ଅବାସ୍ତବ ସୌନ୍ଦର୍ଯ୍ୟର ଦିନ ଗଲା

ଅଭିନେତ୍ରୀ ଡଲି ସିଂହ ସାମାଜିକ ଗଣମାଧ୍ୟମ ‘ଇନ୍‌ଷ୍ଟାଗ୍ରାମ୍‌’ ଜରିଆରେ ମହିଳାଙ୍କ ଉପରେ ଲଦି ଦିଆଯାଉଥିବା ସୌନ୍ଦର୍ଯ୍ୟର ଅବାସ୍ତବ ବୋଝ ବିରୋଧରେ ଏକପ୍ରକାର ଯୁଦ୍ଧ ଚଳାଇ ଆସିଛନ୍ତି। ନିକଟରେ ସେ କାନ୍‌ସ ଚଳଚ୍ଚିତ୍ର ମହୋତ୍ସବର ରେଡ୍‌ କାର୍ପେଟ୍‌ରେ ଚାଲିବାର ସୌଭାଗ୍ୟ ପାଇଥିଲେ। ଏହି ଅବସରରେ ସେ ପ୍ରକାଶ କରିଛନ୍ତି ଯେ ଆଜି ଆମେ ଅବାସ୍ତବ ସୌନ୍ଦର୍ଯ୍ୟର ଦିନକୁ ପଛରେ ଛାଡ଼ିଦେଇଛୁ। ଦିନ ଥିଲା ଯେବେ ଚଳଚ୍ଚିତ୍ରରେ ଅଭିନେତ୍ରୀମାନେ ସବୁ ସମୟରେ ସୁନ୍ଦର ଦିଶିବା, ରାତାରାତି ସେମାନଙ୍କ ଚୁଟି ବଢ଼ିଯିବା ଦେଖି ଡଲି ଆଶ୍ଚର୍ଯ୍ୟ ହେଉଥିଲେ।

ପରେ ଅନୁଭବ କରିଥିଲେ ଯେ ସେସବୁ ଅସମ୍ଭବ। କିନ୍ତୁ ଅନେକ ଝିଅ ସିନେପରଦା ଓ ସୌନ୍ଦର୍ଯ୍ୟ ପତ୍ରିକା ଦେଖି ନିଜ ରୂପକୁ ନେଇ ଅସନ୍ତୁଷ୍ଟ ହୋଇପଡ଼ନ୍ତି। ଆଜି ଦିନରେ ଫଟୋ ଫିଲ୍‌ଟର୍ ନୂଆ ବାଧକ ସାଜିଛି। କିଛି ଝିଅ କେବଳ ଫିଲ୍‌ଟର୍‌ରେ ନିଜ ରୂପକୁ ପସନ୍ଦ କରୁଛନ୍ତି। ଏଭଳି ଅଭ୍ୟାସ ପରିବାରର ଅନ୍ୟ ଝିଅମାନଙ୍କ ଉପରେ କୁପ୍ରଭାବ ପକାଉଥିବାରୁ ଏ ନେଇ ଆତ୍ମସମୀକ୍ଷା କରିବା ଉଚିତ ବୋଲି ଡଲି ଅହ୍ବାନ କରିଛନ୍ତି। ଉଲ୍ଲେଖନୀୟ ଯେ, ଜଣେ ସେଲିବ୍ରିଟି ହୋଇଥିଲେ ବି ଡଲି ନିଜ ଫଟୋରେ ଫିଲ୍‌ଟର୍ ବ୍ୟବହାର କରନ୍ତି ନାହିଁ। ଆଜି ଅନେକ ଯୁବତୀ ନିଜ ଶରୀର ଓ ରୂପ ସହ ସନ୍ତୁଷ୍ଟ ଅଛନ୍ତି ବୋଲି ତାଙ୍କର ମତ। ତେବେ ଏ ଦିଗରେ ଆହୁରି ପ୍ରଗତିର ଅବକାଶ ଅଛି। ମହିଳାଙ୍କ ପାଇଁ କ’ଣ ଠିକ୍ ବା ଭୁଲ୍ ସେ ନେଇ ସେମାନଙ୍କୁ ସର୍ବଦା ଉପଦେଶ ଦିଆଯାଇଥାଏ, ଯାହାକୁ ଅଣଦେଖା କରିବା କଷ୍ଟକର। ନିଜକୁ କାହାଠାରୁ କମ୍ କି ନିଜ ସ୍ବପ୍ନକୁ ଗୁରୁତ୍ବହୀନ ବୋଲି ନ ଭାବିବାକୁ ଏବଂ କିଏ କ’ଣ ଭାବୁଛି ତାହା ଚିନ୍ତା ନ କରି ଜୀବନ ଉପଭୋଗ କରିବାକୁ ସେ ମହିଳାମାନଙ୍କୁ ଉପଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର