ବଡ଼ ପରଦାର ପ୍ରତୀକ୍ଷାରେ ଗାୟତ୍ରୀ

ନୂଆଦିଲ୍ଲୀଠାରେ ୧୯୯୫ ଜୁନ୍‌ ୧୭ରେ ଏକ ସ୍ବଚ୍ଛଳ ପରିବାରରେ ଉଦ୍ୟୋଗୀ ପିତାମାତାଙ୍କ କୋଳ ମଣ୍ଡନ କରିଥିବା ଗାୟତ୍ରୀ ଭରଦ୍ବାଜ ପେସାରେ ଜଣେ ଦନ୍ତ ଚିକିତ୍ସିକା। ମାତ୍ର ୨୦୧୮ରେ ଭାରତ ସୁନ୍ଦରୀ (ଦିଲ୍ଲୀ) ମୁକୁଟ ଧାରଣ କଲା ପରେ ତାଙ୍କ ମନରେ ଗ୍ଲାମର ଦୁନିଆ ପ୍ରତି ଦୁର୍ବଳତା ବସା ବାନ୍ଧିବା ଆରମ୍ଭ କରିଥିଲା। ଗାୟତ୍ରୀ ପାରମ୍ପରିକ ଧାରାରେ ଜୀବନ ବିତାଇବା ଅପେକ୍ଷା ଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପରଖିବା ପାଇଁ ସଂକଳ୍ପ କରିଥିଲେ। ସେ ମଡେଲିଂ ଜଗତ୍‌ରେ ପ୍ରଥମେ ପାଦ ଥାପିଲା ବେଳେ ତାଙ୍କ ପଛରେ ପରିବାରର ଦୃଢ଼ ସମର୍ଥନ ରହିଥିଲା।

୨୦୧୯ରେ ସେ ରୁପେଲି ପରଦାରେ ପ୍ରଥମେ କାମ କରିବାର ସୁଯୋଗ ପାଇଥିଲେ ସଂଗୀତ ଭିଡିଓ ‘ପଟୋଲା’ ମାଧ୍ୟମରେ। ଭାରତୀୟ ବିବାହୋତ୍ସବ ପାଇଁ ଉତ୍ସର୍ଗୀକୃତ ଏହି ଭିଡିଓରେ ଅଭିନେତା ସାହିଲ ଆନନ୍ଦଙ୍କ ସହ ଜଣେ ପଞ୍ଜାବୀ ଲଳନା ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଗାୟତ୍ରୀଙ୍କ ନୃତ୍ୟାଭିନୟକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ତେବେ ତାଙ୍କୁ ଅଭିନୟ କ୍ଷେତ୍ରରେ ପ୍ରକୃତ ପରୀକ୍ଷା ଦେବାକୁ ପଡ଼ିଥିଲା ୱେବ୍‌ ଧାରାବାହିକ ‘ବିବି କେ ଭାଇନ୍‌ସ’ ଅନ୍ତର୍ଗତ ‘ଢିଣ୍ଡୋରା’ରେ। ସେ ଏଥିରେ ନିର୍ବାହ କରିଥିବା ‘ତାରା’ ଭୂମିକାକୁ ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ। ତାଙ୍କର ନିରୀହ ମୁହଁରେ ପ୍ରକାଶୁଥିବା ଦୁଷ୍ଟ ଚାହାଣୀ ଅନ୍ୟମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

୨୦୧୯ ମେ’ରେ ଟାଇମ୍‌ସ ଅଫ୍‌ ଇଣ୍ଡିଆ ଦ୍ବାରା ପ୍ରକାଶିତ ଭାରତର ଶ୍ରେଷ୍ଠ ଆକାଂକ୍ଷିତ ମହିଳାମାନଙ୍କ ୫୦ ଜଣିଆ ତାଲିକାରେ ଗାୟତ୍ରୀ ପଞ୍ଚମ ସ୍ଥାନରେ ରହିଥିଲେ। ଗାୟତ୍ରୀ ଜଣେ ନିପୁଣା ଭରତନାଟ୍ୟମ୍‌ ନୃତ୍ୟାଙ୍ଗନା। ସେ ବିଭିନ୍ନ ସଂଗୀତ ଆଲବମ୍‌ରେ ନିଜର ନୃତ୍ୟାଭିନୟ ମାଧ୍ୟମରେ ପ୍ରଶଂସକମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଛନ୍ତି। ଅଦ୍ୟାବଧି ବଡ଼ ପରଦାରେ କାମ କରିବାର ସୁଯୋଗ ମିଳିନଥିଲେ ହେଁ ସେ ଆଦୌ ନିରାଶ ନହୋଇ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।

ଗାୟତ୍ରୀ ୨୦୨୦ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଖ୍ୟାତନାମା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ନୃତ୍ୟ କରି ଦର୍ଶକଙ୍କର ମନ ମୋହିଥିଲେ। ତେବେ ଗ୍ଲାମର ଦୁନିଆରେ ତିଷ୍ଠି ରହିବା ଲାଗି ସେ ବିଭିନ୍ନ ବ୍ୟାବସାୟିକ ବିଜ୍ଞାପନରେ ନିଜର ଉପସ୍ଥିତି ଜାରି ରଖିଛନ୍ତି। ବିଜ୍ଞାପନ ସୁଟିଂର ବ୍ୟସ୍ତବହୁଳତା ସତ୍ତ୍ବେ ପ୍ରତ୍ୟହ ନିୟମିତ ବ୍ୟାୟାମ କରିବାକୁ ସେ ଭୁଲନ୍ତି ନାହିଁ। ତେବେ ନୂଆବର୍ଷ ୨୦୨୩ରେ ବଡ଼ ପରଦାରେ ଦେଖାଦେବାର ସ୍ବପ୍ନ ସାକାର ହେବ ବୋଲି ସେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର