କିପରି ଆରମ୍ଭ ହୋଇଥିଲା ପ୍ରଥମ ରଙ୍ଗିନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ ?

ଓଡ଼ିଆ ଭାଷାରେ ନିର୍ମିତ ପ୍ରଥମ ରଙ୍ଗିନ ଚଳଚ୍ଚିତ୍ର ହେଲା ‘ଗପ ହେଲେ ବି ସତ’ । ଏହା ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ଶିଳ୍ପପତି ଇଂ ସୁବିମଳ ମଲ୍ଲିକ । ଏହା ତାଙ୍କର ପ୍ରଥମ ଓ ଅନ୍ତିମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।‘ଗପ ହେଲେ ବି ସତ’ର ନିର୍ଦ୍ଦେଶନା ଦେଇଥିଲେ ନଗେନ୍‌ ରାୟ । ଏହା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା । ଏହା ପୂର୍ବରୁ ନଗେନ୍‌ ରାୟ ‘ କନକଲତା’ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କ ସହକାରୀ ଭାବେ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସିନେମାଟ୍ରୋଗ୍ରାଫର ଭାବେ କାର୍ଯ୍ୟ କରିଥିବା ଓଡ଼ିଆ ଟେକ୍‌ନିସିଆନ୍‌ ସୁରେନ୍ଦ୍ର ସାହୁ ମୁମ୍ବାଇରେ ରହୁଥିଲେ । ତାଙ୍କର ମଧ୍ୟ ଇଚ୍ଛା ଥିଲା ଯେ ସେ କିପରି ଏକ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେବ । ନିର୍ଦ୍ଦେଶକ ନଗେନ୍‌ ରାୟ ଓ ସିନେମାଟୋଗ୍ରାଫର୍‌ ସୁରେନ୍ଦ୍ର ସାହୁ ମିଳିତ ଭାବେ ଏକ ରଙ୍ଗିନ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାର ନିଷ୍ପତ୍ତି ନେଲେ ।

ସେମାନେ ‘ ଗପ ହେଲେ ବି ସତ’ର ଚିତ୍ରନାଟ୍ୟ ଲେଖିବା ପାଇଁ ମୁମ୍ବାଇର ପ୍ରଖ୍ୟାତ ଚିତ୍ରନାଟ୍ୟ ଲେଖକ ପି.ଡ଼ି.ସେନୟଙ୍କୁ ଦାୟିତ୍ୱ ଦେଲେ । ପ୍ରଯୋଜକ ସୁବିମଳ ମଲ୍ଲିକ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ନେଲେ । ପ୍ରଥମ ସଂପୂର୍ଣ୍ଣ ରଙ୍ଗିନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ର ବଜେଟ୍‌ କଳାଧଳା ସିନେମାଠୁଁ ଢେର ଅଧିକ ଥିଲା, ମାତ୍ର ଏଥିପ୍ରତି ଭ୍ରୁପେକ୍ଷ କରି ନଥିଲେ ପ୍ରଯୋଜକ ସୁବିମଳ ମଲ୍ଲିକ । ସେ ଅର୍ଥ ବିନିଯୋଗ କରିବାକୁ ରାଜି ହେଲେ ।


‘ଗପ ହେଲେ ବି ସତ’ର ମୁଖ୍ୟ କଳାକାର ଥିଲେ ହରିଶ ମହାପାତ୍ର, ବନଜା ମହାନ୍ତି, ନିହାରିକା ଓ ନେତ୍ରାନନ୍ଦ ମିଶ୍ର ପ୍ରମୁଖ। ଚଳଚ୍ଚିତ୍ରର କଥାବସ୍ତୁ ଏକଦମ୍‌ ସାଧାରଣ ପ୍ରେମ କହାଣୀ ଉପରେ ଆଧାରିତ ଥିଲା । ଏଥିରେ ପ୍ରେମ, ପ୍ରତାରଣା ଓ ପାରିବାରିକ ଆବେଗ ଥିଲା । ଏହି ଚଳଚ୍ଚିତ୍ରରେ ନାୟିକା ବନଜାଙ୍କ ଅଭିନୟ ସବୁଠୁଁ ବେଶୀ ହୃଦୟ ସ୍ପର୍ଶୀ ଥିଲା । ଏହି ଚଳଚ୍ଚିତ୍ରରେ ଖଳନାୟିକା ଭୂମିକାରେ ଅଭିନୟ କରି ଅଭିନେତ୍ରୀ ନିହାରିକା ଦର୍ଶକ, ପ୍ରଯୋଜକ ଓ ନିର୍ଦ୍ଦେଶକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏତଦ୍‌ବ୍ୟତୀତ ଏହାର ସଙ୍ଗୀତ ମଧ୍ୟ ଖୁବ୍‌ ଶ୍ରୁତିମଧୁର ହୋଇଥିଲା । ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନ-ହରି ଏବଂ ଗୀତ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ । ଏଥିରେ ପାଞ୍ଚଟି ଗୀତ ଥିଲା । ଏଗୁଡିକ ହେଲା-ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ…., ଜୟ ଯଦୁ ନନ୍ଦନ ହେ…..,ଏ ବନର ଛାଇ ଯହିଁ ….., ଏ ମୋର ଦୋସ୍ତ….. ଏବଂ ଗପ ହେଲେ ବି କଥାଟି ସତ, ଟିକିଏ ମିଛ ନୁହେଁ… । ଏହାର ଗୀତଗୁଡିକ ଏକୁ ଆରକ ଥିଲା । ଗୀତ ଗୁଡିକରେ କଣ୍ଠଦାନ କରିଥିଲେ ସୁମନ୍‌ କଲ୍ୟାଣ ପୁରୀ ଏବଂ ଅମିତ କୁମାର ।

ଏହି ସିନେମା ସେହି ସମୟରେ କଟକରେ ଲଗାତର ୨୩ ସପ୍ତାହ ଧରି ଚାଲିଥିଲା । ଏହା ଏକ ସୁପର ଡୁପର ହିଟ୍‌ ସିନେମା ଥିିଲା । ୧୯୭୬ପାଇଁ ପ୍ରଦତ୍ତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସେବର୍ଷର ଦୁଇଟି ମୁଖ୍ୟ ଛବି ‘ଗପ ହେଲେ ବି ସତ’ ଏବଂ ‘ଶେଷ ଶ୍ରାବଣ’ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା । ‘ଗପ ହେଲେ ବି ସତ’ ଓଡ଼ିଆ ସିନେ ଇତିହାସର ଏକ ମାଇଲଖୁଣ୍ଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସମ୍ବନ୍ଧିତ ଖବର