ପ୍ରଥମ ଦିନରେ ୭ କୋଟି ଟଙ୍କାର ବ୍ୟବସାୟ କଲା ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’

ମୁକ୍ତିଲାଭ କରିଛି ବହୁପ୍ରତୀକ୍ଷିତ ତଥା ବିବାଦୀୟ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’। ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କ ଅଭିନୀତ ‘ଗଙ୍ଗୁବାଈ କାଠିଆୱାଡ଼ି’ର ଟ୍ରେଲର୍ ରିଲିଜ୍ କରିବା ପରେ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଯାଇଥିଲା। ଏବେ ଏଇ ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଲମ୍ବା ଧାଡ଼ି ଲାଗିଛି। ଏଥିରେ ଆଲିଆ ଗଙ୍ଗୁବାଈ ଭୂମିକାରେ କମାଠିପୂରାର ସୁନ୍ଦରୀ ସାଜିଛନ୍ତି। ଗଙ୍ଗୁବାଈ ଭୂମିକାରେ ଆଲିଆ ଧଳାରଙ୍ଗର ଶାଢ଼ୀ ପରିହିତ ହୋଇଛନ୍ତି। ପୁଣି ମାର୍ଚ୍ଚ ମାସରେ ମୁକ୍ତିଲାଭ କରିବାକୁ ଥିବା ଏସ୍.ଏସ୍. ରାଜାମୌଲୀଙ୍କ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରରେ ସେ ପୂରାପୂରି ପାରମ୍ପରିକ ପୋଷାକରେ ‌ଦର୍ଶକଙ୍କ ନଜରକୁ ଆସିବେ।

‘ଷ୍ଟୁଡେଣ୍ଟସ୍ ଅଫ୍ ଦ ଇୟର୍’, ‘ହାଇୱେ’, ‘ହମ୍ପଟି ଶର୍ମା କୀ ଦୁହ୍ଲନିଆଁ’, ‘କପୁର ଆଣ୍ଡ ସନ୍ସ’, ‘ଉଡତା ପଞ୍ଜାବ’, ‘ବଦ୍ରିନାଥ କୀ ଦୁହ୍ଲନିଆଁ’, ‘ଗଲି ବୟ’, ‘କଲଙ୍କ’, ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨’, ‘ସଡକ-୨’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଆଲିଆ ଆଗଧାଡ଼ିର ବଲିଉଡ୍ ଅଭିନେତ୍ରୀ ପାଲଟିସାରିଛନ୍ତି। ପୁଣି ‘ବ୍ରହ୍ମାସ୍ତ୍ର’, ‘ଡାର୍ଲିଙ୍ଗ୍‌ସ’ ପରି ଚଳଚ୍ଚିତ୍ରରେ ଆଲିଆ ନାୟିକା‌ ଭାବେ ଦେଖାଦେବେ। ଫ୍ରାଇଡେ ରିଲିଜ୍ କ୍ରମରେ ଚଳିତ ମାସ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିଥିବା ‘ଗଙ୍ଗୁବାଈ କାଠିଆୱାଡ଼ି’ ପ୍ରଥମ ଦିନରେ ଅନ୍ୟୂନ ୭ କୋଟି ଟଙ୍କାର ବ୍ୟବସାୟ କରିଛି। ବିଶେଷ କିଛି ବିଜ୍ଞାପନ ବା ପ୍ରଚାର କରାଯାଇ ନ ଥିଲେ ବି ଏହା ଦର୍ଶକଙ୍କ ଦ୍ବାରା ଯଥେଷ୍ଟ ଆଦୃତ ହେବ ବୋଲି ଆଶା କରାଯାଉଛି। ତେବେ ବି କୋଭିଡ୍ କଟକଣା ଭିତରେ ଏହାର ବ୍ୟବସାୟିକ ସଫଳତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି।

ଶୁକ୍ରବାର ପ୍ରଥମ ସୋ’ରେ ବିଭିନ୍ନ ପ୍ରେକ୍ଷାଳୟରେ ମାତ୍ର ୧୦ରୁ ୧୫ ପ୍ରତିଶତ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ତେବେ ‘ପଦ୍ମାବତ୍‌’, ‘ବାଜିରାଓ ମସ୍ତାନୀ’, ‘ରାମଲୀଲା’, ‘ଗୁଜାରିଶ’, ‘ସାୱରିୟା’, ‘ଦେବଦାସ’, ‘ହମ୍ ଦିଲ୍ ଦେ ଚୁକେ ସନମ’, ‘ଖାମୋସୀ’, ‘୧୯୪୨: ଲଭ୍ ଷ୍ଟୋରି’, ‘ପରିନ୍ଦା’ ପରି ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀଙ୍କର ଅନେକ ପ୍ରଶଂସକ ଥିବାରୁ ‘ଗଙ୍ଗୁବାଈ କାଠିଆୱାଡ଼ି’ ସଫଳତାର ସୋପାନ ଚଢ଼ିବ ବୋଲି ଅନେକ ଆଶା କରୁଛନ୍ତି।

ସମ୍ବନ୍ଧିତ ଖବର