟ ବି ଲୋକଙ୍କ ମନ ଭିତରେ ଏହାର ଭୟ ବା ଆଶଙ୍କା ଥାଏ। ଶତ ପ୍ରତିଶତ ଦର୍ଶକ ପ୍ରେକ୍ଷାଳୟ ମୁହଁ ନ ହେଲେ ସିନେମାଟି ସଫଳତା ପାଇବ ନାହିଁ ବୋଲି ଭଁସାଲି କହିଛନ୍ତି।

ଦକ୍ଷିଣୀ ସିନେମାର ଏକ ନମ୍ବର ନିର୍ଦ୍ଦେଶକ ଏସ.ଏସ. ରାଜାମୌଲୀ ମଧ୍ୟ ବେଶ୍ କିଛି ଦିନ ହେବ ତାଙ୍କ ନୂଆ ଚଳଚ୍ଚିତ୍ର ‘ଆରଆରଆର’କୁ ନେଇ ବ୍ୟସ୍ତ ରହିଛନ୍ତି। ତାଙ୍କୁ ମଧ୍ୟ କୋଭିଡ୍ ସଂକ୍ରମଣ ପାଇଁ ଅଟକି ରହିବାକୁ ପଡ଼ିଛି। ରାଜମୌଲୀ ତାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଆରଆରଆର’କୁ ୨୦୨୨ରେ ରିଲିଜ୍ କରିବେ ବୋଲି ଘୋଷଣା କରିଛନ୍ତି। ଭଁସାଲିଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ୨୦୨୨ ଜାନୁଆରି ୬ ତାରିଖରେ ରିଲିଜ୍ କରୁଥିବା ବେଳେ ଠିକ୍ ପରଦିନ ଅର୍ଥାତ୍ ଜନୁଆରି ୭ ତାରିଖରେ ପ୍ରେକ୍ଷାଳୟକୁ ଆସିବ ରାଜମୌଲୀଙ୍କ ‘ଆର୍‌ଆର୍‌ଆର୍‌’। ଏଥିରେ ରାମଚରଣ ଓ ଜୁନିୟର ଏନଟିଆର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଏଇ ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅଲିଭିଆ ମରିସ୍ ଏବଂ ନାୟିକା ଭୂମିକାରେ ଅଛନ୍ତି ଆଲିଆ ଭଟ୍ଟ। ଡିଭିଭି ଦାନାୟାଙ୍କ ପ୍ରଯୋଜିତ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରଟି ଚଳିତ ବର୍ଷ ଅକ୍ଟୋବର ୧୩ ତାରିଖ ଅର୍ଥାତ୍ ଦଶହରାରେ ରିଲିଜ୍ କରିବାକୁ ତାରିଖ ନିର୍ଦ୍ଧାରିତ ହେଇଥିଲେ ମଧ୍ୟ ନିର୍ଦ୍ଦେଶକ ରାଜାମୌଲୀଙ୍କ ପରାମର୍ଶ କ୍ରମେ ଏହାର ପ୍ରଯୋଜକ ସିନେମାଟିକୁ ଆଗାମୀ ବର୍ଷ ଜାନୁଆରିରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର