ଭାରତୀୟ ସିନେମାର ମାଧୁର୍ଯ୍ୟ ସାତ ସମୁଦ୍ର ତେର ନଈ ଡେଇଁ ପୃଥିବୀର ପ୍ରତିଟି କୋଣଅନୁକୋଣରେ ଆଦୃତ ହେବା କିଛି ନୂଆ କଥା ନୁହେଁ। ତେବେ ଜର୍ମାନୀର ଜଣେ ତରୁଣୀ ନିଜକୁ ବଲିଉଡ୍ ଲଳନା ବୋଲି କହି ବିଶେଷ ଆନନ୍ଦ ଅନୁଭବ କରୁଛନ୍ତି କହିବା ବିଶେଷ ଗୁରୁତ୍ବ ବହନ କରୁଛି। ହିନ୍ଦୀ ସିନେମାର ବିଭିନ୍ନ ଗୀତର ତାଳେ ତାଳେ ସେ ନୃତ୍ୟାଭିନୟ କରି ତାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡ଼ି ବେଶ ଚର୍ଚ୍ଚିତ ହେବାରେ ଲାଗିଛନ୍ତି। ବଲିଉଡ୍ ଗୀତରେ ତାଙ୍କର କୌତୁକିଆ ବେଶଭୂଷା ସାଙ୍ଗକୁ ବିଚିତ୍ର ଅଙ୍ଗଭଙ୍ଗୀ ଦର୍ଶକଙ୍କୁ ଆମୋଦିତ କରୁଛି। ନିନା ନାମ୍ନୀ ଏହି ପୃଥୁଳକାୟ ତରୁଣୀ ଜଣକ ଭାରତ ପ୍ରେମରେ ଏପରି ପଡ଼ିଯାଇଛନ୍ତି ସେ ପାଶ୍ଚାତ୍ୟ ପୋଷାକ ଛାଡ଼ି ନିଜକୁ ଶାଢ଼ିରେ ସଜେଇ ନିଜକୁ ଭାଗ୍ୟବତୀ ମନେ କରୁଥିବା କହିଛନ୍ତି। ନିଜର ପୃଥୁଳ ଚେହେରା ସତ୍ତ୍ବେ ସେ ‘କଜରା ରେ’, ‘ଓମ୍ ଶାନ୍ତି ଓମ୍’ ଓ ‘ଦେଶୀ ଗର୍ଲ’ ପରି ଲୋକପ୍ରିୟ ଗୀତରେ ନାଚି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ଏପରିକି ସେ ସ୍କୁଲରେ ପଢୁଥିବା ବେଳେ ହିନ୍ଦୀ ସିନେମା ‘କୁଛ୍ ନା କହୋ’ର ଏକ ଗୀତରେ ନାଚିଥିବା କଥା ସୂଚାଇଛନ୍ତି। ନିନା ମାତ୍ର ନଅ ବର୍ଷର ହୋଇଥିବା ବେଳେ ହିନ୍ଦୀ ସିନେମା ‘କୁଛ କୁଛ ହୋତା ହୈ’ ଦେଖି ଭାରତ ପ୍ରେମରେ ପଡ଼ିଯାଇଥିଲେ। ତାହା ପରଠାରୁ ସେ ହିନ୍ଦୀ ଗୀତ ଶୁଣିବାରେ ଓ ନୃତ୍ୟାଭିନୟ କରିବାରେ ଘଣ୍ଟା ଘଣ୍ଟା ସମୟ ବିତାଇ ଆସୁଛନ୍ତି। ‘ମୁଁ ଜର୍ମାନୀ ହେଲେ ବି ହୃଦୟରେ ନିଜକୁ ଦେଶୀ ଭାରତୀୟ ଲଳନା ବୋଲି ଭାବେ’ ବୋଲି ନିନା ଦେଇଥିବା ମନ୍ତବ୍ୟ ଭାରତୀୟ ଅନୁଗାମୀମାନଙ୍କୁ ମୁଗ୍ଧ କରିଛି। ଅଶ୍ବର୍ଯ୍ୟା ରାୟ, ମାଧୁରୀ ଦୀକ୍ଷିତ ଓ ଶାହରୁଖ ଖାଁ ହେଉଛନ୍ତି ତାଙ୍କର ପ୍ରିୟ ବଲିଉଡ୍ ତାରକା। ନିନାଙ୍କର ଚେହେରା ଯୋଗୁଁ ତାଙ୍କ ପ୍ରତି ଅନ୍ୟମାନଙ୍କର ବ୍ୟଙ୍ଗ ପରିହାସ ସବୁ ତାଙ୍କର ନିଆରା ଭାରତ ପ୍ରେମ ଆଗରେ ଫିକା ପଡ଼ିଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp